ରାସ୍ତାରେ ପଡ଼ିଥିବା ୨ବସ୍ତା କଏନ୍ ପୋଲିସ ଜିମା ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର:ଏମିତି ଅନେକ ନଜିର ରହିଛି ଯେତେବେଳେ କି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଃସ୍ୱାର୍ଥପର ସେବା ଓ ସାଧୁତା ଜରିଆରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହପରି ଏକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲାରେ । ଘଟଣାନୁଯାୟୀ ଗତ ମେ, ୧୪ ତାରିଖ ଦିନ ୧୦୮ଆମ୍ବୁଲାନ୍ସଟି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ରୋଗୀକୁ ଛାଡ଼ି କାମରଡ଼ା ଅଭିମୁଖେ ଜାତୀୟ ରାଜପଥ ୬୦ ଦେଇ ଫେରୁଥିଲେ । ରାସ୍ତାରେ ଫେରୁଥିବା ସମୟରେ ହଳଦିପଡ଼ା ନିକଟରେ ଆମ୍ବୁଲାନ୍ସ କର୍ମଚାରୀମାନେ ରାସ୍ତାରେ ଦୁଇଟି ବସ୍ତା ପଡ଼ିଥିବା ଦେଖିଥିଲେ ।
ତେଣୁ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର, ବିମଳ ଦାସ, ଇଏମଟି ବାପି ମହାନ୍ତ ଏବଂ ସହାୟକ, ବିକାଶ ମହାନ୍ତ ରାସ୍ତାରେ ପଡ଼ିଥିବା ସେହି ବସ୍ତା ଗୁଡ଼ିକରେ ୧୫,୦୦୦ଟଙ୍କାରୁ ଉର୍ଦ୍ଧ କଏନ୍ ଥିବାର ଦେଖିଥିଲେ । ଏହା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଏହି ଘଟଣା ସମ୍ପର୍କରେ କ୍ଲଷ୍ଟରଲିଡ଼ର, ସେଖ୍ ମନି ରୁଦିନ୍‌କୁ ଅବଗତ କରାଇଥିଲେ ଏବଂ ତାଙ୍କ ପରାମର୍ଶ କ୍ରମେ ସେହି ବସ୍ତା ଗୁଡ଼ିକୁ ଜଳେଶ୍ୱର ପୋଲିସ୍ ଜିମାରେ ଦେଇଥିଲେ । ୧୦୮ ଆମ୍ବୁଲାନ୍ସ କର୍ମୀମାନଙ୍କ ଏଭଳି ସାଧୁତାକୁ ସବୁ ମହଲରୁ ଖୁବ୍ ପ୍ରଶଂସା କରାଯାଇଛି ।


Share It

Comments are closed.