କରୋନାରେ ଆକ୍ରାନ୍ତ ହେଲେ ସାଉଥ ସୁପରଷ୍ଟାର ମହେଶ ବାବୁ


ତେଲୁଗୁ ସୁପର୍‌ ଷ୍ଟାର୍‌ ମହେଶ ବାବୁ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି । ଗୁରୁବାର ସୋସିଆଲ୍‌ ମିଡିଆରେ ସେ ଏହି ସୂଚନା ଦେଇଛନ୍ତି । ମହେଶ ବାବୁ କହିଛନ୍ତି, ସଂକ୍ରମଣରୁ ସୁରକ୍ଷା ପାଇଁ ତମାମ ପ୍ରତିକାର ମୂଳକ ପଦକ୍ଷେପ ଆପଣାଇଥିଲି । ତାହା ସତ୍ତେ୍ୱ ଭୂତାଣୁ ସଂସ୍ପର୍ଶରେ ଆସିଛି । ତେବେ ମୋ ଠାରେ କରୋନାର ହାଲୁକା ଲକ୍ଷଣ ରହିଛି ।

ନିଜ ପ୍ରଶଂସକ ଓ ବନ୍ଧୁମାନଙ୍କୁ ସମ୍ବୋଧନ କରି ମହେଶ ବାବୁ କହିଛନ୍ତି, କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ମୁଁ ନିଜକୁ ଘର ମଧ୍ୟରେ ସଙ୍ଗରୋଧ କରିଦେଇଛି । ମହାମାରୀ ସଂକ୍ରାନ୍ତ ସମସ୍ତ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକାକୁ ଅନୁସରଣ କରୁଛି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ଅନୁରୋଧ କରୁଛି । ଟିକା ନେଇ ନ ଥିବା ଲୋକମାନେ ତୁରନ୍ତ ଡୋଜ୍‌ ନେବାକୁ ଆଗେଇ ଆସିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ମହେଶ ବାବୁ କହିଛନ୍ତି, କୋଭିଡ ଟିକା ଲଗାଇବା ଦ୍ୱାରା କରୋନା ସଂକ୍ରମଣର ଗୁରୁତର ଲକ୍ଷଣ ଆଶଙ୍କା ଟଳିଯାଉଛି । ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ମଧ୍ୟ କମୁଛି । ତେଣୁ ସମସ୍ତେ ଟିକା ନେବା ଉଚିତ । ସମସ୍ତ କୋଭିଡ ନିୟମ ପାଳନକରି ନିରାପଦ ରହିବାକୁ ସେ ଅନୁରୋଧ କରିଛନ୍ତି ।


Share It

Comments are closed.