ଦେଶର ଅର୍ଥନୀତିରେ ମାନ୍ଦାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ମନମୋହନ ସିଂହ


କରୋନା ମହାମାରୀ ଯୋଗୁ ଦେଶ ଏବେ ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ବଢ଼ୁଛି । ଏଭଳି ପରିସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହା ଉପରେ ନିଜ ମତ ରଖିଛନ୍ତି । ସିଂହ କହିଛନ୍ତି ଯେ, ଭାରତରେ ଦୀର୍ଘସ୍ଥୀୟୀ ମାନ୍ଦାବସ୍ଥା ଅବଶ୍ୟମ୍ଭାବୀ । ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ଲୋକଙ୍କୁ ଯନ୍ତ୍ରଣା ଦେଇଛି । ବିନା ବିଚାର ବିମର୍ଶରେ ଏହାକୁ ଲାଗୁ କରାଯିବା ଅର୍ଥନୀତି ପାଇଁ ହାନିକାରକ ପାଲଟିଛି । ବର୍ତ୍ତମାନର ସ୍ଥିତିକୁ ସିଂହ ‘ମାନବ ସଙ୍କଟ’ ଭାବେ ଆଖ୍ୟା ଦେଇଛନ୍ତି । ତେବେ ଏଥିରୁ ମୁକୁଳିବାର ବାଟ ମଧ୍ୟ ସେ ଦେଖାଇଛନ୍ତି । ଏହି ଉପାୟଗୁଡିକ ଉପରେ ନରେନ୍ଦ୍ର ମୋଦି ସରକାର ତୁରନ୍ତ କାର୍ଯ୍ୟ କରିବା ଦରକାର । ଏହା କଲେ ହିଁ କରୋନା ମହାମାରୀ ଦ୍ୱାରା ହୋଇଥିବା କ୍ଷତିର ଭରଣା କରାଯାଇପାରିବ ବୋଲି ବିବିସିକୁ ଇ-ମେଲ୍‌ ଜରିଆରେ ଦେଇଥିବା ଇଣ୍ଟର୍‌ଭ୍ୟୁରେ ସେ କହିଛନ୍ତି ।

ସିଂହ କହିଛନ୍ତି, ହୁଏତ ସେ ସମୟରେ ଲକ୍‌ଡାଉନ୍‌ ନିଷ୍ପତ୍ତି ନେବା ଏକମାତ୍ର ବିକଳ୍ପ ରହିଥାଇପାରେ । କିନ୍ତୁ ପରବର୍ତ୍ତୀ ପରିସ୍ଥିତି ବିଷୟରେ ନ ଭାବି ଏହାକୁ ହଠାତ୍‌ ଲାଗୁ କରାଯିବା ଉଚିତ ନ ଥିଲା । ଅତି ଅସମ୍ବେଦନଶୀଳ ଆକାରରେ କଟକଣା ଲଗାଯାଇଛି, ଯାହାର ପ୍ରଭାବ ଭୟଙ୍କର ରହିବ । ଅର୍ଥନୀତିକୁ ମୁକୁଳାଇବା ପାଇଁ ୩ ପରାମର୍ଶ ଅର୍ଥନୀତିକୁ ସଙ୍କଟରୁ ମୁକୁଳାଇବାର ୩ଟି ଉପାୟ ଦେଇଛନ୍ତି ସିଂହ । ମୋଦି ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କଲେ ଅର୍ଥନୀତି ଖୁବ୍‌ଶୀଘ୍ର ପୂର୍ବ ଅବସ୍ଥାକୁ ଚାଲିଆସିବ ବୋଲି କହିଛନ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଦୈନନ୍ଦିନ ଖର୍ଚ୍ଚ ପାଇଁ ଯେପରି ଲୋକଙ୍କ ପାଖରେ ଟଙ୍କା ରହିବ ସରକାର ତାହା ସୁନିଶ୍ଚିତ କରନ୍ତୁ ବୋଲି ସଂହ କହିଛନ୍ତି । ଲୋକଙ୍କ ଜୀବିକା ଯେପରି ସୁରକ୍ଷିତ ରହିବ ତାହା ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବା ଦରକାର । ସିଧାସଳଖ ନଗଦ ସହାୟତା ଯୋଗାଇ ସରକାର ଲୋକଙ୍କ କ୍ରୟ କ୍ଷମତାକୁ ସୁନିଶ୍ଚିତ କରିବା ବର୍ତ୍ତମାନ ସ୍ଥିତିରେ ଅତି ଜରୁରୀ ହୋଇପଡିଛି ବୋଲ ସେ କହିଛନ୍ତି ।

ଦ୍ୱିତୀୟ ଜରୁରୀ ଉପାୟ ହେଉଛି, ବ୍ୟବସାୟିକ ସଂସ୍ଥାଗୁଡିକ ପାଇଁ ସରକାର ଋଣ ଗ୍ୟାରେଣ୍ଟି ସ୍କିମ୍‌ଗୁଡିକ ଜରିଆରେ ଉପଯୁକ୍ତ ପୁଞ୍ଜି ଯୋଗାଇ ଦିଅନ୍ତୁ । ସିଂହଙ୍କ ତୃତୀୟ ପରାମର୍ଶ ହେଉଛି ସଂସ୍ଥାଗତ ସ୍ୱାୟତ୍ତତା ଏବଂ ପ୍ରକ୍ରିୟାଗୁଡିକ ଜରିଆରେ ଆର୍ଥିକ କ୍ଷେତ୍ରକୁ ସୁବ୍ୟବସ୍ଥିତ କରିବା । ମନମୋହନ ସିଂହ ନଗଦ ବା କ୍ୟାସ୍‌ ଟ୍ରାନ୍ସଫରକୁ ନେଇ କହିଛନ୍ତି ଯେ, ଏହା ଦ୍ୱାରା ସରକାରୀ କରଜ ବହୁ ମାତ୍ରାରେ ବଢିଯିବ । ଫଳରେ ଦେଶର ଋଣ-ଜିଡିପି ଅନୁପାତ ବିଗିଡିଯିବ । କିନ୍ତୁ କୌଣସି ପ୍ରକାର କରଜ ଦ୍ୱାରା ଯଦି ଲୋକଙ୍କ ଜୀବନ ବଞ୍ଚୁଛି, ଜୀବନ ସ୍ୱାଭାବିକ ହେଉଛି ଏବଂ ଅର୍ଥବ୍ୟବସ୍ଥା ବଢ଼ିବା ପାଇଁ ଏହା ସହାୟକ ହେଉଛି ତେବେ ଉକ୍ତ କରଜ କରାଯାଇପାରିବ । କରଜ କରିବା ପାଇଁ ପଛଘୂଞ୍ଚା ନ ଦେଇ ବରଂ କିପରି ଖର୍ଚ୍ଚକୁ ଠିକ୍‌ ଭାବେ କରାଯିବ ତାହା ଉପରେ ସରକାର ଧ୍ୟାନ ଦେବା ଦରକାର । ସିଂହ କହିଛନ୍ତି ଯେ, ଭାରତ ଅନ୍ୟ ଦେଶଗୁଡିକୁ ଅନୁକରଣ କରି ଆମଦାନି ଉପରେ ମୋଟା ଶୁଳ୍କ ଲଗାଉଛି । ଭାରତର ଏହି ସୁରକ୍ଷାବାଦୀ ନୀତି ଅର୍ଥନୀତି ପାଇଁ ବିପଦ ସାଜିପାରେ ।


Share It

Comments are closed.