ଏହି କାରଣରୁ ପ୍ରତି ପ୍ରସଙ୍ଗରେ ଚୁପ ରୁହନ୍ତି ବଲିଉଡର ତିନି ଖାନ


ବଲିଉଡର ବରିଷ୍ଠ କଳାକାର ନସିରୁଦ୍ଦିନ ଶାହା ଇଣ୍ଡଷ୍ଟ୍ରୀର ସେହି ତାରକାଙ୍କ ମଧ୍ୟରେ ସାମିଲ୍ ଯିଏ ଯେ କୌଣସି ପ୍ରସଙ୍ଗରେ ନିଜର ନିର୍ଭୀକ ରାୟ ରଖିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଥିପାଇଁ ଅନେକ ଥର ତାଙ୍କ ବୟାନକୁ ନେଇ ବିବାଦ ମଧ୍ୟ ହୋଇଛି। ତଥାପି କୌଣସି ବି ସାମାଜିକ, ରାଜନୈତିକ ଏବଂ ଫିଲ୍ମ ସହ ଜଡିତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସେ ଖୋଲାଖୋଲି ନିଜର ମନ୍ତବ୍ୟ ରଖିଥାନ୍ତି। ନିକଟରେ ସେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବାର ଉତ୍ସବ ମନାଉଥିବା ଭାରରତୀୟ ମୁସଲମାନଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଭାରତୀୟ ମୁସଲମାନ ତାଲିବାନୀଙ୍କ ସମର୍ଥନ କରିବା ବହୁତ ବିପଦଜ୍ଜନକ ହୋଇପାରେ। ଏନଡିଟିଭି ସହ ସ୍ଵତନ୍ତ୍ର ସାକ୍ଷାତକାରରେ ନସିରୁଦ୍ଦିନ କହିଛନ୍ତି, ଇଣ୍ଡଷ୍ଟ୍ରୀରେ ନିଜର ମନକଥା ଖୋଲିକି କହିଲେ କଳାକାରଙ୍କୁ ହଇରାଣ କରାଯାଏ। ସଲମାନ, ଅମିର ଓ ଶାହାରୁଖ ଖାନ ପ୍ରତିଟି ମାମଲାରେ କାହିଁକି ନିରବ ରୁହନ୍ତି ? କାରଣ ସେମାନେ ପ୍ରତିଟି ପ୍ରସଙ୍ଗରେ ନିଜର ମନ କଥା ଲୋକଙ୍କ ସାମ୍ନାରେ ରଖି ପାରିବେ ନାହିଁ।

ନସିରୁଦ୍ଦିନ ଶାହା କହିଛନ୍ତି, ତିନି ଖାନ ଏହାକୁ ନେଇ ଚିନ୍ତିତ ଯେ ସେମାନଙ୍କୁ ହଇରାଣ କରାଯିବ। ତାଙ୍କ ପାଖରେ ହରାଇବା ପାଇଁ ବହୁତ କିଛି ଅଛି। ନିର୍ଯ୍ୟାତନା ବା ହଇରାଣ କେବଳ ଅର୍ଥକୁ ନେଇ ନୁହେଁ କି ସେମାନେ ଜଣେ କି ଦୁଇ ଜଣ ପ୍ରଶଂସକ ହରାଇବେ ନାହିଁ ବରଂ ସେମାନଙ୍କୁ ସବୁ ପ୍ରକାରର ଉତ୍ପୀଡନ କରାଯିବ। ସେ କହିଛନ୍ତି ଇଣ୍ଡଷ୍ଟ୍ରୀରେ ତିନି ଖାନଙ୍କ ବ୍ୟତୀତ ଯେ କେହି ବି କହିବାକୁ ସାହାସ କରିବ, ସେମାନଙ୍କୁ ନିର୍ଯ୍ୟାତନାର ସମ୍ମୁଖୀନ ହେବାକୁ ପଡିବ। ଏହା କେବଳ ଜାଭେଦ ସାହାବ କି ମୁଁ ନୁହେଁ, ଏଠାରେ ଯେ କେହି ବି ରାଇଡ୍ ଓ୍ଵିଙ୍ଗ ବିରୋଧରେ କହିବ ସେମାନଙ୍କୁ ନିର୍ଯ୍ୟାତନା ମିଳିବ।

ନସିରୁଦ୍ଦିନ ଶାହା କହିଛନ୍ତି, ଫିଲ୍ମ ନିର୍ମାତାଙ୍କ ଉପରେ ସରକାରଙ୍କ ସମର୍ଥନ କରୁଥିବା ଫିଲ୍ମ ନିର୍ମାଣ କରିବାକୁ ଚାପ ପକାଯାଉଛି। ଶାସକ ଦଳର ଲୋକ ଫିଲ୍ମ ପାଇଁ ଅର୍ଥ ମଧ୍ୟ ଲଗାନ୍ତି। ସ୍ପଷ୍ଟ ଭାବେ କୁହାଯାଏ ଯେ, ଯଦି ପ୍ରୋପାଗ୍ରାଣ୍ଡା ଫିଲ୍ମ ନିର୍ମାଣ ହେବ ତେବେ ଏହାକୁ ତୁରନ୍ତ କ୍ଲିନ ଚିଟ୍ ଦିଆଯିବ। ସେ କହିଛନ୍ତି, ଇଣ୍ଡଷ୍ଟ୍ରୀରେ କେବେ ମଧ୍ୟ ସେ ମୁସଲିମ ହେବା କାରଣରୁ କୌଣସି ଭେଦଭାବର ସମ୍ମୁଖୀନ ହୋଇ ନାହାନ୍ତି। କିନ୍ତୁ ଇଣ୍ଡଷ୍ଟ୍ରୀରେ କଳାକାର ଯଦି ମନ ଖୋଲି କଥା କହିବାକୁ ସାହାସ କରେ ତେବେ ତାକୁ ନିର୍ଯ୍ୟାତନା ଦିଆଯାଏ। ଏହି କାରଣରୁ ବଲିଉଡର ବଡ ଖାନ ସର୍ବଦା ପ୍ରତିଟି ମାମଲାରେ ନିରବ ରହିବାକୁ ପସନ୍ଦ କରନ୍ତି।


Share It

Comments are closed.