ଆଜି ଏହି ସବୁ ଜିଲ୍ଲାରେ ରହିଛି ପ୍ରବଳ ବର୍ଷା! ୧୫ ଜିଲ୍ଲାକୁ ସତର୍କ ସୂଚନା


ରାଜ୍ୟରେ ଏବେ ସକ୍ରିୟ ରହିଛି ମୌମୁମୀ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ଆଜି ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା , ସୁନ୍ଦରଗଡ, ସମ୍ବଲପୁର, ନୂଆପଡା ,ଦେବଗଡ ,ନବରଙ୍ଗପୁର, କୋରାପୁଟ୍,ମାଲକାନଗିରି, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡା, ବରଗଡ଼, କନ୍ଧମାଳ । ସେହିପରି ୧୮ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ରୁ ୨୨ ତାରିଖ ଯାଏଁ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅଧିକାଂଶ ସ୍ଥାନରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷାନେଇ ସତର୍କତା ଜାରି ହୋଇଛି । ଲଗାଣ ବର୍ଷା ଦ୍ବାରା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଉପୁଜିପାରେ ଜଳବନ୍ଦୀ ସମସ୍ୟା । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।

୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଯାହା ୧୯ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ବଙ୍ଗୋପସାଗରରେ ଲଘୁଚାପ, ଉତ୍ତର ପଶ୍ଚିମ ବଙ୍ଗୋପସାଗର, ସଂଲଗ୍ନ ଉତ୍ତର ଓଡିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ରହିଛି ଲଘୁଚାପ। ଯାହା ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୨୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ତେବେ ଜୁନ ୧ ରୁ ୧୬ ଜୁଲାଇ ମଧ୍ୟରେ ରାଜ୍ୟରେ ୨୮୫. ୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷାଠାରୁ ୨୩ ପ୍ରତିଶତ ନିଅଣ୍ଟିଆ ରହିଛି । ଗତ ୨୪ ଘଣ୍ଟାର ବର୍ଷା ୫ ପ୍ରତିଶତ ନିଅଣ୍ଟିଆ ବର୍ଷାକୁ ଭରଣା କରିଛି । ତେବେ ଆଗକୁ ହେବାକୁ ଥିବା ଲଘୁଚାପ ଏହି ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆଶା କରାଯାଉଛି । ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା କାରଣରୁ, ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ଓ ଦଳେଇ ଘାଇ ନିକଟ ମାଛଗାଁ କେନାଲ ବନ୍ଧରେ ୧୦ଫୁଟର ଘାଇ ସୃଷ୍ଟି ହୋଇଛି। ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ହୋଇଯିବାରୁ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉପରେ ପାଣି ଚାଲୁଛି । ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବା ବେଳେ ତରିକୁନ୍ଦ ପଞ୍ଚାୟତ କାର୍ଯ୍ୟାଳୟରେ ପାଣି ପଶିଯାଇଛି। ରାସ୍ତା ଘାଟ, ବିଲ ବାଡ଼ି, ଘର ଦ୍ବାର ସହ ତରିକୁନ୍ଦ ଫାଣ୍ଡି ପାଣି ଘେରରେ ରହିଛି । ଲୋକେ ପାଣି ଭିତରେ ପଶି ଘରକୁ ଯିବା ଆସିବା କରୁଛନ୍ତି । ତେବେ, ମୌମୁମୀ ଆରମ୍ଭରୁ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଲୋକଙ୍କ ମନରେ ଛନକା ପଶିଛି।


Share It

Comments are closed.