ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଧନଖଡ଼


ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ବିରୋଧ ଦଳ। ରବିବାର ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ବିରୋଧୀ ଦଳଗୁଡ଼ିକର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଲ୍‌ଭା ଆସନ୍ତା ୧୯ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ।

ଅନ୍ୟପକ୍ଷରେ ସୋମବାର ଦିନ ୧୨ଟାରେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ପ୍ରାର୍ଥିପତ୍ର ଦାଖଲ କରିବେ । ବୈଠକ ପରେ ପାୱାର୍‌ କହିଛନ୍ତି, ମୋଟ ୧୭ଟି ଦଳ ଏକାଠି ହୋଇଥିଲେ । ସର୍ବସମ୍ମତିକ୍ରମେ ଆଲ୍‌ଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଇବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ ସବୁ ଦଳର ବିଚାରଧାରା ସମାନ ଥିଲା । ଆସନ୍ତା ମଙ୍ଗଳବାର ଆଲ୍‌ଭା ପ୍ରାର୍ଥିପତ୍ର ଦାଖଲ କରିବେ । ମଙ୍ଗଳବାର ବା ଜୁଲାଇ ୧୯ ତାରିଖ ପ୍ରାର୍ଥିପତ୍ର ଦାଖଲ ପାଇଁ ଶେଷ ତାରିଖ ରହିଛି । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ଯଶୱନ୍ତ ସିହ୍ନାଙ୍କୁ ମିଳିତ ପ୍ରାର୍ଥୀ କରିଥିଲେ ।

ରବିବାର ବୈଠକରେ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଡିଏମ୍‌କେର ଟି ଆର୍‌ ବାଲୁ, ଶିବସେନାର ସଞ୍ଜୟ ରାଉତ, ସିପିଆଇ ନେତା ଡି ରାଜା, ଏମ୍‌ଡିଏମ୍‌କେ ନେତା ଭାଇକୋ, ଟିଆର୍‌ଏସ୍‌ରୁ କେଶବ ରାଓ, ସପା ନେତା ପ୍ରଫେସର ରାମଗୋପାଳ ଯାଦବ, ସିପିଆଇଏମ୍‌ ନେତା ସୀତାରାମ ୟେଚୁରି, ଆର୍‌ଜେଡିର ଅମରେନ୍ଦ୍ର ଧରି ସିଂହ ପ୍ରମୁଖ ଉପସ୍ଥିତ ଥିଲେ । କିନ୍ତୁ ଆମ୍‌ ଆଦ୍‌ମି ପାର୍ଟି କିମ୍ବା ତୃଣମୂଳ କଂଗ୍ରେସରୁ କେହି ପ୍ରତିନିଧି ଆସି ନ ଥିଲେ ।

ପାୱାର କହିଛନ୍ତି, ରବିବାର ବୈଠକରେ ହୋଇଥିବା ନିଷ୍ପତ୍ତି ବାବଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅବଗତ କରାଯାଇଛି । ସେମାନେ ଗତ ଥର ମିଳିତ ପ୍ରାର୍ଥୀ ଦେବା ପାଇଁ ସମର୍ଥନ ଜଣାଇଥିଲେ । ଏଥର ନିର୍ବାଚନରେ ଜେଏମ୍‌ଏମ୍‌ ମଧ୍ୟ ବିରୋଧୀ ଦଳଗୁଡ଼ିକ ସହ ମିଶିଥିବା ଜଣାପଡ଼ିଛି ।

୮୦ ବର୍ଷୀୟା ଆଲ୍‌ଭା ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ୧୯୭୪ରେ କଂଗ୍ରେସରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୮୦, ୧୯୮୬ ଓ ୧୯୯୨ରେ ପୁନଃ ନିର୍ବାଚିତ ହୋଇଥିଲେ । ୧୯୮୪-୮୫ରେ ସଂସଦୀୟ ବ୍ୟାପାର ଏବଂ ଯୁବ, କ୍ରୀଡ଼ା ଓ ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ ମନ୍ତ୍ରଣାଳୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରହିଥିଲେ । ଏହାବ୍ୟତୀତ ଗୋଆ, ଗୁଜରାଟ, ରାଜସ୍ଥାନ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟର ରାଜ୍ୟପାଳ ମଧ୍ୟ ରହିଥିଲେ । ୨୦୦୯ ଅଗଷ୍ଟ ୬ରେ ଆଲ୍‌ଭା ଉତ୍ତରାଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ । ୧୯୪୨ ଏପ୍ରିଲ ୧୪ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ଆଲ୍‌ବା ।


Share It

Comments are closed.