ଆସୁଛି ହୋଲି, ଏଥର ଇକୋ ଫ୍ରେଣ୍ଡଲି ରଙ୍ଗ


ଆସୁଛି ରଙ୍ଗର ପର୍ବ ହୋଲି । ହଳଦି, ଗୋଲାପି, ସବୁଜ ଓ ଲାଲ୍‌ ଆଦି ରଙ୍ଗରେ ରଙ୍ଗେଇ ହେବେ ଲୋକେ । କିଏ ପ୍ରଭୁଙ୍କ ପ୍ରେମରେ ହଜିବେ ତ ଆଉ କିଏ ନିଜ ଲୋକଙ୍କୁ ରଙ୍ଗରେ ଭିଜାଇବେ । ହେଲେ କରୋନା ପାଇଁ ଦଳଗତ ହୋଲି ଖେଳରେ ଲାଗିଛି ରୋକ୍‌ । ସେଥିପାଇଁ ରଙ୍ଗ ପେଡ଼ି ନିଜ ନିଜ ଘରେ ଖୋଲିବେ । ସରକାରଙ୍କ କଡ଼ା ନିୟମ ସତ୍ତେ୍ୱ ରାଜଧାନୀରେ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି, ବୟସ୍କ ସମସ୍ତେ ହୋଲିକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେଥିପାଇଁ ବଜାରରେ ରଙ୍ଗର ପସରା ଖୋଲି ଗଲାଣି । କିନ୍ତୁ ବଜାରକୁ ଆସିନି ଅଧିକ ରଙ୍ଗ । ଆଗ ଅପେକ୍ଷା କାଣ୍ଟଛାଣ୍ଟ କରି ଦୋକାନୀ ରଙ୍ଗ ବିକିବା ଆରମ୍ଭ କରିଛନ୍ତି । ଲୋକେ ରାସାୟନିକ ରଙ୍ଗଠାରୁ ଦୂରେଇ ହର୍ବାଲ ରଙ୍ଗ ଆଡ଼କୁ ମୁହାଁଉଛନ୍ତି । ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବିନା କେମିକାଲ ଫଗୁ ଆଣିଛନ୍ତି ।

ହୋଲି ପାଇଁ ମାଉସୀ ମା’ ଛକ, ସହିଦନଗର, ବିଭିନ୍ନ ହାଟ, ଆଇଡି ମାର୍କେଟ, ସିଆର୍‌ପି, ୟୁନିଟ୍‌-୧ ହାଟରେ ରଙ୍ଗର ପସରା ଖୋଲିଛି । ଗୋଲାପି, ନାରଙ୍ଗି, ନୀଳ, ନାଲି, ହଳଦି ପରି ଅନେକ ରଙ୍ଗ ବିକ୍ରି ହେଲାଣି । ମାଉସୀ ମା’ ଛକରେ ରଙ୍ଗ ଦୋକାନ ଖୋଲିଥିବା ମିଥୁନ ସାହୁ କହିଛନ୍ତି, ଏଥର ବେଶି ଭେରାଇଟି ରଙ୍ଗ ବିକ୍ରି କରୁନାହୁଁ । ରଙ୍ଗ ଓ ପିଚ୍‌କାରୀ ଆଦିର ଦାମ୍‌ ମଧ୍ୟ ବଢ଼ିଯାଇଛି । ରାସାୟନିକ ରଙ୍ଗରୁ ଦୂରେଇ ରହି ଅବିର, ହର୍ବାଲ ରଙ୍ଗ ବି ବିକ୍ରି କରୁଛୁ । ବିଭିନ୍ନ ରଙ୍ଗର ଅବିର କେଜି ୨୦୦ ଟଙ୍କାରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥର ରଙ୍ଗିନ ବାଣର ଚାହିଦା ଅଧିକ ରହିଛି । ଏହି ବାଣରେ ବିଭିନ୍ନ ରଙ୍ଗ ରହିଛି । ଗୋଟିଏ ପିସ୍‌ର ଦାମ୍‌ ୬୦ ଟଙ୍କା । ସେହିପରି କଲର ସ୍ପ୍ରେ’ର ଦାମ୍‌ ୧୪୦ରୁ ୧୮୦ ଟଙ୍କା, ମୁର୍ଗା ରଙ୍ଗ ବା ପାଣି ରଙ୍ଗ ଗୋଟେ ପିସ୍‌ ୨୦ ଟଙ୍କା ରହିଛି । ରଙ୍ଗ ସବୁ ଖୋର୍ଦ୍ଧା, ଜଟଣୀ, କଟକରୁ ଆସିଛି ।
ମୁହଁରେ ମୁଖା ଲଗାଇ ରଙ୍ଗଖେଳ ହେବ । ମୁହଁକୁ ରଙ୍ଗର ପ୍ରଭାବକୁ ଦୂରେଇ ରଖିବା ଲାଗି ଭଳିକି ଭଳି ମୁଖା ମିଳୁଛି । ଯାହାକୁ ପିନ୍ଧି ହୋଲି ଖେଳିବେ । ଦୋକାନରେ ମାଙ୍କଡ଼, ରାକ୍ଷାସ, ମୋଦି, ଭାଲୁ, ବାଘ ପରି ଅନେକ ମୁଖା ବିକ୍ରି ହେଉଛି । ଯାହାର ଦାମ୍‌ ଜିନିଷର କ୍ୱାଲିଟି ହିସାବରେ ରହିଛି । କେଶରେ ରଙ୍ଗ ନଲାଗିବା ପାଇଁ ଟୋପି ଓ କୃତ୍ରିମ କେଶ ମଧ୍ୟ ବଜାରରେ ମିଳୁଛି ।


Share It

Comments are closed.