କ୍ରିକେଟ ଜଗତର ଶିଖରରେ ପହଞ୍ଚିଥିବା ତଥା କ୍ରିକେଟର ଭଗବାନ ସଚିନ ୨୦୧୩ ମସିହା ଆଜିର ହିଁ ଦିନରେ ଆନ୍ତର୍ଜାତିକ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଥିଲେ । ସେ ନିଜ କ୍ୟାରିୟର ଶେଷ ଟେଷ୍ଟ ମ୍ୟାଚ ମୁମ୍ବାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ତାଙ୍କର ଆନ୍ତର୍ଜାତିକ କ୍ରିକେଟରୁ ଏହି ବିଦାୟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଗଲା । ସଚିନଙ୍କ ବିଦାୟକୁ ୫ ବର୍ଷ ପୂରଣ ହୋଇଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କ୍ରିକେଟ ପ୍ରଶଂସକମାନେ ଝୁରୁଛନ୍ତି । ତାଙ୍କର ଅନେକ ରେକର୍ଡକୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଭାଙ୍ଗି ପାରି ନଥିବାବେଳେ ଆଗାମୀ ଦିନମାନଙ୍କରେ ତାଙ୍କ ରେକର୍ଡକୁ ଭାଙ୍ଗିବାକୁ ହେଲେ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନଙ୍କୁ ଅନେକ କଷ୍ଟ କରିବାକୁ ପଡିପାରେ ।
ନିଜ ଜୀବନର ୨୪ ବର୍ଷରୁ ଉର୍ଦ୍ଧ କ୍ରିକେଟର ପଡିଆରେ ବିତାଇଥିବା ଏହି ଖେଳାଳୀ ଯେବେ ନିଜ ରିଟାଏରମେଣ୍ଟ ସ୍ପିଚ ଦେଲେ, ତେବେ ସେହି ସମୟରେ ସେ ବହୁତ ଭାବପ୍ରବଣ ହୋଇଯିବା ସହ ତାଙ୍କର କଥା ଶୁଣି ପଡିଆରେ ମହଜୁଦ ଥିବା ସମସ୍ତ କ୍ରିକେଟ ପ୍ରେମୀଙ୍କ ଠାରୁ ଆରମ୍ଭ କରି ଦର୍ଶକ ମାନେ ଭାବପ୍ରବଣ ହୋଇଯାଇଥିଲେ ।
ସଚିନ ଯେତେବେଳେ ନିଜ ଫେରୱେଲ ସ୍ପିପ ଦେବା ପାଇଁ ପଡିଆକୁ ଆସିଥିଲେ, ସେତେବେଳେ ଷ୍ଟାଡିୟମରେ ମହଜୁଦ ଥିବା ସମସ୍ତ ଦର୍ଶକ ‘ସଚିନ’, ‘ସଚିନ’, ‘ଉୟି ଉଲି ମିସ ୟୁ’ ବୋଲି କହି ପ୍ରକମ୍ପିତ କରାଉଥିବାବେଳେ ସମସ୍ତଙ୍କ ଆଖିରୁ ଧାର ଧାର ହୋଇ ଲୁହ ମଧ୍ୟ ବାହାରୁଥିଲା । ଏହି ଦେଖି ସଚିନ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଥିଲେ ଯେ, “ଦୟାକରି ସମସ୍ତେ ଶାନ୍ତ ହୋଇଯାଇ ବସିଯାନ୍ତି ନଚେତ ମୁଁ ଆହୁରୀ ମଧ୍ୟ ଭାବପ୍ରମଣ ହୋଇଯିବି । ମୁଁ ବିଶ୍ୱାସ କରି ପାରୁ ନାହିଁ ଆଜି ମୋର ୨୪ ବର୍ଷର ଯାତ୍ରା ଶେଷ ହେବାକୁ ଯାଉଛି ଏବଂ ଏହି ଅବସରରେ ମୁଁ ମୋ ଜୀବନରେ ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତକୁ ସାଇତି ରଖିବାକୁ ଚାହୁଁଛି ଓ ମୋର ଏହି ଯାତ୍ରାରେ ଆପଣ ମାନେ ଦେଇଥିବା ସାଥ ଯୋଗୁଁ ଧନ୍ୟବାଦ ମଧ୍ୟ ଅର୍ପଣ କରୁଛି । ”
ସଚିନ ଏହି ଅବସରରେ ସର୍ବପ୍ରଥେମ ସେ ନିଜ ପିତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଯାହାଙ୍କର ୧୯୯୯ରେ ଦେହାନ୍ତ ହୋଇଯାଇଥିଲା । ସଚିନ କହିଥିଲେ ଯେ, “ ତାଙ୍କ ବାପା ତାଙ୍କୁ ୧୧ ବର୍ଷ ବୟସରେ ହିଁ ତାଙ୍କୁ ସ୍ୱାଧୀନତା ଦେଇଥିଲେ ଏବଂ କହିଥିଲେ ନିଜ ସ୍ୱପ୍ନ ପୂରଣ କର ଏବଂ କେବେବି ସର୍ଟକଟ ଆପଣାଅ ନାହିଁ । ଯେତେବେଳେ ମୁଁ ଭଳ ସ୍କୋର କରିଛି ସେତେବେଳେ ମୁଁ ମୋ ବାପାଙ୍କୁ ବ୍ୟାଟ ଟେକି ସମ୍ମାନ ଜଣାଇଛି । ତାଙ୍କୁ ଆଜି ମୁଁ ବହୁତ ମନେ ପକାଉଛି ।”
ସେ ଷ୍ଟାଡିୟମରେ ମହଜୁଦ ଥିବା ସମସ୍ତ ଦର୍ଶକଙ୍କୁ କହିଥିଲେ ଯେ, “ ସମୟ କେତେବେଳେ ଚାଲିଗଲା ଜଣା ପଡିଲା ନାହିଁ ଏବଂ ଆପଣମାନେ ମୋତେ ଦେଇଥିବା ଭଲ ପାଇବାକୁ ସବୁଦିନ ପାଇଁ ସୃତି ରୂପେ ସାଇତି ରଖିବି । ଖାସ କରି ଏହି ସଚିନ ସଚିନ ଶବ୍ଦ ମୋର ଶେଷ ନିଶ୍ୱାସ ନେବା ପର୍ଯ୍ୟନ୍ତ ମନେ ରହିବ ।”
ସଚିନ ୪୬୩ଟି ଦିନିକିଆ ମ୍ୟାଚ ଖେଳି ୧୮୪୨୬ ରନ ସଂଗ୍ରହ କରିଥିବାବେଳେ ୨୦୦ଟି ଟେଷ୍ଟ ମ୍ୟାଚ ଖେଳି ୧୫୯୨୧ ରନ ସଂଗ୍ରହ କରିସାରିଛନ୍ତି । ସେ ହେଉଛନ୍ତି ଏମିତି ଜଣେ ଖେଳାଳୀ ଯାହାଙ୍କ ନାମରେ ପ୍ରଥମ ଦ୍ୱିଶତକ ଏବଂ ୧୦୦ ଶତକ ଲଗାଇବାର ରେକର୍ଡ ରହିଛି । ସେ ୬୨ ଥର ମ୍ୟାନ ଅଫ ଦି ମ୍ୟାଚ ରୂପେ ବିବେଚିତ ହୋଇଥିବାବେଳେ ୧୫ ଥର ମ୍ୟାନ ଅଫ ଦି ସିରିଜ ରୂପେ ବିବେଚିତ ମଧ୍ୟ ହୋଇଛନ୍ତି ।
Comments are closed.