ଘର ଚଳାଇବାକୁ ସଂଘର୍ଷ କରୁଛନ୍ତି ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲୀ


ବିନୋଦ କାମ୍ବଲୀ ଏବଂ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ପିଲା ବେଳୁ ହିଁ ନିବିଡ ବନ୍ଧୁତା । ଏହା କାହାରିକୁ ମଧ୍ୟ ଅଛପା ନାହିଁ । ଉଭୟ ଏକାଠି ମଧ୍ୟ ଟିମ୍‌ ଇଣ୍ଡିଆ ପାଇଁ ଖେଳିଛନ୍ତି । କିନ୍ତୁ ଫରକ୍‌ ହେଉଛି ସଚିନ କ୍ରିକେଟର ଭଗବାନ ହୋଇଗଲେ କିନ୍ତୁ କାମ୍ବଲୀ ଅଧିକ ଦିନ କ୍ରିକେଟରେ ତିଷ୍ଠି ପାରିଲେ ନାହିଁ । ଅନ୍ଧାର ଭିତରେ ହଜିଗଲେ ବିନୋଦ କାମ୍ବଲୀ । ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ଖବର ମଧ୍ୟ ଗଣମାଧ୍ୟମକୁ ସାମ୍ନାକୁ ଆସିଥିଲା । କିନ୍ତୁ ପରେ ସବୁକିଛି ଠିକ୍‌ ହୋଇଯାଇଥିଲା । ପିଲାଦିନର ବନ୍ଧୁତାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୁଏ । ଏବେ କିନ୍ତୁ ବିନୋଦ କାମ୍ବଲୀ ଖୁବ ଆର୍ଥିକ ସମସ୍ୟାରେ ଜୁଝୁଛନ୍ତି । ପ୍ରଥମ ଥର ପାଇଁ ଆର୍ଥିକ ସ୍ଥିତିକୁ ନେଇ ଖୋଲାଖୋଲି କ୍ଷୋଭ ପ୍ରକାଶ କରିଛନ୍ତି କାମ୍ବଲୀ ।

ବିନୋଦଙ୍କ ଆର୍ଥିକ ସ୍ଥିତି ଏବେ ଜଟିଳ । ସଚିନ ତେନ୍ଦୁଲକରଙ୍କ ପିଲାଦିନର ବନ୍ଧୁ କାମ୍ବଲୀଙ୍କ ପରିବାର ଚଳିବା ବି ଏବେ କଷ୍ଟକର ହୋଇପଡିଛି । ତାଙ୍କର ଏକମାତ୍ର ସାହାରା ବିସିସିଆଇ ଦେଉଥିବା ମାସିକ ୩୦ ହଜାର ଟଙ୍କାର ପେନସନ୍‌ । ଏହା ବ୍ୟତିତ କାମ୍ବଲୀଙ୍କ ନିକଟରେ ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନାହିଁ । ଦିନେ କ୍ରିକେଟ୍‌ ପିଚରେ ବୋଲରଙ୍କ ନିଦ ହଜାଉଥିବା କାମ୍ବଲୀ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ଏବେ ସ୍ଥିତି ଭିନ୍ନ । ରୋଜଗାରର ମାଧ୍ୟମ ଖୋଜୁଛନ୍ତି ତେନ୍ଦୁଲକରଙ୍କ ବନ୍ଧୁ ।

କାମ୍ବଲୀ କହିଛନ୍ତି, ‘ମୁଁ ଭୋର ୪ଟାରୁ ଉଠୁଥିଲି । ଡିବାଇ ପାଟିଲ ଷ୍ଟାଡିୟମକୁ ଭଡା ଗାଡିରେ ଯାଉଥିଲି । ପରେ ସନ୍ଧ୍ୟାରେ ବିକେସି ଷ୍ଟାଡିୟମ ଯାଉଥିଲି । ଯାହାକି ଖୁବ ମୁସ୍କିଲ ଥିଲା । ଏବେ କାମ ନାହିଁ । କେବଳ ବିସିସିଆଇ ଦେଉଥିବା ପେନସନ ହିଁ ଏକ ମାତ୍ର ସାହାରା । ମୁମ୍ବାଇ କ୍ରିକେଟ ଆସୋସିଏସନ ନିକଟକୁ ବି କାମ ପାଇଁ ଯାଇଥିଲି । କିନ୍ତୁ ଏବେ ଯାଏଁ କିଛି କାମ ମିଳିନାହିଁ । ଆଶା କରୁଛି ଖୁବଶୀଘ୍ର କାମ ମିଳିଯିବ’।

କାମ୍ବଲୀ କହିଛନ୍ତି, ତାଙ୍କର ବନ୍ଧୁ ତଥା ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ସ୍ଥିତି ବିଷୟରେ ଜାଣିଛନ୍ତି । କିନ୍ତୁ ତାଙ୍କ ଠାରୁ କିଛି ଆଶା ରଖୁନି କାରଣ ପୂର୍ବରୁ ସେ ଅନେକ ସାହାଯ୍ୟ କରିଛନ୍ତି । ତେଣୁ କିଛି କାମ ମିଳିଲେ ଏଭଳି ସ୍ଥିତିରୁ ସାମାନ୍ୟ ଆଶ୍ବସ୍ତୀ ମିଳନ୍ତା ।

ରିପୋର୍ଟ ଅନୁଯାୟୀ କାମ୍ବଲୀଙ୍କ ବାର୍ଷିକ ଆୟ ୧.୫ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୨କୋଟି ଟଙ୍କା ଥିଲା । କିନ୍ତୁ ୨୦୨୨ର ଡାଟା ଅନୁଯାୟୀ ତାଙ୍କର ଏବେ ବାର୍ଷିକ ଆୟ କେବଳ ୪ଲକ୍ଷ ଟଙ୍କା ହିଁ ରହିଛି । ମୁମ୍ବାଇରେ ତାଙ୍କର ନିଜସ୍ବ ଘର ରହିଛି କିନ୍ତୁ ଘର ଖର୍ଚ୍ଚ ତାଙ୍କୁ ଭାରି ପଡୁଛି । ତାଙ୍କ ନିକଟରେ ରେଞ୍ଜ ରୋଭର୍‌ କାର୍‌ ମଧ୍ୟ ଅଛି ।

ବିନୋଦ କାମ୍ବଲୀ ଭାରତ ପାଇଁ ମୋଟ ୧୦୪ଟି ଦିନିକିଆ ଖେଳିଥିବା ବେଳେ ୧୭ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରେ ସେ ମୋଟ ୩୫୬୧ ରନ୍‌ କରିଛନ୍ତି । ଯେଉଁଥିରେ ୪ଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ଅଛି ।


Share It

Comments are closed.