ଅଗଷ୍ଟ ୧୫ରେ ଭାରତ ବ୍ୟତୀତ ସ୍ୱାଧୀନ ହୋଇଥିଲେ ଏହି ୪ଟି ଦେଶ


ଚଳିତ ବର୍ଷ ଭାରତ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହୋଇଥିଲା ଏବଂ ସେବେଠାରୁ ପ୍ରତିବର୍ଷ ଏହି ଦିନକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ । ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳନ କରୁଥିବା ଭାରତ ଏକମାତ୍ର ଦେଶ ନୁହେଁ । ଏହାବ୍ୟତୀତ ଅଗଷ୍ଟ ୧୫ରେ ସ୍ୱାଧୀନ ହୋଇଥିବା ୪ଟି ଦେଶ ରହିଛି। ଏଥିରେ ବାହାରେନ୍, ଉତ୍ତର ଓ ଦକ୍ଷିଣ କୋରିଆ, ଲିଚ୍ଟେନଷ୍ଟାଇନ୍ ଏବଂ କଙ୍ଗୋ ଗଣତନ୍ତ୍ର ରହିଛି।

କଙ୍ଗୋ ହେଉଛି ଆଫ୍ରିକା ମହାଦେଶର ମଧ୍ୟଭାଗରେ ଅବସ୍ଥିତ ଏକ ଗଣତାନ୍ତ୍ରିକ ଦେଶ, ଯାହା ଭାରତର ସ୍ୱାଧୀନତାର ୧୩ ବର୍ଷ ପରେ ୧୯୬୦ ମସିହା ଅଗଷ୍ଟ ୧୫ ତାରିଖରେ ମୁକ୍ତ ହୋଇଥିଲା । ଏହା ପୂର୍ବରୁ ୧୮୮୦ ରୁ ସ୍ୱାଧୀନତା ପର୍ଯ୍ୟନ୍ତ ଫ୍ରାନ୍ସ ଏହି ସ୍ଥାନକୁ ଦଖଲ କରିଥିଲା । ଆୟତନ ଦୃଷ୍ଟିରୁ କଙ୍ଗୋ ଆଫ୍ରିକାର ତୃତୀୟ ବୃହତ୍ତମ ଦେଶ ।

ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ

ଉଭୟ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ପ୍ରତିବର୍ଷ ଅଗଷ୍ଟ ୧୫କୁ ଜାତୀୟ ମୁକ୍ତି ଦିବସ ଭାବେ ପାଳନ କରିଥାନ୍ତି। କାରଣ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ଦିନ ଆଜିର ଦିନରେ କୋରିଆ ଉପରେ ୩୫ ବର୍ଷର ଜାପାନୀ ଦଖଲ ଓ ଔପନିବେଶିକ ଶାସନର ଅନ୍ତ ଘଟିଥିଲା। ସ୍ୱାଧୀନତାର ୩ ବର୍ଷ ପରେ କୋରିଆ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆରେ ବିଭକ୍ତ ହୋଇଥିଲା।

ବାହାରିନ

୧୯୭୧ ମସିହା ଅଗଷ୍ଟ ୧୫ ତାରିଖରେ ବାହାରେନ୍ ଉପରେ ବ୍ରିଟିଶ ଉପନିବେଶ ଶାସନର ଅନ୍ତ ଘଟିଥିଲା। ଭାରତ ସ୍ୱାଧୀନ ହେବାର ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ବାହାରେନ୍ ଏହାର ସ୍ୱାଧୀନତା ଘୋଷଣା କରିଥିଲା, ଯଦିଓ ଏହି ଦିନ ଦେଶ ସ୍ୱାଧୀନତା ଦିବସ ପାଳନ କରେ ନାହିଁ । ଅଗଷ୍ଟ ୧୫ ପରିବର୍ତ୍ତେ ଦିବଂଗତ ଶାସକ ଇସା ବିନ୍ ସଲମାନ ଅଲ୍ ଖଲିଫାଙ୍କ ଆଗମନକୁ ସ୍ମରଣ କରିବା ପାଇଁ ଡିସେମ୍ବର ୧୬ କୁ ଏହି ଦେଶରେ ଏକ ଜାତୀୟ ଦିବସ ଭାବରେ ପାଳନ କରାଯାଏ ।

ଲିଚେନଷ୍ଟେଇନ୍

ଅଗଷ୍ଟ ୧୫ ରେ ଲିଚ୍ଟେନଷ୍ଟାଇନ୍ ଏହାର ଜାତୀୟ ଦିବସ ମଧ୍ୟ ପାଳନ କରିଥାଏ । ଏହା ବିଶ୍ୱର ଷଷ୍ଠ କ୍ଷୁଦ୍ରତମ ଦେଶ । ୧୮୬୬ ମସିହାରେ ଲିଚ୍ଟେନଷ୍ଟାଇନ୍ ଜର୍ମାନ ଶାସନରୁ ମୁକ୍ତି ପାଇଥିଲେ । ୧୯୪୦ ମସିହାରୁ ଏହି ଦେଶ ଅଗଷ୍ଟ ୧୫କୁ ନିଜର ଜାତୀୟ ଦିବସ ଭାବେ ପାଳନ କରିଆସୁଛି । ୧୯୪୦ ମସିହା ଅଗଷ୍ଟ ୫ ତାରିଖରେ ଲିଚ୍ଟେନଷ୍ଟାଇନ୍ ସରକାର ଅଗଷ୍ଟ ୧୫କୁ ଆନୁଷ୍ଠାନିକ ଭାବେ ଜାତୀୟ ଛୁଟି ଘୋଷଣା କରିଥିଲେ।


Share It

Comments are closed.