ଉତ୍କଳ ମହୋତ୍ସବ ୨୦୨୩ରେ ‘ଫ୍ରମ୍ ଫାର୍ମ ଟୁ ଫେସନ’ ଜରିଆରେ ହସ୍ତତନ୍ତ ଓ ହସ୍ତକଳାର ପ୍ରସାର


ଭୁବନେଶ୍ୱର: ୱାର୍ଲଡ୍ ଟ୍ରେଣ୍ଡ୍ ସେଂଟର (ଡବ୍ଲୁଟିସି), ଭୁବନେଶ୍ୱର ପକ୍ଷରୁ ଏଟଂରପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ଓ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ ସହଯୋଗିତାରେ ୨୦୨୩ ଡିସେମ୍ବର ୨୨, ଶୁକ୍ରବାରଠାରୁ କିଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲୋଜିରେ ‘ଉତ୍କଳ ମହୋତ୍ସବ-୨୦୨୩ ‘ଫ୍ରମ୍ ଫାର୍ମ ଟୁ ଫେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

ଶୁକ୍ରବାର ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିବା ବେଳେ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ମିନତୀ ବେହେରା,  ଭାରତୀୟ ବୟନ ସଂଘ, ଓଡ଼ିଶା ୟୁନିଟ୍ ଅଧ୍ୟକ୍ଷ ପ୍ରଫେସର ବି ବି ଜେନା, ଏଟଂରପ୍ରେନ୍ୟୁଅରସିପ ଡେଭେଲପମେଂଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଆଂଚଳିକ ନିର୍ଦ୍ଦେଶକ (ପୂର୍ବାଚଂଳ) ଡକ୍ଟର ସୁବ୍ରତ ବିଶ୍ୱାଳ, କିଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଜ୍ଞାନ ରଂଜନ ମହାନ୍ତି, ଡବ୍ଲୁଟିସି ଭୁବନେଶ୍ୱର ଓମେନ ଫୋରମ୍‌ର ଉପଦେଷ୍ଟା ଡକ୍ଟର ରୀନା ରାଉତରାୟ ଏବଂ ଇଡିଆଇଆଇର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପଣ୍ଡା ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ରିବନ କାଟି ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଷ୍ଟଲ ଭ୍ରମଣ କରିଥିଲେ ।

ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ କହିଛନ୍ତି ଯେ, “ବୁଣାକାର ସମୁଦାୟକୁ ପ୍ରୋତ୍ସାହିତ କରିବା ଓ ସେମାନଙ୍କୁ ସଶକ୍ତ କରିବାରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହେବ । ସେମାନଙ୍କୁ ତାଲିମ, ବ୍ୟାଙ୍କ ଋଣ, କଂଚାମାଲ ସହିତ ମାର୍କେଟିଂ ସହାୟତା ଆଦି ପ୍ରଦାନ କରିବା ଜରୁରୀ ହୋଇଥିବା ବେଳେ ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ଅନୁପ୍ରାଣିତ କରିବ । ରାଜ୍ୟ ସରକାର ଏନେଇ ବହୁତ କାର୍ଯ୍ୟ କରୁଛନ୍ତି । ରାଜ୍ୟର କଳା ଓ ସଂସ୍କୃତିକୁ କିଭଳି ଦେଶବିଦେଶରେ ପ୍ରସାର କରି ଲୋକପ୍ରିୟ କରାଯିବ ତାହା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ ।’’

କିଟ ସ୍କୁଲ ଅଫ ଫେସନ ଟେକ୍ନୋଲୋଜିର ଡେପୁଟି ଡାଇରେକ୍ଟର ଜିପସିତା ନାୟକ କହିଛନ୍ତି ଯେ,“ଏହି ପ୍ରଦର୍ଶନୀକୁ ଆୟୋଜନ କରାଯାଇଥିବାରୁ ଆମେ ବହୁତ ଖୁସି । କିଟ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ-୩ ପଡ଼ିଆରେ ରେ ୫୦ଟି ଷ୍ଟଲ ସ୍ଥାପନ କରାଯାଇଛି ଯେଉଁଥିରେ ବହୁ ସଂଖ୍ୟାରେ ବୁଣାକାର, କାରିଗର ଭାଗ ନେଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି । ବହୁ ସଂଖ୍ୟାରେ ଲୋକ ବୁଲିବାକୁ ଆସୁଛନ୍ତି । ବୁଣାକାର ଓ କାରିଗରମାନେ ବେଶ ଉତ୍ସାହିତ ଅଛନ୍ତି ।’’

ଡବ୍ଲୁଟିସି ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶିକା ନିମେସିକା ନଟରାଜନ କହିଛନ୍ତି ଯେ,“ଉତ୍କଳ ମହୋତ୍ସବ ହେଉଛି ରାଜ୍ୟର ବୁଣାକାର ଓ କାରିଗରମାନଙ୍କ ଲାଗି ଏକ ଚମତ୍କାର କାର୍ଯ୍ୟକ୍ରମ । ଏହା ଜରିଆରେ ଆମେ ସେମାନଙ୍କୁ ଏଭଳି ଲୋକ ଓ ସଂସ୍ଥାମାନଙ୍କ ସହ ଯୋଡ଼ିବାକୁ ଚାହୁଁଛୁ ଯିଏ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ବଜାର ପର୍ଯ୍ୟନ୍ତ ନେଇପାରିବ । ଆନ୍ତର୍ଜାତିକ ସ୍ତରରେ ବୁଣାକାରମାନଙ୍କୁ ପହଂଚାଇବା ହେଉଛି ଏକ ବହୁତ ବଡ଼ ଶିକ୍ଷଣୀୟ ପ୍ରକ୍ରିୟା । ଏହି କାର୍ଯ୍ୟକ୍ରମ ଜରିଆରେ ତାହାକୁ ପୂରଣ କରିବାକୁ ଉଦ୍ୟମ କରାଯାଇଛି । ଏହି ପ୍ରଦର୍ଶନୀରେ ରାଜ୍ୟର ୬୦ରୁ ଅଧିକ ବୁଣାକାର ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ିହେବା ଲାଗି ମୁଁ ସମସ୍ତଙ୍କୁ ଆହ୍ୱାନ ଦେବାକୁ ଚାହୁଁଛି ।’’


Share It

Comments are closed.