ବିଶ୍ୱର ପାଞ୍ଚଟି ଲୋକପ୍ରିୟ ଭାସମାନ ବଜାର


ଗାଡ଼ିରେ କିମ୍ବା ପାଦରେ ଚାଲି ମାର୍କେଟ ସମସ୍ତେ ବୁଲିଛନ୍ତି, କିନ୍ତୁ ଡଙ୍ଗା ସାହାଯ୍ୟରେ ଫ୍ଲୋଟିଂ ମାର୍କେଟରେ ଭ୍ରମଣ କରିବାର ମଜା ନିଆରା । ଡଙ୍ଗାରେ ଭ୍ରମଣ କରି ଜିନିଷପତ୍ର କିଣିବା ଲୋକମାନଙ୍କୁ ନିଆରା ଅନୁଭୂତି ପ୍ରଦାନ କରିଥାଏ । ସେଥିପାଇଁ ଫ୍ଲୋଟିଂ ମାର୍କେଟମାନଙ୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ଯେତିକି ଦେଖିବାକୁ ନମିଳେ ବାହର ପର୍ଯ୍ୟଟକମାନଙ୍କ ବେଶ୍ ଭିଡ଼ ଜମେ । ଆସନ୍ତୁ ନଜର ପକାଇବା ବିଶ୍ୱରେ ଥିବା ପାଞ୍ଚଟି ଲୋକପ୍ରିୟ ଫ୍ଲୋଟିଂ ମାର୍କେଟ୍ ଉପରେ ।

୧- ଡାମନଏନ ସାଦୁଆକ୍ ଫ୍ଲୋଟିଂ ମାର୍କେଟ୍ – ଥାଇଲାଣ୍ଡର ରାତଚାବୁରି ପ୍ରଦେଶ ସ୍ଥିତ ଡାମନଏନ ସାଦୁଆକ୍ ବଜାର ବିଶ୍ୱର ଲୋକପ୍ରିୟ ଫ୍ଲୋଟିଂ ମାର୍କେଟମାନଙ୍କ ମଧ୍ୟରୁ ଗୋଟିଏ । ସକାଳ ସମୟ ହେଉଛି ଏହି ବଜାରକୁ ଭ୍ରମଣ କରିବା ପାଇଁ ପ୍ରକୃଷ୍ଟ ସମୟ । କାରଣ ଅନ୍ୟ ସମୟରେ ଏହି ବଜାରରେ ଲୋକମାନଙ୍କ ଭିଡ଼ ଜମେ । ଏହି ବଜାରରେ ଆପଣ ସବୁ ପ୍ରକାରର ପନିପରିବା, ମାଛ, ଖାଦ୍ୟ, ବସ୍ତ୍ର, ଷ୍ଟେସନାରୀ ଦ୍ରବ୍ୟ ଆଦି ପାଇବେ ।

୨ – ଆମ୍ଫାୱା ଫ୍ଲୋଟିଂ ମାର୍କେଟ୍ – ଆମ୍ଫାୱା ଫ୍ଲୋଟିଂ ମାର୍କେଟ୍ ଡାମନଏନ ସାଦୁଆକ୍ ଭଳି ସେତେ ବଡ଼ ନୁହେଁ, କିନ୍ତୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଏହା ବ୍ୟାଙ୍ଗକକଠାରୁ ୭୨ କିମି ଦୂରରେ ଥିବା ସମୁତ ସଙ୍ଗକ୍ରମ ପ୍ରଦେଶରେ ଅବସ୍ଥିତ । ଏହି ବଜାର ପ୍ରତି ସପ୍ତାହ ଶେଷରେ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହେ । ସ୍କୁଇଡ୍, କ୍ଲାମ୍, ଚିଙ୍ଗୁଡି ପରି ଅନେକ ସାମୁଦ୍ରିକ ଖାଦ୍ୟ ଏଠାରେ ମିଳେ ।

୩ – ଦାଲ୍ ଲେକ୍ ଫ୍ଲୋଟିଂ ମାର୍କେଟ୍ – ଏହା ଭାରତର ଏକ ପ୍ରମୂଖ ଫ୍ଲୋଟିଂ ମାର୍କେଟ୍, ଯାହା ଶ୍ରୀନଗରଠାରେ ଅବସ୍ଥିତ । ସକାଳ ସମୟରେ ଏଠାରେ ତାଜା ପନି ପରିବା ମିଳେ । ଏହାର ଅଭୁତପୂର୍ବ ସୌନ୍ଦର୍ଯ୍ୟ ପୋଗୁଁ ଏଠାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଓ ଫଟୋଗ୍ରଫର୍ ଭ୍ରମଣ କରିବାକୁ ଆସିଥାଆନ୍ତି । ଏହି ହ୍ରଦରେ ଥିବା ପଦ୍ମଫୁଲଗୁଡ଼ିକ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଆକଳନରୁ ଜଣାଯାଇଛି ଯେ, ପ୍ରତିଦିନ ସକାଳ ୫ରୁ ୭ଟା ପର୍ଯ୍ୟନ୍ତ ମାତ୍ର ୨ ଘଣ୍ଟା ଖୋଲା ରହି ମଧ୍ୟ ଏହାର ବାର୍ଷିକ ଆୟ ପାଖାପାଖି ୩୫ କୋଟି ।

୪- ସୋଲୋମନ ଆଇଲ୍ୟାଣ୍ଡ୍ସ ଫ୍ଲୋଟିଂ ମାର୍କେଟ୍ – ସୋଲୋମାନ ଦ୍ୱୀପ ଉତ୍ତର-ପୂର୍ବ ଅଷ୍ଟ୍ରେଲିଆରେ ଅବସ୍ଥିତ ଓ ପାପୁଆ ନ୍ୟୁ ଜୁଇନିଆ ଏହାର ପଶ୍ଚିମରେ ଅବସ୍ଥିତ । ଦକ୍ଷିଣ-ପୂର୍ବ ଏସିଆର ଫ୍ଲୋଟିଂ ମାର୍କେଟମାନଙ୍କ ପରି ବୃହତ ହୋଇ ନଥିଲେ ମଧ୍ୟ ଏହା ବେଶ୍ ମନୋରମ ସ୍ଥଳୀ । ଅଧିକାଂଶ ବିକ୍ରେତା ଏଠାରେ ମହିଳା ହୋଇଥାଆନ୍ତି । ସାଙ୍ଗରେ ସେମାନଙ୍କ ଛୋଟଛୋଟ ପିଲା ମଧ୍ୟ ଥାଆନ୍ତି ।

୫ – କାଇରଙ୍ଗ ଫ୍ଲୋଟିଂ ମାର୍କେଟ୍ – ଏହା ମେକଙ୍ଗ ଡେଲଟା ସ୍ଥିତ ଏକ ବିଶାଳ ଫ୍ଲୋଟିଂ ମାର୍କେଟ୍ । ଏହି ମାର୍କେଟ ସକାଳ ୫ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ । ଏହା କ୍ୟାନ୍ ଥୋଠାରୁ ୬ କିମି ଦୂରରେ ଅବସ୍ଥିତ, ଯାହା ଡଙ୍ଗା ମାଧ୍ୟମରେ ୩୦ମିନଟର ବାଟ । ଏଠାରେ ସବୁପ୍ରକାର ପନିପରିବା, ଫଳମୂଳ ଆଦି ବିକ୍ରୟ କରାଯାଏ । ଖାଦ୍ୟ ମଧ୍ୟରେ ଏଠାରେ ନୁଡୁଲ୍ସ, ପଇଡ଼ ଆହୁରି ଅନେକ ସ୍ଥାନୀୟ ଖାଦ୍ୟ ମିଳେ ।


Share It

Comments are closed.