ଯୁବ ସମାଜ ପାଇଁ ଅନନ୍ୟ ଦିଗଦର୍ଶକ – ଆହ୍ୱାନ କମ୍ବାଇନ୍ସ


ସଭ୍ୟତା ଓ ଆଧୁନିକତାର ଛାପରେ ଆଜିର ଏ ମଣିଷ କର୍ମମୟ ଜୀବନରେ ଛନ୍ଦି ହୋଇଯାଇଛି । ଆଜିର ଏହି ମଣିଷ କେବଳ ପରିବାର ସଦସ୍ୟ ଏବଂ ତାର ସ୍ୱାର୍ଥ ମଧ୍ୟରେ ସୀମିତ ରହିଯାଇଛି । କର୍ମମୟ ଜୀବନ ଭିତରେ ସେ ଭୁଲିଯାଉଛି ପ୍ରକୃତି ମା’ର ତାପ୍ରତି ଥିବା ଅବଦାନ ତଥା ପରିବେଶ, ଜୀବଜନ୍ତୁଙ୍କ ପ୍ରତି ତାର ରହିଥିବା କର୍ତ୍ତବ୍ୟ । ସେ ଜାଣିପାରୁ ନାହିଁ ଦୁଃଖୀ, ଦରିଦ୍ରଙ୍କର ଉନ୍ନତି କରିପାରିଲେ ସମାଜର ଅହେତୁକ ମଙ୍ଗଳ ହେବାସହ ତାର ମାନବ ଜନ୍ମର ପ୍ରକୃତ ସାର୍ଥକତା ପ୍ରତିପାଦନ ହୋଇପାରିବ ।
ମଣିଷ ସଭ୍ୟତାର ବିକାଶ ସହିତ ଗଢିଉଠିଛି ଯାନବାହାନ, ଶିଳ୍ପ ଓ ଯାତାୟାତ । କୁହାଯାଏ ସଭ୍ୟତାର ବିକାଶ ଘଟିଲେ ଏହାର ମୂଲ୍ୟ ସର୍ବଦା ମନୁଷ୍ୟ ଏବଂ ପ୍ରକୃତିକୁ ହିଁ ଦେବାକୁ ପଡିଥାଏ । ଯାହାଫଳରେ ପ୍ରଦୂଷଣର ମାତ୍ରା ଦିନଦିନକୁ ବଢି ଚାଲିଛି । ଏପରିକି ଶିଳ୍ପ ଏବଂ କାରିଗରୀର ଅଭିବୃଦ୍ଧି ସହ ସ୍ୱାର୍ଥବାଦୀ ମନୁଷ୍ୟ ପାଇଁ ଦିନକୁ ଦିନ ପ୍ରକୃତି ତାର ଗାରିମା ହରାଇବାରେ ଲାଗିଛି ।

ପ୍ରକୃତି, ପଶୁପକ୍ଷୀ ତଥା ଆଖାପାଖରେ ରହୁଥିବା ସମାଜର ରକ୍ଷାଣାବେକ୍ଷଣ ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଥି ପାଇଁ ଯୁବ ସମାଜର ସକ୍ରିୟ ଅଂଶ ଗ୍ରହଣ ନିତ୍ୟାନ୍ତ ଆବଶ୍ୟକ । ପରିବେଶ ଓ ମଣିଷ ପରସ୍ପର ସହ ଅଙ୍ଗାଙ୍ଗି ଭାବେ ଜଡିତ । ତେଣୁ ଯେବେ ଯେବେ ଏହା ଉପରେ ବିପଦ ଆଶିଛି ସେବେ ମଣିଷ ହିଁ ଏଥିରୁ ପ୍ରକୃତିକୁ ମୁକଳାଇବା ପାଇଁ ଚେଷ୍ଟା କରିଛି । ଏଭଳି ଏକ ସମାଜସେବୀ ଅନୁଷ୍ଠାନ ହେଉଛି ଶିଲ୍ପନଗରୀ ପାରାଦ୍ୱିପ ଅଞ୍ଚଳର ଆହ୍ୱାନ କମ୍ବାଇନ୍ସ । ଯାହା ୨୦୧୩ରେ କିଛି ଯୁବ ଗୋଷ୍ଠୀଙ୍କୁ ନେଇ ଗଢିଉଠିଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବଗୋଷ୍ଠୀଙ୍କୁ ପ୍ରକୃତିର ସୁରକ୍ଷା ଓ ସମାଜର ସେବାରେ ନିୟୋଜିତ କରାଇବା । ମାତ୍ର ୧୦ ଜଣରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲାରୁ ସ୍ୱଇଚ୍ଛାରେ ୧୦୦ରୁ ଉଦ୍ଧ୍ୱର୍ ଯୁବଗୋଷ୍ଠୀ ସାମିଲ ହୋଇ ସାମଜସେବା କରୁଛନ୍ତି । ବର୍ତ୍ତମାନ ୬ରୁ ଉଦ୍ଧ୍ୱର୍ ଯୁବ ସଂଗଠନ ସୃଷ୍ଟି ହେଲେଣି ସମାଜ ସେବା କରିବା ପାଇଁ, ଯାହାକି କିଛି ମାତ୍ରାରେ ଆହ୍ୱାନ କମ୍ବାଇନ୍ସର ଲକ୍ଷ୍ୟକୁ ପୂରଣ କରି ପାରିଛି । ଏହି ଅନୁଷ୍ଠାନକୁ ପାରାଦ୍ୱିପର ଶ୍ରେଷ୍ଠ ସାମାଜିକ ଅନୁଷ୍ଠାନ ଭାବେ ପାରଦ୍ୱିପ ମ୍ୟୁନିସପାଲିଟି ଦ୍ୱାରା ପୁରଷ୍କୃତ ହୋଇଛିି । ପରିବେଶ ସୁରକ୍ଷା କ୍ଷେତ୍ରରେ ଏହାର ଅବଦାନ ପାଇଁ ଉକ୍ତ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ଠାରୁ ପ୍ରକୃତି ମିତ୍ର ଓ ଜିଲ୍ଲା ପ୍ରଶାସନ ଠାରୁ ପ୍ରକୃତି ବନ୍ଧୁ ପୁରଷ୍କାରରେ ପୁରଷ୍କୃତ ହୋଇଛି ।

ଅନୁଷ୍ଠାନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି କନ୍ୟାଭୃଣ ହତ୍ୟା ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଏଥି ସହିତ ମହିଳା ମାନଙ୍କ ସ୍ୱାର୍ଥରକ୍ଷା ଓ ସୁରକ୍ଷା ଏବଂ ଗରିବ ଅଶିକ୍ଷିତ ତଥା ସମାଜରେ ଅବହେଳିତ ଜାତିର ପିଲାମାନଙ୍କୁ ବସ୍ତି ଅଞ୍ଚଳ ଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଉଛି । ପରିବେଶ ପାଇଁ କ୍ଷତିକାରକ ବର୍ଜ୍ୟବସ୍ତୁ ଓ ଏହାର ସଠିକ ଉପଯୋଗ ପାଇଁ ବିଭିନ୍ନ ବସ୍ତି ଓ ବଜାର ଅଞ୍ଚଳରେ ସଚେତନତା ଅଭିଯାନ ଓ ବିରଳ ସାମୁଦ୍ରିକ ଜୀବମାନଙ୍କ ସୁରକ୍ଷା ଓ ରକ୍ଷଣା ବେକ୍ଷଣା ପାଇଁ ମତ୍ସ୍ୟଜୀବି ଓ ସାମୁଦକୂଳ ବାସୀଙ୍କ ଶିକ୍ଷାଦାନ ପାଇଁ ସଚେତନତା ସୃଷ୍ଟିକରିଆସୁଛି । ଏହା ସହିତ ଗ୍ରୀଷ୍ମରୂତୁ ଓ ବିଭିନ୍ନ ପର୍ବପର୍ବାଣୀରେ ପାନୀୟ ଜଳକଷ୍ଠ ଦୂର କରିବା ପାଇଁ ମାଗଣା ଦହି ପାଣି ବଣ୍ଟନ କରାଯାଏ । ପ୍ରତିବର୍ଷ ନବବର୍ଷକୁ ନିଆରା ଢଙ୍ଗରେ ପାଳନ ସହ ସମାଜକୁ ଏକ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରକ୍ତଦାନ ଓ ଗରିବମାନଙ୍କୁ ଖାଦ୍ୟଦାନ କରି ଅଭିନବ ଢଙ୍ଗରେ ପାଲନ କରାଯାଇଥାଏ । ସ୍ୱାସ୍ଥ୍ୟ ଏବଂ ଏହାର ସୁରକ୍ଷା ପାଇଁ ବସ୍ତି ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରି ମାନବିକତାର ମହତ ଗୁଣକୁ ବଜାୟ ରଖିଛି ।


Share It

Comments are closed.