ନଭେମ୍ବର ୫ରେ ବିରାଟ କୋହଲିଙ୍କ ଜନ୍ମ ଦିନ: ମହାନଦୀରୁ ଅଷ୍ଟ୍ରେଲିଆ ଯିବ ଶୁଭେଚ୍ଛା


ଭେଟେରାନ ବ୍ୟାଟର ବିରାଟ କୋହଲିଙ୍କ ଜନ୍ମଦିନ ନଭେମ୍ବର ୫ତାରିଖରେ । ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଖେଳୁଥିବା ବିରାଟଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଫ୍ୟାନ୍‌ ମାନେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ୱକପ୍‌ ପ୍ରସାରଣ ଦାୟିତ୍ୱରେ ଥିବା ଷ୍ଟାର୍‌ ସ୍ପୋର୍ଟ୍ସ ତରଫରୁ ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକ ନିଆରା ଯୋଜନା କରାଯାଇଛି । ୱାଟର୍‌ ସ୍ପୋର୍ଟ୍ସ ଏବଂ ସ୍କୁବା ଡାଇଭିଂ ମାଧ୍ୟମରେ ବିରାଟଙ୍କୁ ଶୁଭେଚ୍ଛା ଜଣାଇବାକୁ ପ୍ରସ୍ତୁତି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏହି ଭିଡ଼ିଓ କଟକ ମହାନଦୀରେ ସୁଟିଂ ହେବ । ନଭେମ୍ବର ୫ତାରିଖରେ ଭିଡ଼ିଓଟି ଷ୍ଟାର୍‌ ସ୍ପୋର୍ଟ୍ସରେ ପ୍ରସାରଣ କରାଯିବ ।

ଭିଡ଼ିଓର ନିର୍ଦ୍ଦେଶକ ରହିଛନ୍ତି ଅନ୍ତର୍ଜାତୀୟ ସ୍କୁବା ଡାଇଭର୍‌ ସବିର୍‌ ବକ୍ସ । ତାଙ୍କ ସହ ଟିମ୍‌ରେ ସଞ୍ଜୟ କର, ପିତ୍ତବାସ ସାସମଲ, ନସିମ୍‌ ଖାନ୍‌, ଋତୁରାଜ, ଡ୍ରାଇଭର୍‌ ନରେନ୍ଦ୍ର ବେହେରା, ସୋନୁ ଦାସ, ସୁମନ ସିଂ, ଭବ୍ୟାଶ୍ରୀ କର ପ୍ରମୁଖ ସାମିଲ୍‌ ରହିବେ । ମହାନଦୀ ପଠାର ନନ୍ଦିକେଶ୍ୱରୀ ପଠାରେ ଏହା ସୁଟିଂ କରାଯିବ । ‘କୋହଲି ତୁମ୍‌ କୋହରାମ୍‌ ମଚାଓ, ୨୦୨୨ ୱାର୍ଲଡ କପ୍‌ ଜିତ୍‌ କେ ଲାଓ । ୟେ ହେ ହମ୍‌ ସଭ୍‌କି ଆରଜୁ । ହାପି ବାର୍ଥ ଡେ ଟୁ ୟୁ..ହାପି ବାର୍ଥ ଡେ ଟୁ ୟୁ..’ ଗୀତର ତାଳେ ତାଳେ ଦୁଃସାହସିକ ଜଳକ୍ରୀଡ଼ା କରିବେ । ପୂର୍ବରୁ ଭିଡ଼ିଓର ପ୍ରଥମ ଭାଗ ଗୋଆରେ ସୁଟିଂ ଶେଷ ହୋଇଛି । ଏହାର ଦ୍ୱିତୀୟ ଭାଗ ଆଜି ମହାନଦୀରେ ସୁଟିଂ ହେବ ବୋଲି ଶ୍ରୀ ବକ୍ସ ସୂଚନା ଦେଇଛନ୍ତି ।


Share It

Comments are closed.