ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ


ଏନଟିପିସି ହସ୍ପିଟାଲ ସହ ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚିକିତ୍ସା ବ୍ୟବସ୍ଥା

ସୁନ୍ଦରଗଡ଼, ୩ ଜାନୁୟାରୀ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ମାଗଣାରେ ଅତ୍ୟାଧୁନିକ ଫିଜିଓଥେରାପି ସହ ଏବେ ମିଳିବ ସମନ୍ୱିତ ଭୌତିକ ଚିକିତ୍ସା ସେବା। ଏଥିପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି ହସ୍ପିଟାଲ ପରିସରରେ ଏକ ଆଧୁନିକ ଭୌତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ସେହିପରି ରାଜଗାଙ୍ଗପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି। ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ସୋମବାର ଦିନ ଏହି ଦୁଇଟି କେନ୍ଦ୍ରର ଉଦଘାଟନ କରିଛନ୍ତି।

ଏହା ସହ ଏହି ଚିକିତ୍ସା କେନ୍ଦ୍ରକୁ ରୋଗୀମାନଙ୍କୁ ମାଗଣାରେ ନେବା ଆଣିବା ଲାଗି ପରିବେଶ ଅନୁକୂଳ ଇ-ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ଏହି ସେବା ଯୋଗୁଁ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଜରାଗ୍ରସ୍ତ ବରିଷ୍ଠ ନାଗରିକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

ସୁନ୍ଦରଗଡ଼ରେ ଆରମ୍ଭ କରାଯାଇଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, ଘରେ ଥିବା ଶଯ୍ୟାଶାୟୀ ରୋଗୀମାନେ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧ରେ କଲ୍ କରି ଏହି ସେବା ପାଇପାରିବେ। ସେମାନଙ୍କ ଘରକୁ ଯାଇ ବିଶେଷଜ୍ଞମାନେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦୨୦ରୁ କାମ କରୁଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଏଠାରେ ସମସ୍ତଙ୍କ ପାଇଁ ମାଗଣାରେ ରୋବୋଟିକ୍ସ ଫିଜିଓଥେରାପି ଏବଂ ଭିନ୍ନକ୍ଷମ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ପ୍ରସ୍ତୁତି ଓ ତାଲିମ ସେବା ଦିଆଯାଉଛି। ଏହି ସେବାର ସଂପ୍ରସାରଣ କରିବାକୁ ଯାଇ ସରକାରଙ୍କ ପକ୍ଷରୁ ଏବେ ଫିଜିଓଥେରାପି ସହ ବିଭିନ୍ନ ପ୍ରକାର ଆଧୁନିକ ଥେରାପିକୁ ମିଶାଇ ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଛି। ଏନଟିପିସି ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛଡ଼ା ବର୍ତ୍ତମାନ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଏହି ସେବା ଆରମ୍ଭ କରାଯାଉଛି।

‘‘ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଯେଉଁ ଆଧୁନି ଭୌତିକ ଚିକିତ୍ସା କେନ୍ଦ୍ର ଏବଂ ଇ-ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଗଲା ତାହା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବ। ଯେଉଁ ଆଧୁନିକ ଫିଜିଓଥେରାପି ଦେଶର ବଡ଼ ବଡ଼ ସହରରେ ମିଳୁଥିଲା ତାହା ଏବେ ସୁନ୍ଦରଗଡ଼ ଜିଲ୍ଲାର ସାଧାରଣ ଜନତାଙ୍କୁ ମିଳିପାରିବ’’, ଏହି ସେବାର ଶୁଭାରମ୍ଭ କରି କହିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ।

ଜୀବନ ଶୈଳୀ ସମସ୍ୟା, ବିଭିନ୍ନ ଜଟିଳ ରୋଗର ପ୍ରଭାବ, ଦୁର୍ଘଟଣାଜନିତ ସମସ୍ୟା, ଅପରେସନ ପୂର୍ବ ଓ ପରବର୍ତ୍ତୀ ଅବସ୍ଥା, ବାର୍ଦ୍ଧକ୍ୟ ଏବଂ ଶିଶୁଙ୍କ ଭିତରେ ଥିବା ବିଭିନ୍ନ ଜନ୍ମଗତ ସମସ୍ୟା କ୍ଷେତ୍ରରେ ଉପଶମ ଲାଗି ଫିଜିଓଥେରାପି ବିଶେଷ ଫଳପ୍ରଦ ହୋଇଥାଏ। ନିୟମିତ ଫିଜିଓଥେରାପି ଏବଂ ସମନ୍ୱିତ ଭୌତିକ ଚିକିତ୍ସା ସେବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭିତରେ ସକ୍ଷମତା ଭରି ଦେଇଥାଏ। ଏହାକୁ ଆଧାରକରି ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଏହି ସେବାକୁ ଏବେ ବ୍ୟାପକ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ଆର୍ଥିକ ସହାୟତାରେ ଏହି ସେବା ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି।

ଭିନ୍ନକ୍ଷମଙ୍କ ସହିତ ଆଣ୍ଠୁ, ଗଣ୍ଠି, କାନ୍ଧ ଓ ମାଂସପେଶୀରେ ଯନ୍ତ୍ରଣା ତଥା ସ୍ନାୟୁଗତ ସମସ୍ୟା ଭୋଗୁଥିବା ବ୍ୟକ୍ତି, ଜରାଗ୍ରସ୍ତ ବରିଷ୍ଠ ନାଗରିକ, ବୟସ ଅନୁସାରେ ମାନସିକ ଅଭିବୃଦ୍ଧି କରୁ ନଥିବା ଶିଶୁ, ବାକ୍ ଓ ଶ୍ରବଣ ସମସ୍ୟା, ପ୍ରସବର ପୂର୍ବ ଓ ପରବର୍ତ୍ତୀ ଅବସ୍ଥାରେ ଥିବା ମହିଳା, ହୃତପିଣ୍ଡ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନେ ଏହି ସମନ୍ୱିତ ଭୌତିକ ଚିକିତ୍ସା ସେବାରୁ ବିଶେଷ ସୁଫଳ ପାଇପାରିବେ।


Share It

Comments are closed.