ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ଵାରା ରେକର୍ଡ ୧୮୮୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୧୩ତମ ଦିବସରେ ୧୮୮୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୪ଟି ପ୍ରମୁଖ ଜିଲ୍ଲା ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଓ ଅନୁଗୁଳରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୮ଟି କଲେଜ ଏବଂ ୩ଟି ସ୍କୁଲ ଗସ୍ତ କରି ୧୧୫୫ ଛାତ୍ରଙ୍କ ଠାରୁ ୯୨ଟି ଆଇଡିଆ ସଂଗ୍ରହ କରିଛି ।

ଏହା ସମ୍ବଲପୁର ଜିଲ୍ଲାର ୪ଟି କଲେଜ ଯଥା ଆଇଆଇଏମ୍ ସମ୍ବଲପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଭିସୁଟ ବୁର୍ଲା ଓ ବଦ୍ରି ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ପରିକ୍ରମା କରିଛି। ସେହିପରି ବଲାଙ୍ଗୀର ଜିଲ୍ଲାରେ ଏହି ଭ୍ୟାନ୍ ବଲାଙ୍ଗୀର ସରକାରୀ କଲେଜ, ସିୟୁଟିଏମ ବଲାଙ୍ଗୀର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗୀର ପରିଦର୍ଶନ କରିଛି। କଳାହାଣ୍ଡି ଜିଲ୍ଲାର ଦୁଇଟି ସ୍କୁଲ କେଭି ଭବାନୀପାଟଣା ଓ ବିଏମ୍ ହାଇସ୍କୁଲ ସହ ଅନୁଗୁଳ ଜିଲ୍ଲାରେ ଏହି ଭ୍ୟାନ୍ ସରକାରୀ ପଲିଟେକ୍ନିକ୍ ଅନୁଗୁଳ, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିଛି। ଏହାବାଦ ଗୋଟିଏ ବୁଟକ୍ୟାମ୍ପ ଆଇଆଇଟି ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ୭୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ, ୧୦ ଆଇଡ଼ିଆ ଉପସ୍ଥାପନ କରାଯାଇଛି ।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୨୮ଟି କଲେଜ୍ ଏବଂ ୪୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୭,୩୬୨ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୮୮୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହି ଯାତ୍ରାକୁ ଆଗେଇ ନେଇ ଆସନ୍ତା ଅକ୍ଟୋବର ୩ (ମଙ୍ଗଳବାର) ସମ୍ବଲପୁର ଓ ବଲାଙ୍ଗୀରର ଅନ୍ୟ କିଛି ଅନୁଷ୍ଠାନ ଗସ୍ତ କରିବା ସହ, ନବରଙ୍ଗପୁର ଜିଲ୍ଲା ଗସ୍ତ କରିବ।

ମଙ୍ଗଳବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ସମ୍ବଲପୁର ଜିଲ୍ଲାର ୩ଟି କଲେଜ ଓ ଗୋଟିଏ ବିଦ୍ୟାଳୟ ଯଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଗାୟତ୍ରୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍, ବଦ୍ରିପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଲେଡି ଲୁଇସ୍ ବାଳିକା ହାଇସ୍କୁଲକୁ ପରିକ୍ରମା କରିବ। ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ, ସୁଶ୍ରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଓ ୟୁଭୋଦୟ କଲେଜ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି ପରିଦର୍ଶନ କରିବ। ଏହାବାଦ ଯାତ୍ରା ନବରଙ୍ଗପୁର ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ନବରଙ୍ଗପୁର ଡିଗ୍ରୀ କଲେଜ ଓ ନବରଙ୍ଗପୁର ମହିଳା (ଡିଗ୍ରୀ) କଲେଜରେ ପହଞ୍ଚିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।


Share It

Comments are closed.