ବର୍ତ୍ତମାନ ପାଣି ନଷ୍ଟ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ କ’ଣ ରହିଛି ଏଥିପାଇଁ ଦଣ୍ଡବିଧାନ


ଆପଣ ଅଯଥାରେ ମନଇଛା ପାଣି ନଷ୍ଟ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଯଦି କୌଣସି ବ୍ୟକ୍ତି କିମ୍ବା ସରକାରୀ ସଂସ୍ଥା ଭୂତଳ ଜଳ ଯାହା ପାନୀୟ ଜଳ ଭାବେ ବ୍ୟବହୃତ ହୋଇଥାଏ ତାକୁ ନଷ୍ଟ କରୁଛନ୍ତି କିମ୍ବା ଅଯଥା ବ୍ୟବହାର କରୁଛନ୍ତି, ତେବେ ଏହା ଏକ ଦଣ୍ଡନୀୟ ଅପରାଧ ଭାବେ ଗଣନା କରାଯିବ । କେନ୍ଦ୍ର ସରକାର ଏବେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୫ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ।

ଏହା ପୂର୍ବରୁ ଭାରତରେ ପାଣିର ବ୍ୟବହାରକୁ ନେଇ ଏମିତି କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନଥିଲା । କେତେକ ସ୍ଥାନରେ ଘରର ଟାଙ୍କି ପୂର୍ଣ୍ଣ ହୋଇଯିବା ପରେ ମଧ୍ୟ ପାଣି ବୋହିଚାଲିଥାଏ । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା କେନ୍ଦ୍ରୀୟ ଭୂତଳ ଜଳ ପ୍ରାଧିକରଣ (CGWA), ଜଳ ସମ୍ପଦ, ନଦୀବିକାଶ ଓ ଗଙ୍ଗା ନବୀକରଣ ବିଭାଗ, ପରିବେଶ ସୁରକ୍ଷା ଅଧିନିୟମ ୧୯୮୬ ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ସିଜିଡବ୍ଲିୁଏ ପାଣିର ଅପଚୟ ଏବଂ ଅଯଥା ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଅକ୍ଟୋବର ୮, ୨୦୨୦ରେ ପରିବେଶ ସୁରକ୍ଷା ଅଧିନିୟମରେ ଏହି ଆଦେଶ ଦେଇଛି । ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳରେ ଜଳଯୋଗାଣ ନେଟଓ୍ବାର୍କକୁ ପରିଚାଳନା କରୁଥିବା ସମସ୍ତେ ଏହି ନିର୍ଦ୍ଦେଶକୁ ମାନିବା ପାଇଁ ଏକ ଯାନ୍ତ୍ରୀକ କୌଶଳ ବିକାଶ କରିବେ । ଜଳ ନିଗମ, ମ୍ୟୁନିସପାଲିଟି କର୍ପୋରେସନ, ପୌରପାଳିକା, ପଞ୍ଚାୟତ ପାନୀୟ ଜଳର ଅପଚୟ କରିବେ ନାହିଁ । ଯେଉଁମାନେ ଏହି ଉଲଘଂନ କରୁଛନ୍ତି ସେମାନଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ଗ୍ରହଣ କରାଯିବ । ଦେଶର କୌଣସି ବ୍ୟକ୍ତି ଅନାବଶ୍ୟକ ଭାବରେ ଭୂତଳ ଜଳ ଉତ୍ସରୁ ପାନୀୟ ଜଳ ବ୍ୟବହାର କିମ୍ବା ବର୍ଜ୍ୟବସ୍ତୁ କରିପାରିବେ ନାହିଁ ।

ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲର ରାଜେନ୍ଦ୍ର ତ୍ୟାଗୀ ଓ ବେସରକାରୀ ସଂସ୍ଥା ଫ୍ରେଣ୍ଡସ ପକ୍ଷରୁ ୨୦୧୯ ଜୁଲାଇ ୨୪ରେ ପାଣି ନଷ୍ଟ କରିବା ଉପରେ ରୋକ ଲଗାଯିବାକୁ ନେଇ ଏକ ଆବେଦନ କରାଯାଇଥିଲା । ଏହାର ଶୁଣାଣି କରି ଏବେ ଏହି ବିଜ୍ଞପ୍ତି କରାଯାଇଛି ।


Share It

Comments are closed.