ରକ୍ତଦାନକରି ୧୨ ବର୍ଷ କିଶୋରର ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ପୂର୍ବରୁ ଅନେକଥର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ ସାହାଯ୍ୟ କରିବାର ବିଭିନ୍ନ ଦୃଷ୍ଟାନ୍ତ ରହିଛି । ନିକଟରେ ଏକ ୧୨ ବର୍ଷର କିଶୋରକୁ ରକ୍ତର ଆବଶ୍ୟକତା ଥିବାବେଳେ ତାକୁ ରକ୍ତ ଦାନକରି ୧୦୮କର୍ମଚାରୀ ଦେଇଛନ୍ତି ଆଉ ଏକ ମହାନତାର ପରିଚୟ । ଘଟଣା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ନୁଆଗାଁ ବ୍ଲକର ଗୋରଗୋଟ ଗ୍ରାମର ୧୨ ବର୍ଷର ବାଳକ, ପ୍ରେମ ସାଗର ନାଗ ଜ୍ୱରରେ ଆକ୍ରାନ୍ତ ଥିଲେ । ତେଣୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଅଛିବୋଲି କହିଥିଲେ । ସେତେବେଳେକୁ ରାତି ଅଧିକା ହୋଇଯାଇଥିବା ସହ ତାଙ୍କ ପାଖରେ କେବଳ ତାଙ୍କ ମା’ ଥିଲେ । ଅନ୍ୟ ଉପାୟ ନପାଇ ତାଙ୍କ ମା’ ତାଙ୍କୁ ଆଣିଥିବା ଆମ୍ବୁଲାନ୍ସ କର୍ମିଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ସେତେବେଳେ ଉକ୍ତ ଆମ୍ବୁଲାନ୍ସରେ ପାଇଲଟ, ହିମାଂଶୁ ସାହୁ, ଇଏମଟି, ସୌରଭ ବିଶି ଏବଂ ହେଲପର ହିମାଞ୍ଚଳ କୁଅଁର କାର୍ଯ୍ୟରତଥିଲେ । ପରିସ୍ଥିତର ଗମ୍ଭିରତାକୁ ଦୃଷ୍ଟିରେରଖି ଆମ୍ବୁଲାନ୍ସର ଇଏମଟି ସଙ୍ଗେ ସଙ୍ଗେ ବ୍ଲଡ଼ ବ୍ୟାଙ୍କ ସହ ଯୋଗାଯୋଗକରି ନିଜ ରକ୍ତ ବଦଳରେ ଆବଶ୍ୟକଥିବା ‘ଓ’ ପଜିଟିଭ ରକ୍ତ ଯୋଗଡ଼ କରିପାରିଥିଲେ । ବିପଦରେ ପଡ଼ିଥିବା ତଥା ପୂର୍ବରୁ ବାପାଙ୍କୁ ହରାଇଥିବା ଏହି ବାଳକକୁ ନିଜ କର୍ମକ୍ଷେତ୍ର ବାହାରକୁ ଯାଇ ସାହାଯ୍ୟ କରିଥିବାରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି ସେବା ମନୋବୃତିକୁ ସ୍ଥାନୀୟ ଅଂଚଳରେ ଖୁବ୍ ପ୍ରଂଶସା କରାଯାଇଛି ।


Share It

Comments are closed.