୭୪ ବର୍ଷରେ ଭୁବନେଶ୍ୱର,​‌ ଆଜି ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ


ଭୁବନେଶ୍ୱରର ପ୍ରତିଷ୍ଠାକୁ ପୂରିଛି ୭୩ ବର୍ଷ। ଆଜି ଭୁବନେଶ୍ୱର ପାଳୁଛି ତାର ୭୪ ତମ ପ୍ରତିଷ୍ଠା ଦିବସ। ହେଲେ କଳା, ସଂସ୍କୃତି, ଐତିହ୍ୟ ଆଉ ଇତିହାସର ମୂକସାକ୍ଷୀ ପାଲଟିଥିବା ଭୁବନେଶ୍ୱର ଦେଖିଛି ଅନେକ କିଛି। ତିନିହଜାର ବର୍ଷ ପୂରୁଣା ଏହି ମନ୍ଦିରମାଳିନୀ ନଗର। ଖ୍ରୀଷ୍ଟାବ୍ଦ ପରେ ଖ୍ରୀଷ୍ଟାବ୍ଦର ସ୍ରୋତରେ ଏଇ ଭୁବନେଶ୍ୱରରେ ଗଢ଼ି ଉଠିଛି ପାଖାପାଖି ୬୦୦ରୁ ଅଧିକ ମନ୍ଦିର। ସେ ଲିଙ୍ଗରାଜ ମନ୍ଦିର ହେଉ ବା ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ହେଉ ଅବା କେଦାରଗୌରୀ, ଭୁବନେଶ୍ୱରର ପରିଚୟ ଏଇ ସବକୁ ନେଇ। ସୂଚନା ଥାଉକି ଭୁବନେଶ୍ୱରର ନାମକରଣ ଭଗବାନ ଶିବଙ୍କର ତ୍ରି ଭୁବନେଶ୍ୱର ନାମକୁ ନେଇ ହୋଇଛି। ପାଖାପାଖି ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଏଇ ନଗର, ଯେଉଁମାନଙ୍କ ରାଜଧାନୀ ଥିଲା ଶିଶୁପାଳଗଡ଼ରେ।

ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ। ଦେଶ ସ୍ୱାଧୀନ ହେବାର ବର୍ଷେ ପରେ ଅର୍ଥାତ୍ ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା ଭୁବନେଶ୍ୱର ଏବଂ କଟକ ଏକାସାଙ୍ଗେ ଓଡ଼ିଶାର ଟ୍ୱିନ ସିଟି ବା ଦୈତ ସ‌ହ‌ର ଭାବେ ଜଣାଶୁଣା।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଭୁବନେଶ୍ୱରକୁ ଏକ ମନମୁଗ୍ଧକର ନଗରୀରେ ଗଢ଼ି ତୋଳିବାରେ ଜର୍ମାନୀର ସ୍ଥାପତ୍ୟ ଶିଳ୍ପୀ “ଅଟୋ କଏନ୍ସବର୍ଗର” ୧୯୪୬ରେ ଏକ ନକ୍ସା ପ୍ରସ୍ତୁତ କରିଥିଲେ। ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା। ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନସଭା ସାମ୍ନାରେ ଥିବା ପାଚେରୀ ପାଖରେ ରହିଛି। ୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ତାରିଖ ଦିନ, “ଭୁବନେଶ୍ୱର ପ୍ରତିଷ୍ଠା ଦିବସ” ଭାବରେ ପାଳନ କରାଯାଏ। ଚଳିତ ବର୍ଷ ତିନିଦିନ ହେବ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ପାଳନ କରାଯିବ।


Share It

Comments are closed.