ଏବେ ସ୍ପିଡ ପୋଷ୍ଟ ମାଧ୍ୟମରେ ନିଜର ପ୍ରିୟଜନଙ୍କ ଅସ୍ଥିକୁ କରିପାରିବେ ବିସର୍ଜନ, ଜାଣନ୍ତୁ ଡାକ ବିଭାଗର ଏହି ନୂଆ ସୁବିଧା ସଂପର୍କରେ


ଡାକବିଭାଗ ପକ୍ଷରୁ ଉଭୟ କୋଭିଡ୍‌ ଓ ଅଣ କୋଭିଡ୍‌ ମୃତକଙ୍କ ଅସ୍ଥିକୁ ସଂପୂର୍ଣ୍ଣ ବିଧିବିଧାନ ସହ ବିସର୍ଜନ କରିବା ଲାଗି ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି । ବିଭାଗର ସ୍ପିଡ୍‌ ପୋଷ୍ଟ ସେବା ମାଧ୍ୟମରେ ଏବେ ଜଣେ ବ୍ୟକ୍ତି ତାଙ୍କ ପ୍ରିୟଜନଙ୍କର ଅସ୍ଥିକୁ ବିସର୍ଜନ କରିପାରିବେ । ଏଥିପାଇଁ ଅସ୍ଥିକୁ ବାରାଣସୀ, ହରିଦ୍ୱାର, ଗୟା ଓ ପ୍ରୟାଗରାଜ ମଧ୍ୟରୁ କୌଣସି ଏକ ତୀର୍ଥସ୍ଥଳକୁ ପଠାଇବାକୁ ପଡ଼ିବ । ସେଠାରେ ଡାକବିଭାଗ ଓମ୍‌ ଦିବ୍ୟଦର୍ଶନ ନାମକ ଏକ ସଂସ୍ଥା ମାଧ୍ୟମରେ ପଣ୍ଡିତଙ୍କ ଦ୍ୱାରା ସଂପୂର୍ଣ୍ଣ ବିଧିବିଧାନର ସହ ତାକୁ ବିସର୍ଜିତ କରିବ । କରୋନା କାଳରେ ନିଜର ପ୍ରିୟଜନଙ୍କୁ ହରାଇଥିବା ବହୁ ଲୋକ ଏହାଦ୍ୱାରା ଉପକୃତ ହୋଇପାରିବେ ।

ଡାକ ବିଭାଗର ନିର୍ଦ୍ଦେଶକ ଓ ବାରାଣସୀର ପୋଷ୍ଟମାଷ୍ଟର ଜେନେରାଲ କୃଷ୍ଣ କୁମାର ଯାଦବ ଓମ୍‌ ଦିବ୍ୟଦର୍ଶନ ସଂସ୍ଥା ସହ ମିଶି ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏ ସଂପର୍କରେ ସେ କହିଛନ୍ତି, ‘ଏଥିପାଇଁ ଓମ୍‌ ଦିବ୍ୟଦର୍ଶନ ସଂସ୍ଥାର ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ । ପଞ୍ଜୀକରଣ ପରେ ଯେକେହି ନିଜ ପରିଜନଙ୍କ ଅସ୍ଥିକୁ ସ୍ପିଡ୍‌ ପୋଷ୍ଟରେ ବାରାଣସୀ, ହରିଦ୍ୱାର, ଗୟା ଓ ପ୍ରୟାଗରାଜକୁ ପଠାଇ ପାରିବେ । ଅସ୍ଥିକୁ ଭଲ ଭାବେ ପ୍ୟାକେଟ୍‌ କରି ତା’ ଉପରେ ଓମ୍‌ ଦିବ୍ୟଦର୍ଶନ ଲେଖିବାକୁ ପଡ଼ିବ । ପ୍ୟାକେଟ୍‌ ଉପରେ ପଠାଇଥିବା ଲୋକଙ୍କର ପୂରା ନାମ, ଠିକଣା ଲେଖିବାକୁ ହେବ । ଡାକବିଭାଗ ପକ୍ଷରୁ ତାକୁ ଉପରୋକ୍ତ ସଂସ୍ଥା ନିକଟରେ ପହଞ୍ଚାଇ ଦିଆଯିବ । ସଂସ୍ଥା ତାକୁ ବିଧିବଦ୍ଧ ଭାବେ ବିସର୍ଜିତ କରିବ । ସେହି ପ୍ରକ୍ରିୟାକୁ ପରିଜନମାନେ ୱେବ୍‌କାଷ୍ଟରେ ଦେଖିପାରିବେ । ସଂସ୍କାର ପରେ ମୃତକଙ୍କ ପରିବାରକୁ ଡାକମାଧ୍ୟମରେ ଏକ ପ୍ୟାକେଟ୍‌ ଗଙ୍ଗାଜଳ ବି ମିଳିବ ।’


Share It

Comments are closed.