ନିଜର ଶରୀର ଏବଂ ତ୍ୱଚାକୁ ହାଇଡ୍ରେଟଡେ ରଖିବା ପାଇଁ ଖାଆନ୍ତୁ ଏହି ସମସ୍ତ ଖାଦ୍ୟ


ଖରାଦିନେ ସୂର୍ଯ୍ୟଙ୍କ ପ୍ରକୋପ ଖୁବ ଅଧିକ ରହୁଥିବାରୁ ସମୟ ସମୟରେ ଶରୀରରୁ ଜଳୀୟ ଅଂଶର ପରିମାଣ କମ ହୋଇଥାଏ । ତେଣୁ ଖରାଦିନେ ଶରୀରରେ ଜଳୀୟଅଂଶର ମାତ୍ରାକୁ ସନ୍ତୁଳନରେ ରଖିବା ପାଇଁ ଦିନକୁ ୭ରୁ ୮ ଗ୍ଲାସ ଜଳ ସେବନ ଆବଶ୍ୟକ । କିନ୍ତୁ ଜଳ ବ୍ୟତୀତ ବହୁ ପ୍ରକାରର ଖାଦ୍ୟ ତଥା ଫଳ ରହିଛି ଯାହା ଶରୀରରେ ଜଳର ମାତ୍ରାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ସମସ୍ତ ପ୍ରକାରର ଫଳ ଖରାଦିନେ ମଧ୍ୟ ସହଜରେ ଉପଲବ୍ଧ ହୋଇଥାଏ ।
୧. ତରଭୁଜ – ଖରାଦିନେ ବଜାରରେ ସହଜରେ ଉପଲବ୍ଧ ହେଉଥିବା ତରଭୁଜରେ ପାଖାପାଖି ୯୫ପ୍ରତିଶତ ଜଳ ରହିଛି । ଏହା ଖାଇବାକୁ ଖୁବ ସୁସ୍ୱାଦୁ ଏବଂ ଏଥିରେ ଭିଟାମିନ -ଏ, ସି ଏବଂ ମ୍ୟାଗ୍ନେସିୟମ ମଧ୍ୟ ରହିଛି । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଖୁବ ଅଧିକ ରହିଛି ଯାହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ ଡାଇବେଟିସ ଏବଂ ହୃଦରୋଗୀମାନେ ମଧ୍ୟ ଖାଇପାରିବେ ।
୨. କାକୁଡି – ଓଡିଶାରେ ଘରେ ବାଡି ବଗିଚାରେ କାକୁଡିର ଚାଷ କରାଯାଇଥାଏ । ଏହାକୁ ପ୍ରତ୍ୟେକ ଓଡିଆ ଘରେ ସାଲାଡ ପାଇଁ ବ୍ୟବହାର କରାଯାଇଥାଏ । କାକୁଡିରେ ୯୫ପ୍ରତିଶତ ଜଳ ରହିଥାଏ । ଏବଂ ଏହା ଖରାଦିନେ ଏକ ସୁପର ଫୁଡଭାବେ ମଧ୍ୟ କାର୍ଯ୍ୟ କରିଥାଏ । ଏଥିରେ ଉପସ୍ଥିତ ଥିବା ଫାଇବର ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ସହିତ ଏହା ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ଭିଟାମିନ କେର ଉତ୍ତମ ସ୍ରୋତ ଅଟେ ।
୩. ଦହି – ଖରାଦିନ ନୁହଁ ବରଂ ବର୍ଷକୁ ବାର ମାସ ଦହି ଶରୀର ପାଇଁ ଏକ ସୁପରଫୁଡ । ପ୍ରାୟ ଗୋଟିଏ କପ ଦହିରେ ୭୫ପ୍ରତିଶତ ଜଳୀୟ ଭାଗ ରହିଛି ଯାହା ଶରୀରରେ ଜଳର ମାତ୍ରାକୁ ସନ୍ତୁଳିତ ରଖିଥାଏ । ଏହା କ୍ୟାଲସିୟମ, ଫାଇବର,ପ୍ରୋଟିନ ଏବଂ ପୋଟାସିୟମର ଏକ ଉତ୍ତମ ସ୍ରୋତ ଅଟେ । ଏହା ହଜମ କ୍ରିୟାରେ ସାହାଯ୍ୟ କରିବା ସହିତ ଏହାର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପେଟ ରୋଗ ଏବଂ ଅଂଶୁଘାତରୁ ରକ୍ଷା କରିଥାଏ ।
୪. ଲେମ୍ବୁ – ଖରାଦିନେ ସମସ୍ତଙ୍କୁ ଲେମ୍ବୁ ପାଣି ପିଇବାକୁ ଭଲ ଲାଗିଥାଏ । ଲେମ୍ବୁ ପାଣି ଶରୀରରେ ଜଳୀୟ ଅଂଶର ମାତ୍ରାକୁ ସନ୍ତୁଳିତ ରଖିଥାଏ । ସକାଳୁ ପ୍ରତିଦିନ ଖାଲି ପେଟରେ ଉଷୁମ ଜଳରେ ଲେମ୍ବୁର ସେବନ ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ । ଲେମ୍ବୁ ଭିଟାମିନ ସିର ଏକ ଉତ୍ତମ ସ୍ରୋତ ଅଟେ । ଏହା ଶରୀରରେ ଭିଟାମିନ ସିର ମାତ୍ରାକୁ ବୃଦ୍ଧି କରିଥାଏ ଏବଂ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ । ଲେମ୍ବୁ ରସ ସହିତ ଆପଣ ପୋଦିନା ପତ୍ର ମଧ୍ୟ ମିଳାଇ ପାରିବେ ।
୫. ପଇଡ ପାଣି – ପଇଡ ପାଣି କିମ୍ବା ଡାବ ଓଡିଶାରେ ଏକ ଲୋକପ୍ରିୟ ପାନୀୟ । ପଇଡ ପାଣି ପିଇବା ଦ୍ୱାରା ଶରୀରକୁ ଗରମ ଉତ୍ତାପରୁ ମୁକ୍ତି ମିଳିଥାଏ ଏବଂ ଏହା ଭିଟାମିନ, ମିନେରାଲ ଇତ୍ୟାଦିର ଉତ୍ତମ ସ୍ରୋତ । ଏହାର ସେବନ ଦ୍ୱାରା ଖରାଦିନେ ଅଂଶୁଘାତ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ ।

 


Share It

Comments are closed.