ଆଜାଦଙ୍କୁ କଡା ସମାଲୋଚନା କଲେ ଗେହଲଟ, କହିଲେ ଦିନ ଥିଲା ସଞ୍ଜୟ ଗାନ୍ଧୀଙ୍କ ଚାଟୁକାରିତା କରୁଥିଲେ


କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ଫର୍ଦ୍ଦର ଇସ୍ତଫା ପତ୍ର ପଠାଇ କଂଗ୍ରେସ ଦଳରୁ ଦିର୍ଘବର୍ଷର ସମ୍ପର୍କ ତୁଟାଇ ବାହାରିଛନ୍ତି ଗୁଲାମନବୀ ଆଜାଦ୍‌। ଏହି ତମାମ ଘଟଣାକ୍ରମକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳର ପୁରୁଣା ବନ୍ଧୁଙ୍କ ଉପରେ ବର୍ଷିଛନ୍ତି। କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ, ସେତେବେଳେ ଆଜାଦ୍‌ ସଞ୍ଜୟ ଗାନ୍ଧୀଙ୍କ ଚାଟୁକାରିତା କରୁଥିଲେ। ଏମିତିରେ ଯଦି କଂଗ୍ରେସର ଇତିହାସକୁ ଦେଖାଯାଏ, ତେବେ ଦୁଇନେତାଙ୍କ ଯାତ୍ରା ପାଖାପାଖି ସମାନ। ଏଥି ସହିତ ଯଦି ଏହାକୁ ବର୍ତ୍ତମାନର ପରିସ୍ଥିତି ସହିତ ତୁଳନା କରାଯାଏ, ତେବେ ସଞ୍ଜୟ ଏବଂ ରାଜୀବ ଗାନ୍ଧୀଙ୍କ ସମୟରେ ଏହି ଦୁଇନେତା ମିଶିଥିବା ବେଳେ ରାହୁଲ ଗାନ୍ଧୀଙ୍କ ସମୟରେ ଦୁଇଜଣ ନେତା ଅଲଗା ହୋଇଥିବା ଜଣାପଡିଛି।

୧୯୭୦ ରେ ଉଭୟ ନେତା ଛାତ୍ର ନେତା ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଉଭୟ ଡେପୁଟି ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। କୁହାଯାଉଛି ଯେ ଆଜାଦ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଞ୍ଜୟ ଗାନ୍ଧୀଙ୍କ ସମର୍ଥନ ପାଇଥିଲେ। ଏଥି ସହିତ ଗେହଲୋଟ୍ ମଧ୍ୟ ସଞ୍ଜୟଙ୍କ ବଡ ଭାଇ ରାଜୀବଙ୍କ ବିଶ୍ୱାସ ହାସଲ କରିବାରେ ସଫଳ ହୋଇଥିଲେ। ୭୦ ଦଶକ ପର୍ଯ୍ୟନ୍ତ ସଞ୍ଜୟଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା ଏବଂ ସେତେବେଳକୁ ରାଜୀବ ରାଜନୀତିରେ ପ୍ରବେଶ କରିନଥିଲେ।

ସେହି ସମୟରେ ଆଜାଦ ଅନ୍ୟ ଯୁବ ନେତା ଅମ୍ବିକା ସୋନି ଏବଂ କମଲ ନାଥଙ୍କ ସହ ସଞ୍ଜୟଙ୍କ ଘନିଷ୍ଠ ବନ୍ଧୁମାନଙ୍କ ସହ ଯୋଗାଯୋଗରେ ଆସିଥିଲେ। ସେ ୧୯୭୫ ରୁ ୭୭ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର ଯୁବ କଂଗ୍ରେସ କମିଟିର ସଭାପତି ତଥା ୧୯୭୭ ରୁ ୮୦ ମସିହା ମଧ୍ୟରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ ୧୯୮୦ ରେ ସଞ୍ଜୟ ମଧ୍ୟ ତାଙ୍କ ମାତା ଇନ୍ଦିରାଙ୍କ ସହ ଆଜାଦଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସେହି ବର୍ଷ ଆଜାଦ ଯୁବ କଂଗ୍ରେସର ଜାତୀୟ ସଭାପତି ହୋଇଥିଲେ ଏବଂ ମହାରାଷ୍ଟ୍ରର ୱାସିମ ଆସନରୁ ଲୋକସଭା ନିର୍ବାଚନ ​​ଜିତିଥିଲେ।

ତାହାରି ଭିତରେ ମଧ୍ୟ ଗେହଲଟଙ୍କ ସ୍ଥିତି ବଢ଼ିବାକୁ ଲାଗିଥିଲା। ତାଙ୍କୁ ୧୯୭୪ରେ ରାଜସ୍ଥାନର NSUI ୟୁନିଟର ସଭାପତି କରାଯାଇଥିଲା। ଏଥି ସହିତ ୧୯୮୦ ମସିହାରେ ସେ ଯୋଧପୁର ଆସନରୁ ସାଂସଦ ହୋଇଥିଲେ। ୧୯୮୦ ରୁ ୧୯୮୪ ମଧ୍ୟରେ ଉଭୟ ଆଜାଦ ଏବଂ ଗେହଲଟ୍ ବିଭିନ୍ନ ସମୟରେ କଂଗ୍ରେସ ସରକାରରେ ଡେପୁଟି ମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳି ଆସିଥିଲେ। ଏହା ପରେ ଗେହଲଟ୍ ୩୪ ବର୍ଷ ବୟସରେ ରାଜସ୍ଥାନ କଂଗ୍ରେସର ସର୍ବ କନିଷ୍ଠ ସଭାପତି ହୋଇଥିଲେ। ଏଥି ସହିତ ଆଜାଦ ୱାଶିମରୁ ୨ ଥର ସାଂସଦ ହେବା ପରେ ରାଜ୍ୟସଭାକୁ ଯାଇଥିଲେ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ। ୨୦୦୮ରେ ସେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ତାଙ୍କର ରାଜନୈତିକ କ୍ୟାରିୟରର ଅଧିକାଂଶ ସମୟ ଦିଲ୍ଲୀରେ ବିତାଇଥିଲେ। ଯେତେବେଳେ କି, ଗେହଲୋଟ୍‌ଙ୍କ ରାଜନୈତିକ କ୍ୟାରିୟର କେବଳ ରାଜସ୍ଥାନରେ ସିମିତ ରହିଥିଲା। ୪୭ବର୍ଷ ବୟସରେ ତାଙ୍କୁ ପ୍ରଥମ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଏହା ପରେ ସେ ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ଏବଂ ୨୦୧୮ ରେ ମଧ୍ୟ ରାଜ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ।


Share It

Comments are closed.