କାହାକୁ ବି ସମର୍ଥନ କର କିନ୍ତୁ ସୁନକଙ୍କୁ କର ନାହିଁ : ସହଯୋଗୀଙ୍କୁ ଆପିଲ କଲେ ବୋରିସ


ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ପଦ ପାଇଁ ଯେଉଁ ମତଦାନ ଚାଲିଛି ସେଥିରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍। ଦୁଇ ଦୁଇଟି ପର୍ଯ୍ୟାୟରେ ଆଗରେ ରହିଥିବା ଋଷିଙ୍କ ବିରୁଦ୍ଧରେ କିନ୍ତୁ ସେପଟେ ମେଳି କରୁଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଏବେ ଏବେ ଇସ୍ତଫା ଦେଇଥିବା ବୋରିସ୍‌ ଜନ୍‌ସନ। ବୋରିସ୍‌ ତାଙ୍କ ସହଯୋଗୀ ଓ ସମର୍ଥକଙ୍କ ସହିତ କିଛି ଅନ୍ୟ ସାଂସଦଙ୍କୁ କହୁଛନ୍ତି ଯେ, ‘ଯାହାକୁ ଭୋଟ୍‌ ଦେଉଛ ଦିଅ, କିନ୍ତୁ ଋଷି ସୁନକଙ୍କୁ ଆଦୌ ଭୋଟ ଦେବନାହିଁ’। ଗଣମାଧ୍ୟମର ରିପୋର୍ଟ ମୁତାବକ ଶାସନଗାଦୀରେ ଥିବା କଞ୍ଜର୍ଭେଟିଭ ପାର୍ଟିରୁ ବୋରିସ୍‌ ଜନ୍‌ସନ୍‌ ୭ ଜୁଲାଇରେ ଇସ୍ତଫା ଦେଇଥିଲେ।

ଦ ଟାଇମ୍ସର ରିପୋର୍ଟ ମୁତାବକ ସେ ଦଳର ନେତୃତ୍ବ ହାସଲ କରିବା ଦୌଡ଼ରେ ପଛରେ ରହିଯାଇଥିବା ନେତାଙ୍କୁ ଅନୁରୋଧ କରିଛନ୍ତିି ଯେ, ସେମାନେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଚାନ୍ସେଲର ଋଷି ସୁନକ୍‌ଙ୍କୁ ସମର୍ଥନ କରନ୍ତୁ ନାହିଁଳ ଯିଏକି ନିଜ ପାର୍ଟିରେ ଜନ୍‌ସନ୍‌ ସମର୍ଥନ ହରାଇବା ପଛରେ ଦାୟୀ। ବିଶେଷ ସୁତ୍ରରୁ ମିଳିଥିବା ଖବର ମୁତାବକ ଜନ୍‌ସନ୍‌ ବିଦେଶ ମନ୍ତ୍ରୀ ଲିଜ୍‌ ଟ୍ରସଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଜନ୍‌ସନ୍‌ ତାଙ୍କ ଉତ୍ତରାଧିକାରୀ ଭାବରେ ପେନି ମୋର୍ଡାଣ୍ଟଙ୍କ ପାଇଁ ବିକଳ୍ପଗୁଡିକ ଖୋଲା କରିଥିବା ଜଣାଯାଇଛି। ମୋର୍ଡାଣ୍ଟ ହେଉଛନ୍ତି କନିଷ୍ଠ ବାଣିଜ୍ୟ ମନ୍ତ୍ରୀ।

ରିପୋର୍ଟ ଅନୁସାରେ, ପୂର୍ବତନ ଚାନ୍ସେଲରଙ୍କ ଇସ୍ତଫାକୁ ବିଶ୍ବାସଘାତକ ଭାବେ ଗ୍ରହଣ କରି ଜନ୍‌ସନ୍‌ କହିଛନ୍ତି, କାହାକୁ ବି ସମର୍ଥନ କରି ଭୋଟ ଦିଅନ୍ତୁ ପଛେ କୌଣସି ପରିସ୍ଥିତିରେ ବି ସୁନକ୍‌ଙ୍କୁ ଭୋଟ ଦିଅନ୍ତୁ ନାହିଁ ବୋଲି ଅପିଲ୍‌ କରିଛନ୍ତି। ସୂଚନାଯୋଗ୍ୟ ଯେ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦ୍ବାରା ଜନସନ ୧୦ ଡାଉନିଂ ଷ୍ଟ୍ରିଟରୁ ବିଦାୟ ନେବାକୁ ସୁନିଶ୍ଚିତ କରିଥିଲା। ସେପଟେ ଗଣମାଧ୍ୟମର ରିପୋର୍ଟ କହୁଛି, ସମ୍ପୁର୍ଣ୍ଣ ୧୦ ଡାଉନିଙ୍ଗ ଷ୍ଟ୍ରିଟ୍‌ ଋଷି ସୁନକଙ୍କୁ ନାପସନ୍ଦ କରୁଛନ୍ତି। ସେ ଋଷି ସୁନକ୍‌ଙ୍କୁ ବୋରିସ୍‌ଙ୍କ ଇସ୍ତଫା ଦେବା ପଛର କାରଣ ଦର୍ଶାଇଥିଲେ। ସେମାନଙ୍କ କହିବା କଥା ହେଲା ଋଷି ସୁନକ୍‌ ବହୁ ପୂର୍ବରୁ ବୋରିସ୍‌ ଜନସନ୍‌ଙ୍କୁ ଗାଦିଚ୍ୟୁତ କରିବାକୁ ଚେଷ୍ଟା କରୁଥିଲେ। ଏହାରି ଭିତରେ ମଧ୍ୟ ଋଷି ସୁନକ୍‌ ସାଂସଦ ମାନଙ୍କ ଦୁଇଟି ପର୍ଯ୍ୟାୟ ମତଦାନରେ ସର୍ବାଧିକ ଭୋଟ ହାସଲ କରି ପ୍ରଥମରେ ରହିଛନ୍ତି।

 


Share It

Comments are closed.