ଜିଓ‌ରେ ୪୩, ୫୭୪ କୋଟି ଟଙ୍କା ନିବେଶ କରିବ ଫେସ୍‌ବୁକ୍‌


ମୁମ୍ବାଇ / ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସରେ ଫେସବୁକ୍ ପକ୍ଷରୁ ୪୩,୫୭୪ କୋଟି ଟଙ୍କା ପୁଞ୍ଜିନିବେଶ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଓ ଫେସବୁକ୍ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ବିଷୟରେ ଆଜି ଘୋଷଣା କରାଯାଇଛି । ଏକ ଡଲାରର ବିନିମୟ ମୂଲ୍ୟ ୭୦ ଟଙ୍କା ହିସାବରେ ଜିଓ ପ୍ଲାଟଫର୍ମସ୍‌ର ପ୍ରାକ୍‌-ଅର୍ଥ ସଂସ୍ଥାଗତ ମୂଲ୍ୟାଙ୍କନକୁ ୬୫.୯୫ ବିଲିଅନ ଡଲାର (୪.୬୨ ଲକ୍ଷ କୋଟି ଟଙ୍କା) ହିସାବ କରି ଫେସ୍‌ବୁକ୍ ତରଫରୁ ଏହି ନିବେଶ କରାଯାଇଛି । ଫେସବୁକ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ଭିତ୍ତିରେ ୯.୯୯ ପ୍ରତିଶତ ଇକ୍ୱିଟି ଅଂଶଧନରେ ପରିଣତ ହେବ ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମ ହେଉଛି ଏକ ପରବର୍ତୀ ପିଢ଼ିର ପ୍ରଯୁକ୍ତି କଂପାନି ଯାହା ଜିଓର ଅଗ୍ରଣୀ ଡିଜିଟାଲ୍ ଆପ୍‌, ଡିଜିଟାଲ୍ ଇକୋସିଷ୍ଟମ୍ ବ୍ୟବସ୍ଥା ଓ ଭାରତର ଏକ ନମ୍ବର ଦ୍ରୁତ ବେଗରେ ଯୋଗାଯୋଗ ପ୍ଲାଟଫର୍ମକୁ ଗୋଟିଏ ଛତା ତଳକୁ ଆଣି ଭାରତରେ ଡିଜିଟାଲ୍ ସମାଜ ଗଠନ କରୁଛି । ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଯାହା ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ଯୋଗାଯୋଗ ସୁବିଧା ପ୍ରଦାନ କରୁଛି ତାହା ଜିଓ ପ୍ଲାଟଫର୍ମସ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ହୋଇରହିବ ।
ଜିଓର ଲକ୍ଷ୍ୟ ହେଉଛି ୧୩୦ କୋଟି ଭାରତୀୟ, ଭାରତୀୟ ବ୍ୟବସାୟ, ବିଶେଷକରି କ୍ଷୁଦ୍ର ବ୍ୟବସାୟୀ , ଲଘୁ-ବ୍ୟବସାୟୀ ଓ ଚାଷୀମାନଙ୍କ ପାଇଁ ଡିଜିଟାଲ୍ ଇଣ୍ଡିଆ ଗଠନ କରିବା । ଜିଓ ଭାରତୀୟ ଡିଜିଟାଲ୍ ସେବାକ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି ଏବଂ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ପ୍ରଯୁକ୍ତି ଓ ଜ୍ଞାନକୌଶଳର ଦେଶ ହେବା ତଥା ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ଅର୍ଥନୀତି ହେବା ପଥରେ ଭାରତକୁ ଆଗେଇ ନେଉଛି ।
ବ୍ରଡବ୍ୟାଣ୍ଡ୍ ସଂଯୋଗ, ସ୍ମାର୍ଟ ଉପକରଣ, କ୍ଲାଉଡ୍ ଓ ଏଜ୍ କମ୍ପ୍ୟୁଟିଂ, ବିଗ୍ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଟଂରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଓ ବ୍ଲକ୍‌ଚେନ୍ ଭଳି ଅଗ୍ରଣୀ ପ୍ରଯୁକ୍ତିର ଶକ୍ତିବଳରେ ଜିଓ ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବସ୍ଥା ବା ଇକୋସିଷ୍ଟମ୍ ପ୍ରସ୍ତୁତ କରିଛି ।
ପ୍ରତିଟି ଭାରତୀୟଙ୍କୁ ଜିଓ ଡିଜିଟାଲ୍ ଲାଇଫ୍‌ର ଅନନ୍ୟ ଅନୁଭୂତି ଦେବା ଲାଗି ଜିଓ ପକ୍ଷରୁ ନେଟୱର୍କ, ଉପକରଣ (ଡିଭାଇସ୍‌), ଆପ୍ଲିକେସନ, କନଟେଂଟ୍ (ବିଷୟବସ୍ତୁ), ସେବା ଅନୁଭୂତି ଓ ସୁଲଭ ମୂଲ୍ୟର ଟାରିଫ୍‌କୁ ନେଇ ଏକ ବ୍ୟବସ୍ଥା (ଇକୋ-ସିଷ୍ଟମ୍‌) ସୃଷ୍ଟି କରାଯାଇଛି । ବର୍ତ୍ତମାନର କୋଭିଡ୍‌-୧୯ ସଙ୍କଟ ସମୟରେ ଜିଓ ପ୍ଲାଟଫର୍ମସ୍ ଆମ ଦେଶର ସମସ୍ତଙ୍କ ପାଇଁ ଏକ ଭରସାଯୋଗ୍ୟ ଡିଜିଟାଲ୍ ଜୀବନରେଖା ପାଲଟିଛି ।
ବିଶ୍ୱର ଅନ୍ୟତମ ସର୍ବବୃହତ ଦେଶ ଭାବେ ଭାରତରେ ଫେସବୁକ୍‌ର ଆକର୍ଷଣୀୟ ବ୍ୟବହାରକାରୀ ସମାଜ ହ୍ୱାଟସ୍‌ଆପ୍‌, ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ରେ ରହିଛି । ବିଗତ ବର୍ଷ ଗୁଡ଼ିକରେ ଭାରତର ଉଦ୍ୟମିତା ପ୍ରତିଭା ଏବଂ ସୁଯୋଗ ଉପରେ ଦୃଢ଼ ବିଶ୍ୱାସ ରଖି ଫେସବୁକ୍ ନିବେଶ କରୁଛି ଯାହା ନିଜର ବିବିଧ ପ୍ଲାଟଫର୍ମ ବ୍ୟବହାର କରି ଭାରତୀୟ ଓ ଭାରତୀୟ ବ୍ୟବସାୟ ମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବାରେ ସହାୟକ ହେବ ।
ଫେସବୁକ୍ ଓ ଜିଓ ମଧ୍ୟରେ ସହଭାଗିତା ଅନେକ ଦୃଷ୍ଟିରୁ ଅନନ୍ୟ, ଅଦ୍ୱିତୀୟ ଓ ଅଦ୍ଭୂତପୂର୍ବ । ବିଶ୍ୱର ଯେକୌଣସି ଦେଶରେ ଓ ସ୍ଥାନରେ କୌଣସି ଏକ ପ୍ରଯୁକ୍ତି କଂପାନି ତରଫରୁ ସଂଖ୍ୟାଲଘୁ ଅଂଶଧନରେ ଏହା ହେଉଛି ସର୍ବବୃହତ ନିବେଶ ଏବଂ ଭାରତରେ ପ୍ରଯୁକ୍ତି କ୍ଷେତ୍ରରେ ସର୍ବବୃହତ ଏଫ୍‌ଡିଆଇ ବା ବୈଦେଶିକ ପୁଞ୍ଜିନିବେଶ । ଏହି ନିବେଶ ମୂଲ୍ୟ ଜିଓ ପ୍ଲାଟଫର୍ମସ୍‌କୁ ବଜାର ପୁଞ୍ଜି ଆଧାରରେ ଭାରତର ଶ୍ରେଷ୍ଠ ୫ ତାଲିକାଭୁକ୍ତ କଂପାନି ମଧ୍ୟରେ ସ୍ଥାନ ଦେଇଛି । ଯାହା ବାଣିଜ୍ୟିକ ସେବା ଆରମ୍ଭ କରିବାର ସାଢ଼େ ତିନିବର୍ଷ ଭିତରେ ସମ୍ଭବ ହୋଇଥିବା ବେଳେ ପରବର୍ତୀ-ପିଢ଼ିର ବୈପ୍ଳବିକ ବ୍ୟବସାୟର ଆଧାର, ଉତ୍‌ଥାନ ଓ ଗଠନ କରିବା ସହ ବଜାର ନିର୍ଧାରଣ କରୁଥିବା ଅଂଶଧନକାରୀ ମୂଲ୍ୟ ପ୍ରଦାନ କରିବାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଦକ୍ଷତା ପ୍ରତି ସ୍ୱୀକୃତି ସଦୃଶ ।
ଏହି ନିବେଶ ସହିତ ଆମର ଲକ୍ଷ୍ୟ ହେଉଛି ସବୁ ଆକାରର ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟିକରିବା, ବିଶେଷ କରି ସାରା ଭାରତରେ କ୍ଷୁଦ୍ର ବ୍ୟବସାୟ ପାଇଁ ଏବଂ ଏକ ନୂତନ ଓ ଆକର୍ଷଣୀୟ ଡିଜିଟାଲ୍ ବ୍ୟବସ୍ଥା ବା ଇକୋସିଷ୍ଟମ୍ ସୃଷ୍ଟି କରିବା ଯାହା ୧୩୦ କୋଟି ଭାରତୀୟଙ୍କୁ ସଶକ୍ତ କରିିବ ଏବଂ ସେମାନଙ୍କ ଜୀବନରେ ଉନ୍ନତି ଓ ସମୃଦ୍ଧି ଆଣିବ ।
ଏହି ସହଭାଗିତା ଭାରତର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ, ଭାରତୀୟ ଲୋକ ଏବଂ ଭାରତୀୟ ଅର୍ଥନୀତିର ଆବଶ୍ୟକତାକୁ ପୂରଣ କରିବ । ବିଭିନ୍ନ ପ୍ରକାର ଡିଜିଟାଲ୍ ସେବା ଚାହୁଥିବା ଲୋକମାନଙ୍କୁ ସଶକ୍ତକରିବା ସହିତ ଏହି ସହଭାଗିତାର ଗୁରୁତ୍ୱ ଭାରତର ୬୦ ନିୟୁତ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀ, ୧୨୦ ନିୟୁତଚାଷୀ, ୩୦ ନିୟୁତ କ୍ଷୁଦ୍ର ବ୍ୟବସାୟୀ ଓ ଅଣସଂଗଠିତ କ୍ଷେତ୍ରର ନିୟୁତାଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥା ଉପରେ ରହିବ ।
କରୋନା ଭୂତାଣୁ ବିଶ୍ୱ ମହାମାରୀ କାରଣରୁ ଭାରତରେ ଏବଂ ବିଶ୍ୱ ସ୍ତରରେ ଅର୍ଥନୀତିରେ ଘଟିଥିବା ଗୁରୁତର ବିଭ୍ରାଟ ପରିପ୍ରେକ୍ଷୀରେ ଭାରତ ପାଇଁ ଏହି ସହଭାଗିତାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । କୋଭିଡ୍ ପରବର୍ତୀ ଯୁଗରେ ଭାରତୀୟ ଅର୍ଥନୀତିକୁ ପୁନଃ ଶକ୍ତିଶାଳୀ କରିବା ଲାଗି ବ୍ୟାପକ ଡିଜିଟାଲକରଣ ନିହାତି ଜରୁରୀ । ଏହା ଆମର ଏକ ମିଳିତ ବିଶ୍ୱାସ ଓ ପ୍ରତିବଦ୍ଧତା ରହିଛି ଯେ କୌଣସି ବି ଭାରତୀୟ ବ୍ୟାପକ ନୂତନ ସୁଯୋଗରୁ ବଂଚିତ ନହୁଅନ୍ତୁ, ଯେଉଁଥିରେ ସାମିଲ ରହିଛି ଭାରତର ୩୬୦ ଡିଗ୍ରି ଡିଜିଟାଲ୍ ପରିବର୍ତନ ପ୍ରକିୟାରେ ସୃଷ୍ଟି ହେବାକୁଥିବା ନୂଆ ନିଯୁକ୍ତି ଓ ନୂଆ ବ୍ୟବସାୟର ଅନେକ ସୁଯୋଗ ।
ହ୍ୱାଟସ୍‌ଆପ୍‌ରେ କ୍ଷୁଦ୍ର ବ୍ୟବସାୟକୁ ସହାୟତା ଦେବା ଏବଂ ହ୍ୱାଟସ୍‌ଆପ୍ ପ୍ଲାଟଫର୍ମକୁ ବ୍ୟବହାର କରି ରିଲାଏନ୍ସ ରିଟେଲସ୍‌ର ନିଉ-କମର୍ସ ବ୍ୟବସାୟ ଜିଓ ମାର୍ଟ ଜିଓ ପ୍ଲାଟଫର୍ମକୁ ଆହୁରି ତ୍ୱରାନ୍ୱିତ କରିବା ଲାଗି ଏହି ନିବେଶ ବୁଝାମଣା ସ୍ୱାକ୍ଷର କରିବା ଅବସରରେ ଜିଓ ପ୍ଲାଟଫର୍ମସ୍‌, ରିଲାଏନ୍ସ ରିଟେଲ୍ ଲିମିଟେଡ୍ ଓ ହ୍ୱାଟସ୍‌ଆପ୍ ମଧ୍ୟରେ ଏକ ବାଣିଜ୍ୟିକ ସହଭାଗିତା ବୁଝାମଣା ସ୍ୱାକ୍ଷରିତ ହୋଇଛି । ଭାରତରେ ଯୋଗଯୋଗରେ ରହିବା ପାଇଁ ଲୋକମାନଙ୍କୁ ଏବଂ ବ୍ୟବସାୟଗୁଡିକୁ ସହାୟତା ଦେବାରେ ହ୍ୱାଟସ୍‌ଆପ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଯେଭଳି ଅଧିକ ପାରଦର୍ଶୀ ଢ଼ଙ୍ଗରେ ପୂରଣ କରାଯାଇପାରିବ ସେଥିପାଇଁ ନିୟୁତାଧିକ କ୍ଷୁଦ୍ର ବ୍ୟବସାୟୀ, ତେଜରାତି ଦୋକାନ ଏବଂ କିରାନା ଷ୍ଟୋର୍ ଗୁଡ଼ିକ ସହଭାଗିିତାରେ ରିଲାଏନ୍ସ ରିଟେଲସ୍‌ର ନୂଆ ବାଣିଜ୍ୟିକ ପ୍ଲାଟଫର୍ମ ‘ଜିଓମାର୍ଟ’କୁ ଗଠନ କରାଯାଇଛି । ହ୍ୱାଟସ୍‌ଆପ୍‌କୁ ବ୍ୟବହାର କରି ଜିଓ ମାର୍ଟ ସହିତ କିରାନା ଦୋକାନ ଆଖପାଖରେ ରହୁଥିବା ଲୋକମାନଙ୍କୁ ଯେଭଳି ଦୋକାନୀ ନିରବଚ୍ଛିନ୍ନ ଭାବରେ ଉତ୍ପାଦ ଓ ସେବା ପ୍ରଦାନ କରିପାରିବେ ତାହାକୁ ନିଶ୍ଚିତ କରିବାଲାଗି କଂପାନି କାର୍ଯ୍ୟ କରିବ ।
ଫେସ୍‌ବୁକ୍ ସହିତ ଏହି ସହଭାଗିିତା ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମୁକେଶ ଅମ୍ବାନି କହିଛନ୍ତି ଯେ, “୨୦୧୬ରେ ଯେତେବେଳେ ରିଲାଏନ୍ସ ପକ୍ଷରୁ ଜିଓର ଶୁଭାରମ୍ଭ କରାଗଲା ସେତେବେଳେ ଭାରତର ଡିଜିଟାଲ୍ ସର୍ବୋଦୟ ସ୍ୱପ୍ନକୁ ନେଇ ଆମେ ଆଗକୁ ବଢ଼ିଥିଲୁ – ଏହା ଥିଲା ପ୍ରତିଟି ଭାରତୀୟଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଭାରତର ଅନ୍ତର୍ଭୁକ୍ତୀକରଣ ଡିଜିଟାଲ୍ ଅଭ୍ୟୁଦୟ ଓ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ସମସ୍ତ ଭାରତୀୟଙ୍କ ଲାଭ ପାଇଁ ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର, ବୃଦ୍ଧି ଓ ପୁନଃର୍ବିନ୍ୟାସ ଜାରି ରଖିବା ଲାଗି ଫେସବୁକ୍‌କୁ ଆମର ଦୀର୍ଘ-ମିଆଦୀ ସହଯୋଗୀ ଭାବେ ସ୍ୱାଗତ କରିବାର ସୁଯୋଗକୁ ନେଇ ଆମେ ଅତ୍ୟନ୍ତ କୃତଜ୍ଞ । ଜିଓ ଓ ଫେସବୁକ୍ ମଧ୍ୟରେ ସହଭାଗିତା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ପ୍ରତିଟି ଭାରତୀୟଙ୍କ ପାଇଁ ରଖିଥିବା “ଡିଜିଟାଲ୍ ଇଣ୍ଡିଆ’ ମିସନର ଦୁଇଟି ପ୍ରମୁଖ ଲକ୍ଷ୍ୟ- ସହଜ ଜୀବନଯାପନ ଓ ସହଜରେ ବ୍ୟବସାୟ କରିବାକୁ ବାସ୍ତବରେ ପରିଣତ କରିବାରେ ସହାୟକ ହେବ । କରୋନା ପରବର୍ତୀ ଯୁଗରେ, ମୋର ବିଶ୍ୱାସ ରହିଛି ଯେ ଖୁବ କମ ସମୟ ମଧ୍ୟରେ ଭାରତୀୟ ଅର୍ଥନୀତିର ସୁଧାର ଏବଂ ପୁନଃ ଉଦୟ ହେବ । ଏହି ସହଭାଗିିତା ନିଶ୍ଚିତ ଭାବରେ ଏହି ବୈପ୍ଳବିକ ପରିବର୍ତନ ଓ ପୁନଃର୍ବିନ୍ୟାସ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ ।’’
ଏହ ବୁଝାମଣା ନିୟାମକ ଏବଂ ଅନ୍ୟାନ୍ୟ ବୈଧାନିକ ମଞ୍ଜୁରି ଉପରେ ନିର୍ଭରଶୀଳ ।
ଫେସ୍‌ବୁକ୍ ଓ ଜିଓ ମଧ୍ୟରେ ଏହି ବୁଝାମଣା ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ଉପଦେଷ୍ଟା ଏବଂ ଏଜେଡ୍‌ବି ପାର୍ଟନର୍ସ ଓ ଡେଭିସ୍ ପୋଲ୍କ ଆଣ୍ଡ୍ ୱାର୍ଡୱେଲ୍ କାଉନ୍‌ସେଲ୍ ଭାବେ ପରାମର୍ଶ ପ୍ରଦାନ କରିଛନ୍ତି ।


Share It

Comments are closed.