ଦୁର୍ଗମ ଅଂଚଳରେ ପ୍ରସବ କରାଇ ଏବଂ ରୋଗୀଙ୍କ ମୂଲ୍ୟବାନ ଜିନିଷ ଫେରାଇ ଉଦାହରଣ ସୃଷ୍ଟିକଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଏମିତି ଅନେକ ନଜିର ରହିଛି ଯେତେବେଳେକି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଃସ୍ୱାର୍ଥପର ସେବା ଓ ମାନବିକତା ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଅନେକ ଥର ଏହି କର୍ମଚାରୀମାନେ ଦେବଦୂତସାଜି ରୋଗୀଙ୍କୁ କାନ୍ଧରେବୋହି ଦେଇଛନ୍ତି ବିଶାଳ ହୃଦୟର ପରିଚୟ । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଳାରେ ଦୁଇଟି ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ସଚ୍ଚୋଟତା ଏବଂ କର୍ତବ୍ୟନିଷ୍ଠ ପ୍ରମାଣକରି ଦେଖାଇଛନ୍ତି । ପ୍ରଥମ ଘଟଣାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଗଞ୍ଜାମ ଜିଲ୍ଲାର କନସି ଅଂଚଳରୁ ଏକ ରୋଗୀକୁ ଏସିବିରେ ଭର୍ତିକରି ଫେରିବା ସମୟରେ ରାସ୍ତାରେ ଏକ ଦୁର୍ଘଟଣା ଦେଖିଥିଲେ । ଯେଉଁଥିରେ ଏକ ଟ୍ରକ ଏକ ବାଇକକୁ ଧକ୍କା ଦେଇଥିବାରୁ ଦୁଇଜଣ ବାଇକ ଚାଳକ ଆହତ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଯେପରିକି ଇଏମଟି, ଆଶୁତୋଷ ପ୍ରଧାନ, ଡ୍ରାଇଭର, ମନୋଜ କୁମାର ପଲାଇ ଏବଂ ହେଲପର, ପ୍ରଭାତ କୁମାର ବେହେରା ଦୁର୍ଘଟଣାଗ୍ରସ୍ତ ଦୁଇଜଣ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ । ସେଠାରେ ଡ଼ାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଇବା ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ବ୍ୟାଗ୍‌, ମୋବାଇଲ ଫୋନ୍ ଏବଂ ତିନୋଟି ସୁନା ମୁଦି ପାଇଥିଲେ । ଏଥି ସମ୍ପର୍କରେ ସେଅଂଚଳର କ୍ଲଷ୍ଟର ଲିଡ଼ର, ଅଚ୍ୟୁତ ନନ୍ଦ ପଟ୍ଟନାୟକ ଏବଂ ସିଡ଼ିସିଙ୍କୁ ଜଣାଇଥିଲେ ଏବଂ କ୍ଲଷ୍ଟର ଲିଡ଼ରଙ୍କ ପରାମର୍ଶକ୍ରମେ ସେ ଏ କେ ରଥ ନାମକ ରୋଗୀଙ୍କୁ ସେହି ମୂଲ୍ୟବାନ ଜିନିଷ ଗୁଡ଼ିକ ଫେରାଇଥିଲେ ।
ସେହିପରି ଆଉ ଏକ ଘଟଣାକ୍ରମେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଏକ ପ୍ରସୂତିଙ୍କୁ ଦୁର୍ଗମ ଅଂଚଳରେ ପ୍ରସବ କରାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଇ ଦେଇଛନ୍ତି ଆଉଏକ ମାନବିକତାର ପରିଚୟ । ସୂଚନା ଅନୁଯାୟୀ ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁରୁଡ଼ିଙ୍ଗ ଗ୍ରାମର ପ୍ରଦୀପ ନାୟକଙ୍କ ପତ୍ନୀ ପାର୍ବତୀଙ୍କର ପ୍ରସବ ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସକୁ କଲ୍ କରିଥିଲେ । ଖବର ପାଇ ବାଣିଗୋଛା ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କୁରୁଡ଼ଙ୍ଗି ଅଭିମୁଖେ ବାହାରିଥିଲେ ଏବଂ ବଣ ପାହାଡ଼ଘେରା ରାସ୍ଥା ଅତିକ୍ରମକରି ବହୁ କଷ୍ଟରେ ରୋଗୀଙ୍କ ପାଖରେ ପଂହଚିଥିଲେ । କିନ୍ତୁ ପ୍ରସୂତିଙ୍କ ପ୍ରସବ ବେଦନା ଏପରି ଶୋଚନୀୟ ଥିଲାଯେ ଆମ୍ବୁଲାନ୍ସରେ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପହଚିଂବା ସମ୍ଭବ ନଥିଲା । ଶେଷରେ ଫାର୍ମାସିଷ୍ଟ, ତପନ କୁମାର ସାହୁ, ଆଟେଣ୍ଡାଂଟ ମନୋଜ କୁମାର ଜାନୀ ଏବଂ ଡ୍ରାଇଭର ଚିତରଂଜନ ଦାସ ହାତରେ ଗ୍ଲୋବସ ପିନ୍ଧି ବହୁ କଷ୍ଟରେ ମହିଳାଙ୍କୁ ପ୍ରସବ କରାଇଥିଲେ । ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେବାପରେ ସୁରକ୍ଷିତଭାବେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଇଥିଲେ । ପୂର୍ବରୁ ମଧ୍ୟ ଏହି କର୍ମଚାରୀମାନେ ଦୁର୍ଗମ ଅଂଚଳର ରୋଗୀକୁ ଭାରକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତଆଣି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଇବାରେ ସଫଳ ହୋଇଛନ୍ତି ।


Share It

Comments are closed.