କରୋନା ବିରୋଧି ଲଢ଼େଇରେ ଭାରତର ଆଉ ଏକ ସଫଳତା, ଦେଶର ଦ୍ୱିତୀୟ ଭ୍ୟାକ୍ସିନର ହ୍ୟୁମନ ଟ୍ରାୟଲକୁ ମିଳିଲା ଅନୁମତି


ପୁରା ଦୁନିଆରେ କରୋନା ଭାଇରସର ବଢ଼ୁଥିବା ସଂକ୍ରମଣ ମଧ୍ୟରେ ଭାରତ, ଚୀନ, ଆମେରିକା, ବ୍ରିଟେନ ସମେତ ଅନେକ ଦେଶର ବୈଜ୍ଞାନିକମାନେ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପ୍ରୟାସରେ ଲାଗି ରହିଛନ୍ତି । ଏହା ମଧ୍ୟରେ ଦେଶର ଆଇସିଏମଆର ଏବଂ ଭାରତ ବାୟୋଟିକ କମ୍ପାନୀ ଏହାର କରୋନା ଭ୍ୟାକ୍ସିନ ‘କୋଭ୍ୟାକ୍ସିନ’ର ହ୍ୟୁମନ ଟ୍ରାୟଲ ଆରମ୍ଭ କରିବାକୁ ଯାଉଛି । ଆଇସିଏମଆର ଏହି ଭ୍ୟାକ୍ସିନକୁ ଆଗାମୀ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଲଂଚ କରିବା ପ୍ରସ୍ତୁତିରେ ରହିଛି । ଏହା ମଧ୍ୟରେ ଦେଶର ଅନ୍ୟ ଏକ ଭ୍ୟାକ୍ସିନର ହ୍ୟୁମାନ ଟ୍ରାୟଲ ପାଇଁ ଅନୁମତି ମିଳିଯାଇଛି । ଏହି ଭ୍ୟାକ୍ସିନ ଗୁଜୁରାତର ଜାଇଡସ୍ କ୍ୟାଡିଲା କମ୍ପାନୀ (Zydus Cadila Healthcare Ltd) ପକ୍ଷରୁ ପ୍ରସ୍ତୁତ କରଯାଇଛି ।
ଅହମ୍ମଦାବାଦସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ଜାଇଡସ୍ କ୍ୟାଡିଲା ହେଲଥକେୟାର ଲିମିଟେଡ ମଧ୍ୟ କୋଭିଡ-୧୯ ଭ୍ୟାକ୍ସିନ ପ୍ରସ୍ତୁତ କରିଛି । ଏହି କମ୍ପାନୀକୁ ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ DCGI ଏହି ଭ୍ୟାକ୍ସିନକୁ ମଣିଷ ଉପରେ ପରୀକ୍ଷଣ କରିବା ପାଇଁ ମଞ୍ଜୁରୀ ଦେଇଛି । ଏହା ସହିତ ଜାଇଡସ୍ କ୍ୟାଡିଲା ମଣିଷ ଉପରେ ପରୀକ୍ଷଣ ପାଇଁ ଅନୁମତି ହାସଲ କରିବାରେ ଦେଶର ଦ୍ୱିତୀୟ କମ୍ପାନୀ ହୋଇଯାଇଛି ।
ଜାଇଡସ୍ କ୍ୟାଡିଲା କମ୍ପାନୀର ଏହି ଭ୍ୟାକ୍ସିନ ପଶୁଙ୍କ ଉପରେ କରାଯାଇଥିବା ଟ୍ରାଏଲରେ ଦକ୍ଷ ସାବ୍ୟସ୍ତ ହୋଇଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି । କମ୍ପାନୀ ପଶୁଙ୍କ ଉପରେ କରିଥିବା ପରୀକ୍ଷଣର ରିପୋର୍ଟ ଡ୍ରଗ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆକୁ ହସ୍ତାନ୍ତର କରିଥିଲା, ଯାହାକୁ ନଜରରେ ରଖି ଡିଜିସିଆଇ କମ୍ପାନୀକୁ ଭ୍ୟାକ୍ସିନର ମାନବ ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ଚରଣର ମଞ୍ଜୁରୀ ପ୍ରଦାନ କରିଛି ।
ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ ଅହମ୍ମଦାବାଦର ଜାଇଡସ କ୍ୟାଡିଲା କମ୍ପାନୀ ଜଲ୍‌ଦି ହିଁ ମନୂଷ୍ୟ ଉପରେ ଭ୍ୟାକ୍ସିନର ପରୀକ୍ଷଣ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଦେବ । କୁହାଯାଉଛି ଯେ ପ୍ରଥମ ଏବଂ ଦ୍ୱିତୀୟ ଚରଣ ପରୀକ୍ଷଣକୁ ପାଖାପାଖି ତିନି ମାସ ମଧ୍ୟରେ ପୁରା କରିନିଆଯିବ ।
କରୋନାର ଭୟାବହ ଅବସ୍ଥାକୁ ଦେଖି ଶୀର୍ଷ ଔଷଧ ନିୟାମକ ଏଜେନ୍ସି କ୍ଲିନିକାଲ ଟ୍ରାଏଲ ପାଇଁ ବିଳମ୍ବ ନ କରି ତୁରନ୍ତ ମଞ୍ଜୁରୀ ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଦେଶରେ ବଢ଼ୁଥିବା ସଂକ୍ରମଣକୁ ଧ୍ୟାନରେ ରଖି ବିଶେଷଜ୍ଞ ସମିତିର ସୁପାରିଶ ପରେ ଭ୍ୟାକ୍ସିନ ଏବଂ ଔଷଧର ଆପ୍ରୁଭାଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।


Share It

Comments are closed.