ଦେଶର ୧୧୫ଟି ପଛୁଆ ଜିଲ୍ଲାର ବିକାଶ କାମରେ ଲାଗୁ ରୋଟାରି ସଂଗଠନ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ମଇ ୨୪ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ କରିଛନ୍ତି । ସମଗ୍ର ଦେଶରେ ୧୧୫ଟି ପଛୁଆ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଖୋଦ୍ ଆକାଂକ୍ଷୀ ଜିଲ୍ଲା ଭାବେ ପରିଗଣିତ କରିଥିବା ବେଳେ ରୋଟାରି ସଂଗଠନ ଏହି ସବୁ ପଛୁଆ ଜିଲ୍ଲାର ଦାୟିତ୍ୱ ନେବା ସହ ବିକାଶ କରିବା କାମରେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ରୋଟାରି ସଂଗଠନକୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଆକାଂକ୍ଷୀ ଜିଲ୍ଲା ଗୁଡିକ ବିକାଶ ହେଲେ ହିଁ ଦେଶର ଆର୍ଥିକ ବିକାଶ ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତ ଦେଶ ସମେତ ବିଶ୍ୱର ଶ୍ରୀଲଙ୍କା, ପାକିସ୍ତାନ, ବାଲାଂଦେଶ ଓ ଅନେକ ଦେଶର ରୋଟାରି ସଂଗଠନର ୫୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ବେଳେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ବିଶ୍ୱର କୋଭିଡ-୧୯ ସଂକଟ ସମୟରେ ସ୍ୱଚ୍ଛାସେବୀ ସଂଗଠନ ପରି ରୋଟାରୀ ସମାଜ ଭାରତରେ ଯେଉଁଭଳି ଭାବେ ଲୋକମାନଙ୍କ ପାଇଁ କାମ କରୁଛନ୍ତି ତାହା ପ୍ରଶଂସନୀୟ । ବିଶେଷ ଭାବରେ ଦେଶରେ ଚ୍ୟାଲେଞ୍ଜ ଆସିଲେ ରୋଟାରୀ ସଂଗଠନ ପ୍ରସ୍ତୁତି ଓ ପରିଚାଳନାରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି ।
ସେ କହିଛନ୍ତି ଯେ ଏହି ସଂକଟ ସମୟରେ ଦେଶରେ ରୋଟାରି ସଂଗଠନ ପକ୍ଷରୁ ଲୋକଙ୍କୁ ମାସ୍କ, ସାନିଟାଇଜର, ପିପିଇ କିଟ୍‌, ବଂଟନ କରାଯିବା ସହ ସ୍ୱାସ୍ଥ୍ୟ ଶିବିର, ଖାଦ୍ୟ ମଧ୍ୟ ଅସହାୟ ଲୋକମାନଙ୍କୁ ଯୋଗାଇ ଦିଆଯାଇଛି । ଏପରିକି କରୋନା ମୁକାବିଲାରେ ଦେଶକୁ ମଜବୁତ୍ କରିବା ପାଇଁ ପିଏମ କେୟାର୍ସ ଫଣ୍ଡକୁ ମଧ୍ୟ ସଂଗଠନ ପକ୍ଷରୁ ଦାନ କରାଯାଇଛି । ବିଗତ ଦୁଇ ମାସରେ ସଂଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଶେଷ ଭାବରେ ଭାରତ କରୋନା ମୁକାବିଲାରେ ରୋଟାରି ସଂଗଠନର ନିରନ୍ତର କାର୍ଯ୍ୟ ଓ ଉଦ୍ୟମ ପ୍ରଂଶସନୀୟ । କରୋନା ପରବର୍ତୀ ସମୟରେ ମଧ୍ୟ ଏହି ସଂଗଠନ ତାହାର ଲକ୍ଷ୍ୟରେ ପହଁଚୁ ଏବଂ ବିଶେଷ ଭାବରେ ଲୋକଙ୍କ ଦକ୍ଷତା ବୃଦ୍ଧି କରିବା କାମରେ ଲାଗୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଦକ୍ଷତା ଏବଂ ଅର୍ଥନୀତି ସେତେ ପର୍ଯ୍ୟନ୍ତ ବିକାଶ ହେବନାହିଁ ଯେ ପର୍ଯ୍ୟନ୍ତ ୧୮ ରୁ ୬୦ ବର୍ଷ ବୟସ ଗ୍ରୁପର ଲୋକମାନେ ନିଜର କାମରେ ଭଲ ଦକ୍ଷତାର ପରିପ୍ରକାଶ କରିବେ ନାହିଁ । ଛୋଟ ବେଳ ସମୟରେ ସ୍କୁଲରୁ ଆରମ୍ଭ କରି କର୍ମକ୍ଷେତ୍ରରେ ସମସ୍ତଙ୍କର ଦକ୍ଷତା ରହିବା ଦରକାର । ଏହିଭଳି ରୋଟାରୀ ସଂଗଠନ ମଧ୍ୟ ଦକ୍ଷତାର ନୂଆ ଅଭିନବ ପଦକ୍ଷେପ ମାଧ୍ୟମରେ ଲୋକଙ୍କ ବିକାଶ କରିବା କାମରେ ଲାଗୁ । ସେହିପରି ପିଲାଙ୍କ ଇ-ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ରୋଟାରି ସଂଗଠନକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।
୧୯୧୮ ମସିହା ସ୍ପାନିଶ ଫ୍ଲୁ ସମୟରେ ଯେଉଁ ଦେଶ ଅର୍ଥନୀତିକୁ ଧ୍ୟାନ ନଦେଇ ଲୋକଙ୍କ ଜୀବନ ରଖିବାକୁ ପ୍ରଧାନ୍ୟ ଦେଇଥିଲେ ପରବର୍ତୀ ସମୟରେ ସେ ଦେଶର ଅର୍ଥନୀତି ଦୃଢ ହୋଇଥିଲା । ସେହି ପରିପ୍ରେକ୍ଷୀରେ ମୋଦି ସରକାର ମଧ୍ୟ ଲୋକଙ୍କ ଜୀବନ ବଂଚାଇବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦୃଷ୍ଟି ସମ୍ପନ୍ନ କରୋନା ମୁକାବିଲା ଭାରତକୁ ଲାଭ ଦେଇଛି ।
ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସୁରକ୍ଷାକୁ ପ୍ରଥମେ ପ୍ରଥମେ ଗରିବ କଲ୍ୟାଣ ପ୍ୟାକେଜ ଏବଂ ପରବର୍ତୀ ପର୍ଯ୍ୟାୟରେ ଅର୍ଥନୀତିକୁ ପୁନର୍ବାର ମଜବୁତ କରିବା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ତିନି ମାସ ପାଇଁ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ଯୋଗାଯାଉଛି । ଚାଷୀ, ଦିବ୍ୟାଙ୍ଗଙ୍କୁ ଟଙ୍କା ଓ ଡିବିଟି ମାଧ୍ୟମରେ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ସିଧାସଳଖ ଟଙ୍କା ପଠାଯାଉଛି । ସମସ୍ତେ ମିଶି ଏହି କରୋନା ରୂପୀ ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ରୋଟାରୀ କ୍ଲବର ପ୍ରତିନିଧି ମାନଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା ସହ ଅନ୍ୟଙ୍କୁ ମଧ୍ୟ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ ।
ଉଲ୍ଲେଖନୀୟ ଯେ, ଭାରତ ରୋଟାରି ସଂଗଠନର ପ୍ରମୁଖ ଶେଖର ମେହେତା ଓ ରମେଶ ଅଗ୍ରୱାଲ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଅନ୍ୟ ରାଷ୍ଟ୍ର ଅପେକ୍ଷା ଭାରତ ଭଲ ସ୍ଥିତିରେ ଅଛି ଏବଂ ଭାରତ ସରକାରଙ୍କ ଉତମ ପରିଚାଳନା ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକାଂକ୍ଷୀ ଜିଲ୍ଲାର ବିକାଶ କରିବା କାମରେ ଲାଗିବା ଏବଂ ପିଲାଙ୍କ ଇ-ଶିକ୍ଷା କାମରେ ଲାଗିବା ପରାମର୍ଶକୁ ସଂଗଠନର ପ୍ରତିନିଧିମାନେ ସ୍ୱାଗତ କରିବା ସହ ଧନ୍ୟବାଦ ଦେଇଥିଲେ ।


Share It

Comments are closed.