ଗୁଜୁରାଟ ବିଶୋଧନାଗାରର ସଂପ୍ରସାରଣ ପାଇଁ ୨୪ ହଜାର କୋଟି ପୁଞ୍ଜିନିବେଶ କରିବ ଇଣ୍ଡିଆନ ଅଏଲ – ଧର୍ମେନ୍ଦ୍ର ପ୍ରଧାନ


ଗୁଜୁରାଟ/ଭୁବନେଶ୍ୱର, – ଗୁଜୁରାଟ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ ଏବଂ ଗୁଜୁରାଟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଏମଓୟୁ ଅଧୀନରେ ଇଣ୍ଡିଆନ ଅଏଲର ଗୁଜୁରାଟ ବିଶୋଧନାଗାର ରାଜ୍ୟରେ ତୈଳ, ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ସମେତ ଗୁଜୁରାଟର ବିକାଶ ପାଇଁ ୨୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ପୁଞ୍ଜିନିବେଶ ହେବା ଦ୍ୱାରା ଗୁଜୁରାଟ ବିଶୋଧନାଗାର ସଂମ୍ପ୍ରସାରଣ ହେବା ସହ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ଉତ୍ପାଦର ଉପଲବ୍ଧତା ବଢ଼ିବ । ଗୁଜୁରାଟକୁ ପେଟ୍ରୋଲିୟମ ଏବଂ ଡ଼ାଉନଷ୍ଟ୍ରିମ ଶିଳ୍ପର ପେଣ୍ଠସ୍ଥଳି କରିବା ପାଇଁ ଇଣ୍ଡିଆନ ଅଏଲର କାର୍ଯ୍ୟକୁ ଗତି ପ୍ରଦାନ କରିବ । ଏମଓୟୁ ଅନୁସାରେ ଇଣ୍ଡିଆନ ଅଏଲ ଦ୍ୱାରା ଗୁଜୁରାଟରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ବିତରଣ ଷ୍ଟେସନର ପ୍ରତିଷ୍ଠା ହେବ । ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ଗୃହ ନିର୍ମାଣ କମ୍ପେ୍ଲକ୍ସ ସହ ଉଦୀୟମାନ ଇନ୍ଧନର ବିକାଶ କରାଯିବ ।
ଏହି ଏମଓୟୁ ଗୁଜୁରାଟ ପାଇଁ ସମୃଦ୍ଧିର ଏକ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରିବ । ଇନ୍ଧନର ସ୍ଥାୟୀ ବିକାଶ ଓ ଉର୍ଜା ସୁରକ୍ଷାକୁ ବୁଷ୍ଟ୍ ଦେବା ସହିତ ବୃହତ ଆକାରର ନିଯୁକ୍ତି ସୃଷ୍ଟି କରିବ । ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତ ପଦକ୍ଷେପରେ ଆଗେଇବା ପାଇଁ ଗୁଜୁରାଟକୁ ସହାୟକ ହେବ ।
ସୂଚନାଯୋଗ୍ୟ, ଭାରତର ଗ୍ୟାସ ରାଜଧାନୀ ଗୁଜୁରାଟ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଆଜି ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗୁଜୁରାଟରେ ତୈଳ ଏବଂ ଗ୍ୟାସ ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ପେଟ୍ରୋଲିୟମ, ପେଟ୍ରୋକେମିକାଲ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରେର ଗୁଜୁରାଟକୁ ଦେଶର ପେଣ୍ଠସ୍ଥଳି କରିବା ଉପରେ ବିଚାର ବିମର୍ଷ ହୋଇଥିଲା ।


Share It

Comments are closed.