ଆକ୍ସନ ମୁଡରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ


ଭୁବନେଶ୍ୱର : ମହାମାରୀ କରୋନା ଭାଇରସକୁ ରାଜ୍ୟରେ କିପରି ପ୍ରତିହତ କରାଯାଇପାରିବ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା ଚଳାଇଥିବାବେଳେ ଏହିଭଳି ଘଟିସନ୍ଧି ମୂହୂର୍ତ୍ତରେ ମଧ୍ୟ ଗୁଜବ ଏବଂ ଅପପ୍ରଚାର ଥମିବାର ନାମ ନେଉ ନାହିଁ । ଠିକ ଏଭଳି ଏକ ଘଟଣା ନବରଙ୍ଗପୁର ଉମରକୋଟରେ ଦେଖିବାକୁ ମିଳିଛି । ଘଟଣାଟି ଏହା ଯେ, ଜିଲ୍ଲାରେ ଲୁଣର ଘୋର ଅଭାବକୁ ନେଇ କେହି ଜଣେ ଦୁର୍ବୃତ୍ତ ଅପପ୍ରଚାର କରିଥିଲେ ।
ଚାହୁଁ ଚାହୁଁ ଏହି ଗୁଜବଟି ଅଞ୍ଚଳରେ ନିଆଁ ଭଳି ଖେଳାଯାଇଥିଲା । ଯାହା ଫଳରେ ଅଞ୍ଚଳର ସମସ୍ତ ଦୋକାନ ମାନଙ୍କରେ ଲୁଣି ପାଇଁ ଲମ୍ବା ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଏହି ଗୁଜବର ଫାଇଦା ଉଠାଇବାକୁ ଯାଇ କେତେକ ଦୋକାନୀ କଳାବଜାରୀ ସ୍ୱରୁପ ଲୁଣକୁ କିଲୋ ପିଛା ୪୦-୫୦ ଟଙ୍କା ପର୍ଯ୍ୟନ୍ତ ବିକିବା ପାଇଁ ମଧ୍ୟ ପଛାଇନଥିଲେ । ଏ ସଂପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସୂଚନା ମିଳିବା ପରେ ସେ ତୁରନ୍ତ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ଏବଂ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଆଦେଶ ଦେଇଥିଲେ । ଖାଦ୍ୟ ଯୋଗଣା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ଏକ କମିଟି ଗଠନ କରାଯାଇ ଏହା ତଦନ୍ତ କରାଯାଇଥିଲା । ଏହି ଘଟଣାରେ ଲୁଣ କଳାବଜାରୀ କରୁଥିବା ଦୁଇଟି ଦୋକାନକୁ ସିଲ କରାଯାଇଥିବାବେଳେ ଅନ୍ୟପଟେ ଗୁଜବ ସୃଷ୍ଟି କରୁଥିବା ଜଣେ ଦୁର୍ବୃତ୍ତ ପୋଲିସ ଗିରଫ ମଧ୍ୟ କରିଛି ।
ଏହି ଘଟଣାକୁ ନେଇ ମାନ୍ୟବର ଖାଦ୍ୟ ଯୋଗଣା ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିନ୍ଦା ପ୍ରକାଶ କରିବା ସହ ଜିଲ୍ଲାବାସୀଙ୍କୁ ଆଶ୍ୱସନା ଦେଇ କହିଛନ୍ତି ଯେ, “ନବରଙ୍ଗପୁରରେ ୨୫ କିଲୋ ଲେଖାଏଁ ୧୦୦୦ ବସ୍ତା ଲୁଣ ଉମରକୋଟରେ ମହଜୁଦ ଅଛି । ସେଥି ମଧ୍ୟରୁ ରାଇଘର, ଝରିଗାଁ, ଓ ଡାବୁଗାଁକୁ ୨୦୦ ବସ୍ତା ଲେଖାଏଁ ପଠାଇ ଦିଆଯିବ । ଗଜୁବ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।”


Share It

Comments are closed.