କିଡନୀ ରୋଗୀଙ୍କୁ ରକ୍ତ ଦାନ କରି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଆଜି ପୁଣି ଜଣେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଆଉ ଏକ ମୂଲ୍ୟବାନ ଜୀବନ ବଂଚାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଜମନକିରା ଅଂଚଳର ରାଙ୍କିବାହାଲା ଗ୍ରାମର ହୃଦାନନ୍ଦ ଷଣ୍ଢ(୫୪ବର୍ଷ) ନାମକ ଜଣେ ବ୍ୟକ୍ତି ଅନେକ ସମୟରୁ କିଡନୀ ରୋଗରେ ପୀଡ଼ିତ ହୋଇ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏସ.ପି.ଦୋରା ରୋଗୀଙ୍କ ସ୍ତ୍ରୀଙ୍କୁ ତୁରନ୍ତ ଏ ପଜିଟିଭ ବ୍ଲଡ ଗ୍ରୁପ ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ନଚେତ ରୋଗୀଙ୍କ ଅବସ୍ଥା ଅଧିକ ଜଟିଳ ହୋଇପଡ଼ିବ ବୋଲି ସେ କହିଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଯେ ଡାକ୍ତରଖାନାରେ ଏହି ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ସୌଭାଗ୍ୟବସତଃ ଏହି ସମୟରେ ଜମନକିରା ରୁ ଏକ ୧୦୮ ଆମ୍ବୁଲାନ୍ସ କୌଣସି ଏକ ରୋଗୀଙ୍କୁ ନେଇ କୁଚିଣ୍ଡା ଡାକ୍ତରଖାନାକୁ ଆସିଥିଲା । ଯାହାପରେ ରୋଗୀଙ୍କ ସ୍ତ୍ରୀ ୧୦୮ ଆମ୍ବୁଲାନ୍ସ ହେଲପର୍ ପିଂଟୁ ରାଣାଙ୍କୁ ରକ୍ତ ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ତାଙ୍କ ବ୍ଲଡ ଗ୍ରୁପ ମଧ୍ୟ ଏ ପଜିଟିଭ ଥିଲା । ତେଣୁ ପିଂଟୁ ନିଜର ମହାନତା ଦେଖାଇ ତୁରନ୍ତ ରକ୍ତ ଦେବା ପାଇଁ ଆଗେଇ ଆସିଥିଲେ । ଆଜି ତାଙ୍କର ଏହି ମାନବିକତା ପାଇଁ କିଡନୀ ରୋଗରେ ଆକ୍ରାନ୍ତ ଏହି ରୋଗୀ ଜଣଙ୍କ ଏକ ନୂଆ ଜୀବନ ପାଇଛନ୍ତି । ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଏହି ମହାନ କାର୍ଯ୍ୟ ପାଇଁ ସେ ବେଶ ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.