ଦୁର୍ଗମ ପାହାଡ଼ିଆ ରାସ୍ତାରେ ଗର୍ଭବତୀଙ୍କୁ ଭାରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ରାୟଗଡ଼ା: ବିଭିନ୍ନ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ସେମାନଙ୍କର ନିଃସ୍ୱାର୍ଥପର ସେବା ଏବଂ କର୍ତବ୍ୟନିଷ୍ଠା ପାଇଁ ପ୍ରଶଂସିତ ହୋଇଛନ୍ତି । ଯାହାର ଅନେକ ଜ୍ୱଳନ୍ତ ଉଦାହରଣ ଆମକୁ ଦେଖିବାକୁ ମଧ୍ୟ ମିଳିଛି । ବର୍ତମାନ ସମାନ ଧରଣର ଏକ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ଘଟଣାନୁଯାୟୀ ଚଳିତ ଜାନୁଆରୀ ୨୮ ତାରିଖ ଦିନ ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ କଦମା ପଂଚାୟତ ବୁରୁଡ଼ି ଗ୍ରାମରୁ ପ୍ରେମୀ ମାଝୀ ନାମକ ଜଣେ ଗର୍ଭବତୀଙ୍କ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସକୁ ଏକ ଫୋନ କଲ ଆସିଥିଲା । ଖବର ପାଇବା ମାତ୍ରେ ଇଏମଟି ଜ୍ଞାନରଞ୍ଜନ ନାୟକ, ଡ୍ରାଇଭର ଅଚ୍ୟୁତ କୁମାର ଓଡ଼ିଆ ଏବଂ ସହାୟକ ପ୍ରମୋଦ ଜେନାଙ୍କୁ ନେଇ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଗର୍ଭବତୀଙ୍କ ଗ୍ରାମ ଅଭିମୁଖେ ବାହାରିଯାଇଥିଲା । କିନ୍ତୁ ଗାଁ କୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବା କାରଣରୁ ଆମ୍ବୁଲାନ୍ସ ଆଗକୁ ବଢ଼ିପାରିନଥିଲା । ଯାହାପରେ ଆମ୍ବୁଲାନ୍ସ କର୍ମୀମାନେ ସେହିସ୍ଥାନରେ ଆମ୍ବୁଲାନ୍ସ ଛାଡ଼ି ଅଣଓସାରିଆ ଏବଂ ପାହାଡ଼ିଆ ରାସ୍ତା ଦେଇ ଚାଲି ଚାଲି ଯାଇ ରୋଗୀଙ୍କ ଘର ନୀକଟରେ ପହଂଚିଥିଲେ ଏବଂ ସେଠାରୁ ରୋଗୀଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଜଙ୍ଗଲି ରାସ୍ତା ଦେଇ ପ୍ରାୟ ୫ କି.ମି ପର୍ଯ୍ୟନ୍ତ ଭାରରେ ବୋହି ଆଣି ଆମ୍ବୁଲାନ୍ସ ନୀକଟରେ ପହଂଚାଇଲେ । ଏହାପରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ସଭିଏଁ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।


Share It

Comments are closed.