ଉଦ୍ଧବ ଠାକରେଙ୍କ ବିରୋଧରେ ମାମଲା ରୁଜୁ କଲେ ବିଜେପି ନେତା


ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ବିବାଦ। ଏହା ଭିତରେ ବିଜେପିର ଜଣେ ନେତା କୋଭିଡ୍‌ ପ୍ରୋଟୋକଲ ଭାଙ୍ଗିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଆଇଏନ୍‌ଏସ୍‌ ସହ କଥା ହୋଇ ବିଜେପିର ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସଚିବ ତାଜିନ୍ଦର ପାଲ୍‌ ସିଂହ ବଗର କହିଛନ୍ତି, କୋଭିଡ୍‌ ପଜିଟିଭ ହେବାପରେ ବି ଲୋକଙ୍କୁ ସାକ୍ଷାତ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିୟମର ଉଲଂଘନ କରିଛନ୍ତି, ତେଣୁ ମୁମ୍ବାଇର ମଲବାର ହିଲ୍‌ ପୋଲିସ ଷ୍ଟେସନ୍‌ରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଅନଲାଇନ୍ ଅଭିଯୋଗ ଦାଖଲ କରିଛି।

ବଗା ମୁମ୍ବାଇର ମଲବାର ହିଲ୍‌ ପୋଲିସ ଷ୍ଟେସନ୍‌ରେ ଠାକରେଙ୍କ ବିରୋଧରେ ଅନଲାଇନ୍ ଅଭିଯୋଗ କରିଛନ୍ତି। ଏଥିରେ ସେ କହିଛନ୍ତି, ଗଣମାଧ୍ୟମରୁ ସକାଳୁ ଖବର ମିଳିଥିଲା ଠାକ​‌ରେ କରୋନା ସଂକ୍ରମିତ ହୋଇଛନ୍ତି ଓ ତାଙ୍କର ସହଯୋଗୀ କଂଗ୍ରେସ ନେତା କମଳନାଥ ମଧ୍ୟ ଏହାକୁ କନଫର୍ମ କରିଥିଲେ। କୋଭିଡ୍ ପ୍ରୋଟୋକଲ୍‌ ଅନୁସାରେ, କୋଭିଡ୍ ପଜିଟିଭ ହେବାପରେ ସଂକ୍ରମିତ ବ୍ୟକ୍ତି କାହାକୁ ସାକ୍ଷାତ କରିବା ଉଚିତ ନୁହେଁ, ତାଙ୍କୁ ଏକାନ୍ତବାସରେ ରହିବା କଥା। ହେଲେ ପଜିଟିଭ ପରେ ମଧ୍ୟ ଉଦ୍ଧବ ଠାକରେ ନିଜର ସମର୍ଥକଙ୍କୁ ସାକ୍ଷାତ କରି କୋଭିଡ୍‌ ନିୟମ ଉଲଂଘନ କରିଛନ୍ତି। ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଦରକାର।

ଉଲ୍ଲେଖନୀୟ ଯେ, ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। ଇସ୍ତଫା ଦେବା ପରେ ଦକ୍ଷିଣ ମୁମ୍ବାଇର ସରକାରୀ ବାସଭବନ ‘ବର୍ଷା’ରୁ ବାନ୍ଦ୍ରାସ୍ଥିତ ତାଙ୍କ ପରିବାର’ ମାତେଶ୍ରୀ’କୁ ଯାଇଥିଲେ। ଏହି ସମୟରେ ଦଳର କର୍ମୀମାନେ ମୁଖ୍ୟମନ୍ତ୍ରୀ ସମର୍ଥନରେ ସ୍ଲୋଗାନ ଦେବା ସହ ଉଦ୍ଧବ ଓ ତାଙ୍କ ପରିବାର ଉପରେ ଫୁଲ ବର୍ଷା କରୁଥିବାର ନଜର ଆସିଥିଲେ।


Share It

Comments are closed.