ସ୍ୱାସ୍ଥ୍ୟ ପାଇଁ ଉପକାରୀ କେତେ ପଇଡ ପାଣି, ଆସନ୍ତୁ ଜାଣିବା


ପଇଡ ପାଣି ସାଧାରଣ ପାନୀୟ ହେଲେ ମଧ୍ୟ ଏହାର ବହୁ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ରହିଛି । ଏହା ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ଉପଶମ ପ୍ରଦାନ କରିଥାଏ । ଏହା ଓଜନ କମ କରିବା, ହଜମ କ୍ରିୟା ବୃଦ୍ଧି, କଲେରାରୁ ମୁକ୍ତି, କୋଲେଷ୍ଟ୍ରୋଲ ସ୍ତର ଇତ୍ୟାଦି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଖରାଦିନ ହେଉ ବା ବର୍ଷା ବା ଶୀତ ପଇଡ ପାଣି ଶରୀର ପାଇଁ ଖୁବ ହିତକର । ମୃଦୁ ପାନୀୟ, ଥଣ୍ଡା ପାନୀୟ ପିଇବାକୁ ଭଲ ପାଉଥିବା ବର୍ତ୍ତମାନର ଯୁବ ପିଢି ପଇଡ ପାଣି ପିଇପାରିବେ ଏବଂ ଏହାର ବିିଭିନ୍ନ ଉପକାରିତାର ଲାଭ ଉଠାଇ ପାରିବେ । ସତେଜ ପଇଡ ପାଣିରେ ବହୁ ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ , ଏମିନୋ ଏସିଡ, ଏନଜାଇମ, ଭିଟାମିନ ଏବଂ ମିନେରାଲ ରହିଥାଏ । ଆସନ୍ତୁ ଜାଣିବା ଏହାକୁ ପିଇବାର କିଛି ଉପକାରିତା ସମ୍ପର୍କରେ ।

୧. ଓଜନ କମ କରିବାରେ ସାହାଯ୍ୟ କରେ – ପଇଡ ପାଣି ଉଭୟ ଭୋକ ଏବଂ ଶୋଷ ମେଣ୍ଟାଇଥିଲେ ମଧ୍ୟ ଓଜନ ବୃଦ୍ଧି ହୋଇନଥାଏ । ଏଥିରେ ଥିବା ପୋଟାସିୟମ ଶରୀରରେ ଅତ୍ୟଧିକ ମାତ୍ରାର ସୋଡିୟମକୁ ନିୟନ୍ତ୍ରଣ କରିଥାଏ । ଏହା ଶରୀରରେ ଥିବା ବର୍ଜ ବସ୍ତୁକୁ ମଧ୍ୟ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ ଏବଂ କୋଲେଷ୍ଟ୍ରୋଲର ମାତ୍ରା କମ କରି ଓଜନ ହ୍ରାସ କରିଥାଏ ।

୨. ହଜମ କ୍ରିୟା ସୁଦୃଢ କରିବାରେ – ପଇଡରେ ଥିବା ଫାଇବର ହଜମ କ୍ରିୟାକୁ ବୃଦ୍ଧି କରିଥାଏ । ପ୍ରତିଦିନ ପଇଡ ପାଣି ପିଇବା ଦ୍ୱାରା ଏସିଡିଟି ପରି ଅସୁବିଧାରୁ ଏହା ମୁକ୍ତି ପ୍ରଦାନ କରିଥାଏ । ଡାଇରିଆ, ଗ୍ୟାସ,ବାନ୍ତି,ଡିସେଣ୍ଟ୍ରି ଇତ୍ୟାଦି ସମସ୍ୟାରୁ ପଇଡ ପାଣି ଖୁବ ଶୀଘ୍ର ମୁକ୍ତି ପ୍ରଦାନ କରିଥାଏ ।

୩. ଶରୀର ଓ ତ୍ୱଚା ହ୍ରାଇଡେଟ ହେବା – ପଇଡ ପାଣି ଦ୍ୱାରା ସମ୍ପୂର୍ଣ୍ଣ ଶରୀର ହାଇଡ୍ରେଟ ହୋଇଥାଏ ଏବଂ ଡିହାଇଡ୍ରେସନ ଜନିତ ମୁଣ୍ଡ ବିନ୍ଧା, ମାଇଗ୍ରେନରୁ ମୁକ୍ତି ପ୍ରଦାନ କରିଥାଏ । ଏହା ସାଧାରଣ କୌଣସି ପାନୀୟ ଅପେକ୍ଷା ତତକ୍ଷଣାତ୍ ସତେଜତା ପ୍ରଦାନ କରିଥାଏ । ତ୍ୱଚା ହାଇଡ୍ରେଟ ହୋଇ ରୁକ୍ଷତା ପରି ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ପିଇବା ଦ୍ୱାରା ଏହା ତ୍ୱଚାରେ ଚମକ ଆଣିବା ସହିତ ବ୍ରଣ ସମସ୍ୟା, କଳା ଦାଗ ଇତ୍ୟାଦି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ମୁହଁରେ କଳା ଦାଗ ଏବଂ କିଛି ଚିହ୍ନ ଥିଲେ ଆପଣ ପ୍ରତିଦିନ ପଇଡ ପାଣିକୁ ମୁହଁରେ ମସାଜ କରିପାରିବେ ଏହା ଦ୍ୱାରା ବ୍ରଣ ଏବଂ ଦାଗ ଜନିତ ସମସ୍ୟା ଦୂର ହୋଇଥାଏ ।

୪. ରକ୍ତ ଚାପ କମ କରିବା – ରକ୍ତ ଚାପ କମ କରିବା ପାଇଁ ପଇଡ ପାଣି ଖୁବ ଉପକାରୀ । ଏଥିରେ ଥିବା ଭିଟାମିନ ସି, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରକ୍ତ ଚାପ କମ କରିବାରେ ସାହାଯ୍ୟ କରିଥାଏ । ଏକ ଗବେଷଣା ଅନୁଯାୟୀ ପଇଡ ପାଣି ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ ।

୫. ରକ୍ତ ଶର୍କରା ବା ଡାଇବେଟିସ ନିୟନ୍ତ୍ରଣ କରିଥାଏ – ପଇଡ ପାଣିରେ ଥିବା ଏମିନୋ ଏସିଡ ଏବଂ ଡାଏଟାରି ଫାଇବର ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିବା ସହିତ ଇନସୁଲିନର ମାତ୍ରା ବୃଦ୍ଧି କରିଥାଏ । ଏହା ଡାଇବେଟିସ ରୋଗୀଙ୍କର ଓଜନ ନିୟନ୍ତ୍ରଣ କରିଥାଏ । ଏହା ଦ୍ୱାରା ଆଣ୍ଠୁ ଗଣ୍ଠିରେ ହେଉଥିବା ଫୁଲା, ବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ ।

୬. ଶରୀରରେ ପିଏଚ ସ୍ତର ନିୟନ୍ତ୍ରଣ କରିଥାଏ – ଚିନ୍ତା, ଟକ୍ସିକ ଯୁକ୍ତ ଖାଦ୍ୟ,ଏସିଡ ସୃଷ୍ଟି କରୁଥିବା ଖାଦ୍ୟ ଏବଂ ଫାଷ୍ଟ ଫୁଡ ଶରୀରରେ ପିଏଚର ସ୍ତରକୁ ଏସିଡିକ କରାଇଥାଏ ଯାହା ଫଳରେ ଶରୀରରେ ଏନର୍ଜିର ମାତ୍ରା କମ ହୋଇଯାଏ ଏବଂ ଶରୀର ଦରକାରୀ ଭିଟାମିନ ଏବଂ ମିନେରାଲ ଗ୍ରହଣ କରିପାରେ ନାହିଁ । ତେଣୁ ପଇଡ ପାଣି ଶରୀରର ପିଏଚ ସ୍ତରକୁ ନିୟନ୍ତ୍ରଣ କରି ଶରୀରରେ ଏସିଡର ମାତ୍ରା କମ କରାଇଥାଏ ।

୭. ହୃଦ୍ ଜନିତ ସମସ୍ୟାରୁ ମୁକ୍ତି – ପଇଡ ପାଣି ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲର ପରିମାଣ କମ ହୋଇଥାଏ । ଏହା ଦ୍ୱାରା ହୃଦୟ ଏବଂ ଆର୍ଟେରିରେ କୋଲେଷ୍ଟ୍ରୋଲର ମାତ୍ରା କମ ହୋଇଥାଏ ଯାହା ଫଳରେ ହାର୍ଟ ସୁସ୍ଥ ହେବା ସହିତ ଷ୍ଟ୍ରୋକ ଏବଂ ହୃଦଘାତ ଜନିତ ସମସ୍ୟା ଦୂର ହୋଇଥାଏ ।

୮. ଲିଭର ବା ଯକୃତକୁ ସୁରକ୍ଷିତ କରିଥାଏ – ଟେଣ୍ଡର ତଥା କଞ୍ଚା ପଇଡ ପାଣିରେ ହେପାଟୋ ପ୍ରୋଟେକ୍ଟିଭ ଗୁଣବତ୍ତା ରହିଛି ଯାହା ଲିଭର ତଥା ଯକୃତ ପାଇଁ ଖୁବ ଭଲ । ଏହାର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଯକୃତରୁ ବହୁ ଅଦରକାରୀ ଟକ୍ସିନ ଦୂର କରିଥାଏ ।

୯. କିଡନୀର କାର୍ଯ୍ୟକଳାପକୁ ସୁଦୃଢ କରିଥାଏ – ବର୍ତ୍ତମାନ ଅଧିକରୁ ଅଧିକ ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ଏବଂ ପୋଟାସିୟମର ମାତ୍ରା ଖୁବ କମ ରହିଛି । ସୋଡିୟମ ଦ୍ୱାରା କିଡନୀରେ ଅଧିକ ମାତ୍ରାରେ ପ୍ରଭାବ ପଡିଥାଏ ଏବଂ ଶରୀରରୁ ଅନାବଶ୍ୟକ ଜଳ ନିଷ୍କାସନ କରିବା ପାଇଁ ଅଧିକ କଷ୍ଟ କରିବାକୁ ପଡିଥାଏ । ତେଣୁ ପ୍ରତିଦିନ ଗୋଟିଏ ଗ୍ଲାସ ପଇଡ ପାଣି ପିଇବା ଦ୍ୱାରା ଏଥିରେ ଥିବା ପୋଟାସିୟମର ମାତ୍ରା କିଡନୀର ଯତ୍ନ ନେଇଥାଏ ।


Share It

Comments are closed.