ଟ୍ୱେଣ୍ଟି୨୦ ବିଶ୍ୱକପ : ଦଳକୁ ଫେରିବେ ବୁମରା ଏବଂ ହର୍ଷଲ


ଏସିିଆ କପ୍‌ କ୍ରିକେଟ ଦଳରୁ ଆହତ ପାଇଁ ବାଦ୍‌ ପଡିଥିଲେ ଭାରତର ଦୁଇ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ହର୍ଷାଲ ପଟେଲ। ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ ଲାଗି ଭାରତୀୟ ଦଳରେ ବୁମରା ଓ ହର୍ଷାଲ ପ୍ରତ୍ୟାବର୍ତ୍ତନ କରିବେ। ଏହା ପୂର୍ବରୁ ଦୁଇ ଦ୍ରୁତ ବୋଲରଙ୍କ ପାଇଁ ଫିଟନେସ ପରୀକ୍ଷା ଚିନ୍ତାଜନକ ହୋଇଛି। କାରଣ ଗତ ଜୁଲାଇରେ ବୁମ୍‌ରାଙ୍କ ପିଠି ଯନ୍ତ୍ରଣା ପାଇଁ ସେ ଏସିଆ କପ୍‌ କ୍ରିକେଟରୁ ଦୂରରେ ରହିଥିଲେ। ସେହିପରି ହର୍ଷାଲ ମଧ୍ୟ କହୁଣୀରେ ଆଘାତ ଲାଗି ଏସିଆ କପ୍‌ରୁ ବାଦ୍‌ ପଡିଥିଲେ। ଟ୍ୱେଣ୍ଟି୨୦ ବିଶ୍ୱକପ ଲାଗି ଭାରତୀୟ ଦଳ ଚଳିତ ସେପ୍ଟେମ୍ବର ୧୬ରେ ଘୋଷଣା କରାଯିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ବୁମ୍‌ରା ଓ ହର୍ଷାଲଙ୍କ ଫିଟ୍‌ନେସ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହେଲେ ଦୁଇ ଦ୍ରୁତ ବୋଲର ଟ୍ୱେଣ୍ଟି୨୦ ବିଶ୍ୱକପ ଲାଗି ଜାତୀୟ ଦଳରେ ସ୍ଥାନ ପାଇବେ। ବୁମରା ଓ ହର୍ଷାଲ ଆହତ ହେବା ପରେ ବେଙ୍ଗାଲୁରସ୍ଥ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେଉଥିଲେ। ଦୁଇ ଖେଳାଳି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏସିଆ କପ୍‌ ଲାଗି ଭାରତୀୟ ଦଳ ଅଗଷ୍ଟ ୮ରେ ଘୋଷଣା କରାଯାଇଥିଲା। ଦଳରେ ବୁମରା ଓ ହର୍ଷାଲଙ୍କୁ ସ୍ଥାନ ମିଳିନଥିଲା। ଦୁଇ ଖେଳାଳି ଆହତ ହୋଇଥିବାରୁ ତାଙ୍କୁ ଏନ୍‌ସିଏକୁ ପଠାଯାଇଥିଲା। ସେଠାରେ ଦୁଇ ଖେଳାଳି ଚିକିତ୍ସିତ ହେଉଥିଲେ। ଟ୍ୱେଣ୍ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ୱେଣ୍ଟି୨୦ ଓ ଦିନିକିଆ ମ୍ୟାଚ ଖେଳିବ। ଉକ୍ତ ମ୍ୟାଚରେ ହର୍ଷାଲ ଓ ବୁମ୍‌ରାଙ୍କୁ ସ୍ଥାନ ମିଳିବ। ଉକ୍ତ ଦୁଇ ଶୃଙ୍ଖଳାରେ ବୁମରା ଓ ହର୍ଷାଲଙ୍କ ଫିଟ୍‌ନେସ ନେଇ ସ୍ପଷ୍ଟ ହୋଇଯିବ। ଅନ୍ୟପକ୍ଷରେ ଏସିଆ କପ ଲାଗି ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସାମିଲ କରାଯାଇନଥିଲା। ସାମି ସୁସ୍ଥ ଥିଲେ ମଧ୍ୟ ତାଙ୍କୁ ଏସିୖଆ କପ ଦଳରେ ସ୍ଥାନ ମିଳିନଥିଲା। ଯାହାକୁ ନେଇ ବିସିସିଆଇ ମନୋନୟନ କମିଟିକୁ କ୍ରିକେଟ ବିଶେଷଜ୍ଞମାନେ ସମାଲୋଚନା କରିଥିଲେ। ଏବେ ଟ୍ୱେଣ୍ଟି୨୦ ବିଶ୍ୱକପ ଦଳରେ ସାମିଙ୍କୁ ସାମିଲ କରାଯାଉଛି ନା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସିଆ କପରେ ସାମି, ବୁମରା ଓ ହର୍ଷାଲଙ୍କ ଅନୁପସ୍ଥିତିରେ ଭାରତୀୟ ଦ୍ରୁତ ବୋଲିଂ ବିଭାଗ ଦୁର୍ବଳ ହୋଇପଡିଥିଲା। ସେହିପରି ଆଣ୍ଠୁରେ ଅ​‌େ​‌ସ୍ତ୍ରାପଚାର ପାଇଁ ରବୀନ୍ଦ୍ର ଜାଡେଜା ଟ୍ୱେଣ୍ଟି୨୦ ବିଶ୍ବକପ ଦଳରେ ସ୍ଥାନ ପାଇବାର ସମ୍ଭାବନା ନଥିବାରୁ ତାଙ୍କ ସ୍ଥାନରେ ଦୀପକ ହୁଡା ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି। ସେହିପରି ଋଷଭ ପନ୍ତ୍‌ ଓ ଦିନେଶ କାର୍ତ୍ତିକ ଦୁଇଜଣ ୱିକେଟରକ୍ଷକଙ୍କୁ ଦଳରେ ସାମିଲ ହେବାର ସମ୍ଭାବନା ରହିଛି।


Share It

Comments are closed.