ଅଣ୍ଡର ୧୯ ବିଶ୍ୱକପ୍ ଚାଲିିଥିବା ବେଳେ ଭୂମିକମ୍ପରେ ଥରିଲା ପଡ଼ିଆ ଓ କମେଣ୍ଟ୍ରି ବକ୍ସ, ଭିଡିଓ ଭାଇରାଲ


ଅଣ୍ଡର୧୯ ବିଶ୍ୱକପ୍‌ ପାଇଁ ଖେଳ ଚାଲିଥିବା ବେଳେ ଥରିଲା ଖେଳପଡ଼ିଆ ଓ କମେଣ୍ଟ୍ରି ବକ୍ସ। କମେଣ୍ଟ୍ରି କରୁଥିବା କମେଣ୍ଟେଟର ବି କହିଲେ, ଏମିତି ଲାଗୁଛି ଯେମିତି ଭୂମିକମ୍ପ ହେଉଛି। ପ୍ରକୃତରେ ତାହା କମେଣ୍ଟେଟରଙ୍କ ଭାବନା ନଥିଲା, ସତକୁ ସତ ଭୂମିକମ୍ପ ହିଁ ହୋଇଥିଲା। ଯାହା କ୍ୟାମେରାରେ କଏଦ ହେବା ପରେ ଜଣାପଡ଼ିଛି।

ଶନିବାର ଆୟରଲ୍ୟାଣ୍ଡ ଜିମ୍ବାୱେ ମଧ୍ୟରେ ତ୍ରିନିନାଦ ପୋର୍ଟ ଅଫ୍ ସ୍ପେନ୍‌ର ଥିବା କ୍ୱିନ୍ ପାର୍କ ଓଭାଲରେ ସେମିଫାଇନାଲ ମ୍ୟାଚ ଚାଲିଥିବା ବେଳେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ କମେଣ୍ଟ୍ରି ବକ୍ସ ଥରିଥିବା ବେଳେ ପଡ଼ିଆରେ କିନ୍ତୁ ଖେଳ ଜାରି ରହିଥିଲା। ଭୂମିକମ୍ପରେ ପଡ଼ିଆରେ ଲାଗିଥିବା କ୍ୟାମେରା ପ୍ରବଳ ମାତ୍ରାରେ ଥରିବାକୁ ଲାଗିଥିଲା। ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଛି।
ସୂଚନା ଅନୁସାରେ, ପୋର୍ଟ ଅଫ୍ ସ୍ପେନ୍‌ର ଉପକୂଳରୁ କେନ୍ଦ୍ରୀଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୨ ମପାଯାଇଛି। ଖେଳରେ କମେଣ୍ଟ୍ରି କରୁଥିବା ଆନ୍ଦ୍ରିୟୁ ଲିଓନାର୍ଡ କମେଣ୍ଟ୍ରି ସମୟରେ ଭୂମିକମ୍ପ ସମ୍ପର୍କରେ ମଧ୍ୟ କହିଥିଲେ। କମେଣ୍ଟ୍ରି ବକ୍ସ ଭୂମିକମ୍ପରେ ଥରି ଉଠିଛି। ପାଖାପାଖି ୧୫-୨୦ ସେକେଣ୍ଡ ଭୂମିକମ୍ପ ହୋଇଛି। ତେବେ ଡରିବାର କିଛି ନାହିଁ ବୋଲି ଲିଓନାର୍ଡ କମେଣ୍ଟ୍ରିରେ କହିଥିଲେ। ସାମ୍ବାଦିକ ପିଟର ଡେଲ୍ଲା ଭୂମିକମ୍ପ ସମୟର କମେଣ୍ଟ୍ରିର କିଛି ଅଂଶକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି।

ଏପଟେ ଭୂମିକମ୍ପ ହୋଇଥିବା ବେଳେ ମ୍ୟାଚ୍ ଜାରି ରହିଥିଲା। ଏହି ମ୍ୟାଚ୍‌ରେ ଆୟରଲ୍ୟାଣ୍ଡ ଜିମ୍ବାୱେକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଆୟରଲ୍ୟାଣ୍ଡ ପକ୍ଷରୁ ମୁଜାମିଲ ଶେରଜାଦା ୫ ୱିକେଟ୍ ନେଇଥିବା ବେଳେ ଜିମ୍ବାୱେ ମାତ୍ର ୧୬୬ ରନ୍ କରିପାରିଥିଲା। ଅନ୍ୟପଟେ ବ୍ୟାଟିଂ ଲାଇନ୍‌ରେ ଆୟରଲ୍ୟାଣ୍ଡ ଅଧିନାୟ ଟିମ ଟେକ୍ଟର ଏବଂ ଜ୍ୟାକ ଡିକ୍‌ସନ ୭୦ ରନ୍‌ର ନଟ୍‌ଆଉଟ୍ ପାଳି ଖେଳିଥିଲେ। ମାତ୍ର ୩୨ ଓଭରରେ ଦଳ ଜିମ୍ବାୱେ ଦେଇଥିବା ଟାର୍ଗେଟକୁ ପୂରା କରିନେଇଥିଲା।


Share It

Comments are closed.