କରୋନା ସହ ଲଢ଼ୁଥିବା ଏହି ବୃଦ୍ଧ ଦମ୍ପତି ଆଇସିୟୁରେ ଏଭଳି ପାଳନ କଲେ ନିଜର ୫୦ତମ ଆନିଭର୍ସରୀ


ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସର କଳା ବାଦଲ ଛାଇ ରହିଛି । ଏହାର ସଂକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ଅନେକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଲେଣି । କିନ୍ତୁ ଏସବୁ କଷ୍ଟ ମଧ୍ୟରେ ଇଟାଲୀର ହସ୍‌ପିଟାଲରେ ଭର୍ତି ହୋଇ କରୋନା ସହ ଲଢ଼ୁଥିବା ଏହି ଦୁଇଜଣ ବୃଦ୍ଧ ଦମ୍ପତିଙ୍କ ମନୋବଳ ଅନେକଙ୍କ ପାଇଁ ଉଦାହରଣ ପାଲଟିଛି ।
ଇଟାଲୀର ମାର୍ଶ ପ୍ରାନ୍ତର ଫେର୍‌ମୀ ସ୍ଥିତ ଏକ ଆଇସିୟୁରେ କରୋନା ଆକ୍ରାନ୍ତ ଏକ ବୃଦ୍ଧ ଦମ୍ପତି ଭର୍ତି ହୋଇଛନ୍ତି । ଏହି ଦମ୍ପତିଙ୍କ ମଧ୍ୟରେ ସ୍ୱାମୀ ଜିଆନକାଲୋଙ୍କ ବୟସ ୭୩ ହୋଇଥବାବେଳେ ସ୍ତ୍ରୀଙ୍କ ବୟସ ୭୧ ଅଟେ । କିନ୍ତୁ ହସପିଟାଲରେ ଥିବା ସମୟରେ ତାଙ୍କର ୫୦ତମ ବିବାହ ବାର୍ଷିକ ପଡ଼ିଥିଲା ।

ଡ଼େଲି ମେଲ ଅନୁଯାୟୀ ଯେବେ ନର୍ସ ରବର୍ଟ ଫେରଟୀଙ୍କୁ ଏହି ବୃଦ୍ଧ ଦମ୍ପତିଙ୍କର ୫୦ତମ ବିବାହ ବାର୍ଷିକି ବିଷୟରେ ଜଣାପଡ଼ିଲା ସେ ଏହି ଦିନକୁ ଆହୁରି ଖାସ କରିବା ପାଇଁ ହସପିଟାଲର ଷ୍ଟାଫ ଓ ଡାକ୍ତରଙ୍କ ସହ ଏହାର ପ୍ରସ୍ତୁତି କଲେ ।

ହସ୍‌ପିଟାଲର ସଦସ୍ୟମାନେ ଏହି ବୃଦ୍ଧ ଦମ୍ପତିଙ୍କ ପାଇଁ କେକର ବ୍ୟବସ୍ଥା କଲେ । ଏପରିକି ଦୁଇଜଣଙ୍କ ବେଡକୁ ମଧ୍ୟ ପାଖାପାଖି କରିଦେଲେ ଯାହାଦ୍ୱାରା ସୋନେ ପରସ୍ପର ସହ ହାତ ମିଳାଇପାରିବେ । ଏହା ସହିତ ମେଡିକାଲ ଷ୍ଟାଫମାନେ ଏହି ଦମ୍ପତିଙ୍କ ସହ ଫଟୋ ଉଠାଇ ତାଙ୍କ ପିଲାମାନଙ୍କ ପାଖକୁ ଏହି ଫଟୋ ପଠାଇଲେ । ଏହାପରେ ସେମାନେ ବିବାହ ସଂଗୀତ ମଧ୍ୟ ବଜାଇଲେ ।

ଅନ୍ୟପଟେ ଏହି ବୃଦ୍ଧ ଦମ୍ପତିଙ୍କୁ ଏକତ୍ର ଦେଖି ସେମାନଙ୍କ ପିଲାମାନେ ଭାବବିହ୍ୱଳ ହୋଇଯାଇଥିଲେ ଏବଂ ଏଥିପାଇଁ ମେଡିକାଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଥିଲେ ।


Share It

Comments are closed.