ଓଡ଼ିଶା ପକେଟ୍‌କୁ ସୁହାଇବା ଭଳି ପର୍ଯ୍ୟଟନ ସ୍ଥଳ: ପର୍ଯ୍ୟଟନ ପ୍ରମୁଖ ସଚିବ


ଭୁବନେଶ୍ୱର: ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଓଡ଼ିଶାକୁ ଏକ ପକେଟ୍‌କୁ ସୁହାଇବା ଭଳି ପର୍ଯ୍ୟଟନ ସ୍ଥଳ ଭାବେ ବର୍ଣ୍ଣନା କରିଛନ୍ତି । ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ଦ୍ୱିତୀୟ ଦିନରେ ଏକ ଅଧିବେଶନକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଓଡ଼ିଶାରେ ଉନ୍ନତ ଭିତିଭୂମି ସହ ପର୍ଯ୍ୟଟନ ପାଇଁ ବ୍ୟାପକ ସୁବିଧା ରହିଛି । ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନେ ଜଙ୍ଗଲ, ବନ୍ୟଜନ୍ତୁ, ଆଦିବାସୀ ସଂସ୍କୃତି, ପାହାଡ଼ ପର୍ବତ ଆଦିର ମନୋରମ ଶୋଭାକୁ ଉପଭୋଗ କରିବାର ଅନନ୍ୟ ସୁଯୋଗ ପାଇବେ । ରାଜ୍ୟର ସଡ଼କ ଅତ୍ୟନ୍ତ ଉନ୍ନତ ମାନର । ଏଭଳିକି ଉତରପ୍ରଦେଶ ଓ ବିହାର ଭଳି ରାଜ୍ୟର ପ୍ରମୁଖ ସଡ଼କ ତୁଳନାରେ ଓଡ଼ିଶାର ଜିଲ୍ଲା ସ୍ତରର ସଡ଼କ ବହୁତ ଭଲ ବୋଲି ସେ କହିଛନ୍ତି ।
ସେ କହିଲେ, ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାରେ ବହୁତ କିଛି ରହିଛି । ବିଭିନ୍ନ ମାନଦଣ୍ଡ ଅନ୍ୟମାନଙ୍କଠାରୁ ଏହା ଆଗରେ ରହିଛି । ଏଠାକାର ଲୋକମାନେ ବହୁତ ଭଲ ଏବଂ ଆତିଥେୟତାରେ ଆଗରେ ରହିଛନ୍ତି । ଏକ ସୁଲଭ ମୂଲ୍ୟର ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ପର୍ଯ୍ୟଟକମାନଙ୍କୁ ବଜେଟ୍ ବିଷୟରେ ଅଧିକ ଚିନ୍ତା କରିବାକୁ ପଡ଼ିବନି ବୋଲି ସେ କହିଛନ୍ତି ।
ଏହି ଅବସରରେ ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ଯେ ରାଜ୍ୟରେ ଦୁଇଟି ବୋଟ୍ କ୍ଲବ୍ ଥିବା ବେଳେ ତାହାର ଭିତିଭୂମିକୁ ଉନ୍ନତ କରାଯାଉଛି । ରାମଚଣ୍ଡି ଓ ଟାମ୍ପରା ହ୍ରଦରେ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ସୁବିଧା ରହିଛି । ଟାମ୍ପରା ହ୍ରଦରେ ୨୪ଟି କଟେଜ୍ ଯୋଡ଼ିବାର ଯୋଜନା ରହିଛି । ସେଗୁଡ଼ିକୁ ଘରୋଇ ଅପରେଟରମାନେ ପରିଚାଳନା କରିବେ । ସେ କହିଛନ୍ତି ଯେ ଗତ ୪ ବର୍ଷରେ ରାଜ୍ୟରେ ୨୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭୬ ପ୍ରକଳ୍ପକୁ ମଂଜୁର କରାଯାଇଛି ଯାହା କାର୍ଯ୍ୟକାରୀ ହେଲେ ୩୦୦୦ ପ୍ରତ୍ୟକ୍ଷ ଏବଂ ୧୦ ଜହାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏହି ପ୍ରକଳ୍ପ ଜରିଆରେ ୩୦୦୦ ସ୍ଥାନୀୟ ଉଦ୍ୟୋଗୀଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି ବୋଲି ସେ କହିଛନ୍ତି ।
ଫିକି ପର୍ଯ୍ୟଟନ, ଟ୍ରାଭେଲ ଓ ଆତିଥେୟତା କମିଟିର ସହ -ଅଧ୍ୟକ୍ଷ ଜେ କେ ମହାନ୍ତି ରାଜ୍ୟରେ ଥିବା ବୌଦ୍ଧ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ । ରାଜସ୍ଥାନ ସହ ଓଡ଼ିଶାକୁ ତୁଳନା କରି ସେ କହିଛନ୍ତି ଯେ ରାଜସ୍ଥାନ ଯାଉଥିବା ପର୍ଯ୍ୟଟକ କେବଳ ପ୍ରାସାଦ ଏବଂ ମରୁଭୂମି ଦେଖନ୍ତି । ଓଡ଼ିଶା ଆସିଲେ ସେମାନେ ରାଜପ୍ରାସାଦରେ ସପରିବାର ରହିବା ଏବଂ ଜଙ୍ଗଲ ବୁଲିବା ତଥା ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ । ଆଗ୍ରା ଯାଉଥିବା ଲୋକମାନେ କେବଳ ତାଜ ମହଲ ଦେଖୁଥିବା ବେଳେ ଓଡ଼ିଶାରେ ସେମାନେ ପ୍ରସିଦ୍ଧ କୋଣାର୍କ ମନ୍ଦିର ଏବଂ ବହୁ ସୁନ୍ଦର ମନ୍ଦିର ଦେଖିବାର ସୁଯୋଗ ପାଇବେ ।
ତିନି ଦିନିଆ ଓଡ଼ିଶା ଟ୍ରାଭେଲ ବଜାର ୨୦୨୨କୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଶିଳ୍ପ ସଂଘ ଫିକି ପକ୍ଷରୁ ଭୁବନେଶ୍ୱରରେ ଆୟୋଜନ କରାଯାଇଛି । ଆଜିର ଅଧିବେଶନରେ ଗାୟତ୍ରୀ ଦେବୀ ଗ୍ରୁପ୍‌ର ନିର୍ଦେଶିକା ଶ୍ରୀମତୀ ନିରୁପମା ବିଶ୍ୱାଳ, ଓଟିଡିସିର ଅଧ୍ୟକ୍ଷ ଲେଲିନ ମହାନ୍ତି, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏବଂ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦେଶକ ବିଶ୍ୱଜିତ ରାଉତରାୟ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ସନ୍ଧ୍ୟାରେ ଓଡ଼ିଶୀ ଏବଂ ଗୋଟିପୁଅ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ସ୍ଥାନୀୟ ଏବଂ ବିଦେଶୀ ଟୁର ଅପରେଟର ତଥା ନିବେଶକ ଏବଂ ଏୟାରଲାଇନ୍ସଗୁଡ଼ିକ ସହ ବି୨ବି ଏବଂ ଜି୨ବି ବୈଠକ ଆୟୋଜନ କରାଯାଉଛି । ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଛି । ଟୁର ଅପରେଟରମାନେ ରାଜ୍ୟର ବିଭିନ୍ନ ଆକର୍ଷଣୀୟ ସ୍ଥାନ ପରିଦର୍ଶନ କରିବେ । ଏହି କାର୍ଯ୍ୟକ୍ରମରେ ୨୫ ବିଦେଶୀ ଏବଂ ୮୩ ସ୍ଥାନୀୟ ଟୁର ଅପରେଟର ଅଂଶଗ୍ରହଣ କରିଛନ୍ତି ।


Share It

Comments are closed.