ଭବିଷ୍ୟତର ଜଳାଭାବକୁ ନେଇ ମିଳିତ ଜାତିସଂଘର ଚେତାବନୀ


ଜଳ ଯୋଗାଣ ଓ ଜଳର ମାନ ଉନ୍ନତି କରିବା ଲାଗି ସରକାର ସବୁଜ ନୀତି ଉପରେ ଗୁରୁତ୍ୱ ଦେବା ଉଚିତ । କାରଣ ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟା ବୃଦ୍ଧି ବିଶ୍ୱବାସୀଙ୍କ ପାଇଁ ଜଳ ସଙ୍କଟ ସୃଷ୍ଟି କରିଛି ବୋଲି ମିଳିତ ଜାତିସଙ୍ଘ ପକ୍ଷରୁ ସତର୍କ କରାଯାଇଛି । ୨୦୧୮ର ୱାର୍ଲ୍ଡ ୱାଟର ଡେଭେଲପ୍ମେଣ୍ଟ୍ ରିପୋର୍ଟ ରେ ବିଶ୍ୱସଂସ୍ଥା ଆକଳନ କରିଛି ଯେ, ବିଶ୍ୱର ପାଖାପାଖି ୩୬୦ କୋଟି ଲୋକ ଏଭଳି ସ୍ଥାନରେ ବସବାସ କରୁଛନ୍ତି ଯେଉଁଠାରେ ଅନ୍ୟୂନ ମାସେ ପର୍ଯ୍ୟନ୍ତ ଉତ୍କଟ ଜଳ ସମସ୍ୟା ଦେଖାଦେଇଥାଏ । ୨୦୫୦ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୫୭୦ କୋଟିକୁ ବୃଦ୍ଧି ପାଇପାରେ ବୋଲି ରିପୋର୍ଟରେ ସତର୍କ କରାଯାଇଛି ।

ବେଳ ଥାଉ ଥାଉ ଯଦି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ତା’ହେଲେ ସମସ୍ୟା ଜଟିଳ ରୂପ ଧାରଣ କରିବ ବୋଲି ବ୍ରାସିଲିଆଠାରେ ୱାର୍ଲ୍ଡ ୱାଟର ଡେଭେଲପ୍ମେଣ୍ଟ୍ ରିପୋର୍ଟ ଉପସ୍ଥାପନା କରି କହିଛନ୍ତି ୟୁନେସ୍କୋ ମହାନିର୍ଦ୍ଦେଶକ ଔଡ୍ରେ ଆଜୌଲା । ସେ କହିଛନ୍ତି ଯେ, ଗତ ଶତାବ୍ଦୀ ଅପେକ୍ଷା ଚଳିତ ଶତାବ୍ଦୀରେ ବିଶ୍ୱରେ ଜଳର ବ୍ୟବହାର ୬ଟି ଦୃଷ୍ଟିକୋଣରୁ ବୃଦ୍ଧି ପାଇଛି । ଜନ ସଂଖ୍ୟା ବୃଦ୍ଧି, ଅର୍ଥନୈତିକ ବିକାଶ ଏବଂ ବ୍ୟବହାର ଶୈଳୀରେ ପରିବର୍ତ୍ତନ ଆସିବା ଯୋଗୁଁ ଭବିଷ୍ୟତରେ ଆହୁରି ଜଳ ବ୍ୟବହାର ବୃଦ୍ଧି ପାଇବ । କିନ୍ତୁ ଜଳ ମାତ୍ର ୧% ହାରରେ ବୃଦ୍ଧି ପାଉଛି ।


Share It

Comments are closed.