ଏମ୍ସ ଭୁବନେଶ୍ୱରରେ ଉତ୍ସାହ ଉଦ୍ଦୀପନାର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳିତ


ଭୁବନେଶ୍ୱର, ୧୬/୮/୨୦୨୨: ଏମ୍ସ ଭୁବନେଶ୍ୱରରେ ଉତ୍ସାହ ଉଦ୍ଦୀପନାର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଶୁଭ ଅବସରରେ ଉଦବୋଧନ ଦେଇ ଡ. ବିଶ୍ୱାସ ଦେଶ ସ୍ୱାଧୀନତାର ହୀରକ ଜୟନ୍ତୀ ପାଳନ କରୁଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ମାତୃଭୂମି ପାଇଁ ବଳୀଦାନ ଦେଇଥିବା ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଭାରତ ପାଇଁ ସେମାନଙ୍କର ଦୂରଦୃଷ୍ଟି ଏବଂ ସ୍ୱପ୍ନକୁ ସ୍ମରଣ କରିବାକୁ ଡ. ବିଶ୍ୱାସ ଆହ୍ବାନ କରିଥିଲେ।

ଏହି ଅବସରରେ ଡ. ବିଶ୍ୱାସ ଏମ୍ସ ଭୁବନେଶ୍ୱରର ସମସ୍ତ କର୍ମଚାରୀ ନିଜକୁ ଫିଟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। କାରଣ ଏକ ସୁସ୍ଥ ଶରୀର ହିଁ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ପ୍ରଫେସର (ଡ) ସଚ୍ଚିଦାନନ୍ଦ ମହାନ୍ତି, ଡିନ (ଏକାଡେମିକ୍) ଡ. ଦେବାଶିଷ ହୋତା, କୁଳସଚିବ ବି ବି ମିଶ୍ର, ଡିନ୍ (ପରୀକ୍ଷା) ଡ. ମନୋଜ କୁମାର ମହାନ୍ତି, ଡିନ୍ (ଅନୁସନ୍ଧାନ) ଡ. ବିନୋଦ କୁମାର ପାତ୍ର, ଆର୍ଥିକ ପରାମର୍ଶଦାତା ପ୍ରମୋଦ କୁମାର ସାହୁ, ଏସଇ କେ ପି ମିଶ୍ର ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ। 

ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ପରିବେଶକୁ ଭାବମୟ କରିଥିଲା।

କର୍ତ୍ତବ୍ୟନିଷ୍ଠା ଏବଂ କର୍ମକୁଶଳତା ନିମନ୍ତେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ଇଡି ଡ. ବିଶ୍ୱାସ ସମ୍ମାନିତ କରିଥିଲେ। ଚଳିତ ବର୍ଷ ସମଗ୍ର ଦେଶ ପାଳନ କରୁଛି “ଆଜାଦି କା ଅମ୍ରିତ ମହୋତ୍ସବ” ଅଭିଯାନ। ଏନେଇ ଏମ୍ସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଏମ୍ସ ଭୁବନେଶ୍ୱରର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ପ୍ରତିବଦ୍ଧ ହେବାକୁ ଆହ୍ବାନ ଦେଇଥିଲେ।


Share It

Comments are closed.