ଚନ୍ଦ୍ରଯାନ-୩କୁ ଟପିବାକୁ ପ୍ରତିଯୋଗିତା: ୪୭ ବର୍ଷ ପରେ ଲୁନା-୨୫ ଉତକ୍ଷେପଣ କଲା ରୁଷିଆ


୧୯୭୬ ପରେ ପ୍ରଥମ ଥର ପାଇଁ ଅର୍ଥାତ୍ ପୂରା ୪୭ ବର୍ଷ ପରେ ଚନ୍ଦ୍ର ଅଭିଯାନ ପଠାଇଛି ରୁଷୀୟ ମହାକାଶ ଏଜେନ୍ସି ରସ୍କସ୍ମୋସ୍ । ରୁଷ ଆମୁର ଅଞ୍ଚଳର ଭୋଷ୍ଟୋଚାନ ମହାକାଶ ବନ୍ଦରରୁ ସ୍ଥାନୀୟ ସମୟ ସକାଳ ୮ଟା ୧୦ ମିନିଟରେ ଲୁନା-୨୫ ଲ୍ୟାଣ୍ଡର ଉତକ୍ଷେପଣ କରିଥିଲା। ଏପି ରିପୋର୍ଟ ଅନୁଯାୟୀ, ରୁଷୀୟ ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ଯେ ଲୁନା-୨୫ ଅଗଷ୍ଟ ୨୧ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।

ସୋୟୁଜ ୨.୧ବି ରକେଟ୍ ସାହାଯ୍ୟରେ ରୁଷ୍ ଲୁନା-୨୫ ଲ୍ୟାଣ୍ଡର ଉତକ୍ଷେପଣ କରିଥିଲା। ଏହି ରକେଟର ଲମ୍ବ ପ୍ରାୟ ୪୬.୩ ମିଟର । ଏହାର ବ୍ୟାସ ୧୦.୩ ମିଟର । ଏହାର ଓଜନ ପାଖାପାଖି ୩୧୩ ଟନ୍ । ଏହି ମିଶନକୁ ଲୁନା ଗ୍ଲୋବ ମିଶନ ମଧ୍ୟ କୁହାଯାଏ ।

ଚନ୍ଦ୍ରଯାନ-୩ର ଦୁଇ ଦିନ ପୂର୍ବରୁ ଅବତରଣ କରିବ

ଲୁନା-୨୫ ଲ୍ୟାଣ୍ଡରକୁ ଋଷରେ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି। ପ୍ରଥମ ଥର ପାଇଁ ରୁଷ୍ ଚନ୍ଦ୍ର ଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି କରିଛି। ୟୁଏସଏସଆର ସେପ୍ଟେମ୍ବର ୧୯୫୮ରୁ ଅଗଷ୍ଟ ୧୯୭୬ ମଧ୍ୟରେ ୨୪ ଟି ଲୁନା ମିଶନ ଆରମ୍ଭ କରିଛି । ଯଦି ଲୁନା-୨୫ ସଫଳତାର ସହ ଚନ୍ଦ୍ରରେ ଅବତରଣ କରେ ତେବେ ଭାରତର ଚନ୍ଦ୍ରଯାନ-୩ର ଦୁଇ ଦିନ ପୂର୍ବରୁ ଏହା ଅବତରଣ କରିବ।

ମାତ୍ର ୩ଟି ଦେଶ ଚନ୍ଦ୍ରରେ ଅବତରଣ କରିବାରେ ସଫଳ ହୋଇଛନ୍ତି
ବର୍ତ୍ତମାନ ସୁଦ୍ଧା ମାତ୍ର ୩ଟି ଦେଶ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିବାରେ ସକ୍ଷମ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ସୋଭିଏତ ୟୁନିୟନ (ୟୁଏସଏସଆର), ଆମେରିକା ଓ ଚୀନ । ଭାରତ ଓ ରୁଷିଆ ପ୍ରଥମେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଋଷିଆର ମହାକାଶ ଏଜେନ୍ସି ରସ୍କସ୍ମୋସ୍ କହିଛି ଯେ ସେମାନେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ଋଷ ଚନ୍ଦ୍ରକୁ ପେଲୋଡ ପହଞ୍ଚାଇବାରେ ସକ୍ଷମ । ଚନ୍ଦ୍ରପୃଷ୍ଠରେ ପହଂଚିବାର ଗ୍ୟାରେଣ୍ଟି ଦେଉଛି ରୁଷିଆ ।

କଟକଣା ଯୋଗୁଁ ବିଳମ୍ବ

ୟୁକ୍ରେନ୍ ଆକ୍ରମଣ ପରେ ରୁଷ୍ ଉପରେ ଲଗାଯାଇଥିବା କଟକଣା ଯୋଗୁଁ ରୁଷିଆର ମହାକାଶ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲୁନା-୨୫ ପ୍ରଥମେ ଏକ ଛୋଟ ଚନ୍ଦ୍ର ରୋଭର ବହନ କରିବା ପାଇଁ ଡିଜାଇନ୍ କରାଯାଇଥିଲା। ତେବେ ପରେ ମହାକାଶଯାନର ଓଜନ କମାଇବା ର ବିଚାରକୁ ହଟାଇ ଦିଆଯାଇଥିଲା ।


Share It

Comments are closed.