ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ୪ ଓ୍ୱିକେଟରେ ହରାଇଲା ଓ୍ୱେଷ୍ଟ ଇଣ୍ଡିଜ୍


ଇତିହାସ ରଚିଛି ୱେଷ୍ଟ ଇଣ୍ଡିଜ୍ । ରୋଜ ବାଉଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି କାରବିଆନ୍ ଟିମ୍। ଯୁବ ବ୍ୟାଟସମ୍ୟାନ୍ ଜେର୍ମିନ ବ୍ଲାକଉଡ୍‌ଙ୍କ ଲଢୁଆ ୯୫ ରନ୍ ବଳରେ ଭ୍ରମଣକାରୀ ଇଣ୍ଡିଜ୍ ପାଇଁ ବିଜୟ ସମ୍ଭବ ହୋଇଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୧୩ ରନ୍ କରି ଅଲ୍ ଆଉଟ୍ ହେବା ସହ ମୋଟ୍ ୧୯୯ ରନ୍‌ରେ ଅଗ୍ରଣୀ ହାସଲ କରିଥିଲା । ଜବାବରେ ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ଟାର୍ଗେଟ୍ ପୁରା କରିନେଇଥିଲା ।

ଇଣ୍ଡିଜ୍ ପାଇଁ ଟାର୍ଗେଟ୍ ଥିଲା ୨୦୦ ରନ୍ । ଅନ୍ତିମ ଦିନରେ ଶେଷ ହେବାକୁ ଆଉ ୬୪.୨ ଓଭର ବାକିଥିଲା । ଇଂଲଣ୍ଡ ବୋଲରମାନେ ପ୍ରାରମ୍ଭରୁ ଘାତକ ବୋଲିଂ କରିଥିଲେ । ୨୭ ରନ୍‌ରେ ପ୍ରାରମ୍ଭିକ ୩ଟି ୱିକେଟ୍‌ର ପତନ ଘଟିଥିଲା । ଓପନର ଜନ କ୍ୟାମ୍ପବେଲ ଆହତ ହୋଇ ପାଭିଲିୟନ ଫେରିଯାଇଥିଲେ । ମଧ୍ୟଭାଗରେ ବ୍ଲାକ୍‌ଉଡ୍ ଖେଳିଥିଲେ ଲଢୁଆ ଇନିଂସ । ଦଳର ମଙ୍ଗ ଧରିଥିଲେ । ରଷ୍ଟନ ଚେଜ, ସେନ ଡରୱିଚଙ୍କ ସହ ଉପଯୋଗୀ ଭାଗିଦାରୀ ଗଠନ କରି ସେ ଦଳକୁ ବିଜୟୀ କରାଇଥିଲେ ।

ଅନ୍ତିମ ଦିବସରେ ଇଂଲଣ୍ଡ ଅସମାପ୍ତ ଦ୍ୱିତୀୟ ଇନିଂସ ୮/୨୮୪ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ଜୋଫ୍ରା ଆର୍ଚ୍ଚର ଓ ମାର୍କ ଉଡ୍ ଦଳୀୟ ସ୍କୋରକୁ ୩୦୩ରେ ପହଞ୍ଚାଇଥିଲେ । ବ୍ୟକ୍ତିଗତ ୨ ରନ୍ କରି ଉଡ୍ ଆଉଟ୍ ହୋଇଥିଲେ । ଆର୍ଚ୍ଚର ୨୩ ରନ୍‌ର ଉପଯୋଗୀ ଇନିଂସ ଖେଳି ଆଉଟ୍ ହେବା ସହ ଇଂଲଣ୍ଡ ଇନିଂସ ୩୧୩ରେ ସୀମିତ ରହିଥିଲା । ଏଥିସହ ଘରୋଇ ଦଳ ମୋଟ୍ ୧୯୯ ରନ୍‌ରେ ଅଗ୍ରଣୀ ହାସଲ କରିଥିଲା । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସାନନ ଗାବ୍ରିଏଲ୍ ୫ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ରଷ୍ଟନ ଚେଜ ଓ ଅଲଜାରୀ ଜୋଶେଫ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।୨୦୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ୱେଷ୍ଟ ଇଣ୍ଡିଜ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଇଂଲଣ୍ଡ ପେସ୍ ବାହିନୀ ପ୍ରାରମ୍ଭରୁ ଘାତକ ବୋଲିଂ କରିଥିଲେ । ଓପନର କ୍ରେଗ ବ୍ରାଥ୍‌ୱେଟ୍ ୪ ରନ୍ କରି ଆଉଟ୍ ହୋଇଥିବାବେଳେ ଜନ କ୍ୟାମ୍ପବେଲ୍‌(୧) ଆହତ ହୋଇ ପାଭିଲିୟନ(ରିଟାୟାର୍ଡ ହର୍ଟ) ଫେରିଥିଲେ । ସାଇ ହୋପ୍ ୯ ରନ୍ କରି ଆଉଟ୍ ହୋଇଥିଲେ । ସାମରା ବ୍ରୁକ୍ସ ଖାତା ଖୋଲି ପାରି ନଥିଲେ । ୨୭ ରନ୍‌ରେ ୱେଷ୍ଟ ଇଣ୍ଡିଜ୍ ୩ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ଏହାପରେ ଚେଜ ଓ ବ୍ଲାକ୍‌ଉଡ୍ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ ।

ଉଭୟ ପଞ୍ଚମ ୱିକେଟ୍‌ରେ ୭୩ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୦୦ ବେଳେ ବ୍ୟକ୍ତିଗତ ୩୭ ରନ୍ କରି ଚେଜ ଆଉଟ୍ ହୋଇଥିଲେ । ବ୍ଲାକ୍‌ଉଡ୍ ଅନ୍ୟ ପଟରେ ଦୃଢ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଡରୱିଚ୍‌ଙ୍କ ସହ ସେ ଆଉ ୬୮ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୧୬୮ ବେଳେ ବ୍ୟକ୍ତିଗତ ୨୦ ରନ୍ କରି ଡରୱିଚ ଆଉଟ୍ ହୋଇଥିଲେ । ଦଳ ବିଜୟ ନିକଟତର ହୋଇଥିଲା । ବ୍ଲାକ୍‌ଉଡ୍ ୯୫ ରନ୍ କରିଥିବା ବେଳେ ଧୈର‌୍ୟ୍ୟ ହରାଇ ବସିଥିଲେ । ଜାସନ ହୋଲ୍ଡର (୧୪) ଓ ଜନ କ୍ୟାମ୍ପବେଲ୍‌(୮) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।


Share It

Comments are closed.