ହନୁମାନଙ୍କ ଆରାଧନା ପରେ ଭୂମି ପୂଜା କରିବେ ପ୍ରଧାନମନ୍ତ୍ରୀ, ୧୨.୪୦ରେ ହେବ ଶିଳାନ୍ୟାସ


ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି । ଆଜି ସେଇ ମୂହୁର୍ତ୍ତ ଆସି ପହଞ୍ଚିଛି ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ ଭାରତର କୋଟି କୋଟି ଜନତା । ଅଯୋଧ୍ୟାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପାଇଁ ଆଜି ହେଉଛି ଭୂମିପୂଜନ । ନିର୍ମାଣ ହେବାକୁ ଥିବା ବିଶାଳ ଓ ଭବ୍ୟ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ କିଛି ସମୟ ପରେ ରାମଜନ୍ମଭୂମି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଭୂମିପୂଜନ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଯିବ । ଗଲା ୩ଦିନ ହେଲା ଅଯୋଧ୍ୟାରେ ଉତ୍ସବର ମାହୋଲ ରହିଛି। ଆଜି ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ନବ ବଧୂ ବେଶରେ ସଜେଇ ହୋଇଛି ରାମ ନଗରୀ । ଅନ୍ତ ହେବ ୫୫୦ ବର୍ଷର ପ୍ରତିକ୍ଷା । ସାରା ଦେଶ ଚାହିଁ ରହିଛି ସେଇ ଐତିହାସିକ କ୍ଷଣକୁ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ରାମମୟ ହୋଇ ଉଠିଛି ଅଯୋଧ୍ୟା ନଗରୀ । ଚାଲିଆଡେ ଝଲସୁଛି ଆଲୋକମାଳା। ଝଲସୁଛି ସରଜୁ ନଦୀ, ଚମକୁଛି ରାସ୍ତାଘାଟ । ରାମନାମ ସାଙ୍ଗକୁ ସାଧୁ ସନ୍ଥଙ୍କ ମେଳରେ ଉଛୁଳୁଛି ପରିବେଶ। ଭୂମି ପୂଜନ ପୂର୍ବରୁ ଚାଲିଛି ବିଶେଷ ପୂଜାର୍ଚନା । ହନୁମାନ ଗଡିରେ ପୂଜା ସହ ଶଂଖନାଦ କରାଯାଇଛି। ବୁଧବାର ମଧ୍ୟାହ୍ନ ୧୨ ଟା ୩୦ରେ ରାମ ମନ୍ଦିର ଭୁମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ୧୧.୩୦ରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପହଞ୍ଚିବା କାର‌୍ୟ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ପ୍ରାୟ ୩ଘଣ୍ଟା ଅଯୋଧ୍ୟାରେ ରହିବେ । ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟା ସହରର ସବୁ ସୀମା ସିଲ କରାଯାଇଛି। ଅତିଥିମାନେ ମଧ୍ୟ ପହଞ୍ଚିବାରେ ଲାଗିଛନ୍ତି । ଶ୍ରୀରାମ ମନ୍ଦିର ଟ୍ରଷ୍ଟ ମୋଟ ୧୭୫ଜଣ ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ କରିଛି । ଅତିଥିଙ୍କ ଭିତରେ ଅଛନ୍ତି ଅଯୋଧ୍ୟା ଭୂମି ବିବାଦର ଅନ୍ୟତମ ପକ୍ଷକାର ଇକବଲ ଅନସାରୀ । ପ୍ରଧାନମନ୍ତ୍ରୀଙ୍କୁ ଇକବାଲ ଅନସାରୀ ସ୍ବାଗତ କରିବେ। ଭୂମିପୂଜନ ସମାରୋହରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ୧୩୫ଜଣ ସନ୍ଥ ସାମିଲ ହେବେ । ସେମାନେ ପହଞ୍ଚିଗଲେଣି ଅଯୋଧ୍ୟରେ । ମନ୍ଦିରର ପରିସରରେ ପାରିଜାତର ବୃକ୍ଷ ଲଗାଇବେ ପ୍ରଧାନମନ୍ତ୍ରୀ । ପୂଜନରେ ଆବଶ୍ୟକତା ଦୃଷ୍ଟିରୁ ବାରଣାସୀରୁ ରୂପା ପାନ ଆସିଛି । ଭୂମିପୂଜନ ସମାରୋହ ପାଇଁ ସଂସ୍କାର ଭାରତୀ ପକ୍ଷରୁ ଆକର୍ଷଣୀୟ କଳସ ପ୍ରସ୍ତୁତ କରାଯାଇଛି । ସେପଟେ ଭୂମି ପୂଜନ ପୂର୍ବରୁ ଆସିଛି ଭବ୍ୟ ମନ୍ଦିରର ନୂଆ ମଡେଲ । ନୂଆ ମଡେଲରେ ଗମ୍ବୁଜ ସଂଖ୍ୟା ୫ କରାଯାଇଛି । ମନ୍ଦିରର ଉଚ୍ଚତା ରହିବ ୧୬୧ ଫୁଟ । ମନ୍ଦିର ନର୍ମାଣ ପାଇଁ ତିନି ରୁ ସାଢେ ତିନି ବର୍ଷ ଲାଗିବ ।


Share It

Comments are closed.