ଟାଟା ଷ୍ଟିଲ୍‌ର ଫେରୋକ୍ରୋମ୍ ପ୍ଲାଂଟ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର




-୧୪ତମ ଜାତୀୟ ସୁରକ୍ଷା କନ୍‌କ୍ଲେଭ୍‌ରେ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: କଟକର ଆଠଗଡ଼ ଓ ଗଞ୍ଜାମର ଗୋପାଳପୁରଠାରେ ଥିବା ଟାଟା ଷ୍ଟିଲର ଫେରୋ କ୍ରୋମ ପ୍ଲାଂଟ୍‌କୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନର୍ଭମେଂଟ୍ ମ୍ୟାନେଜମେଂଟ୍ ସର୍ଭିସେସ୍ (ଆଇକ୍ୟୁଇଏମ୍‌ଏସ୍‌) ପକ୍ଷରୁ ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀ-୨୦୨୩ରେ ଯଥାକ୍ରମେ ପ୍ଲାଟିନମ୍ ଓ ଗୋଲ୍ଡ ବର୍ଗରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୨ ବର୍ଷର ପ୍ରଦର୍ଶନ ପାଇଁ ପ୍ଲାଂଟ୍ ଦ୍ୱୟକୁ ଏହି ପୁରସ୍କାର ଦିଆଯାଇଛି ।

ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ କାର୍ଯ୍ୟ କରୁଥିବା ଏହି କାରଖାନାଗୁଡ଼ିକ ସୁରକ୍ଷା ଏବଂ ପରିଚାଳନାରେ ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ହୋମଗାର୍ଡର କମାଣ୍ଡାଂଟ୍ ଜେନେରାଲ ତଥା ବେସାମରିକ ସୁରକ୍ଷା ନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ଆଠଗଡ଼ସ୍ଥିତ ଫେରୋ କ୍ରୋମ ପ୍ଲାଂଟ୍‌ର ମୁଖ୍ୟ ବାଥୁଲା ଶ୍ରୀନିବାସଙ୍କୁ ପ୍ଲାଟିନମ୍ ପୁରସ୍କାର ଏବଂ ଗୋପାଳପୁରସ୍ଥିତ ଫେରୋ କ୍ରୋମ ପ୍ଲାଂଟ୍‌ର ମୁଖ୍ୟ ଅଟ୍‌ଲା ରାମବାବୁଙ୍କୁ ଗୋଲ୍ଡ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ସମ୍ମାନ ପାଇଁ ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏକ୍‌ଜିକ୍ୟୁଟିଭ୍ ଇନ୍‌ଚାର୍ଜ) (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, “ଆମର ସୁରକ୍ଷା ପଦକ୍ଷେପକୁ ସ୍ୱୀକୃତି ଦେବା ଏବଂ ସମ୍ମାନଜନକ ପୁରସ୍କାରରେ ଆମକୁ ସମ୍ମାନିତ କରିଥିବାରୁ ମୁଁ ବିଚାରକ ମଣ୍ଡଳୀ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି । ଏହା ନିଶ୍ଚିତ ଭାବରେ ଆମ ଟିମ୍‌କୁ ପରିଚାଳନାରେ ସର୍ବୋଚ୍ଚ ନିରାପତା ମାନଦଣ୍ଡ ସୁନିଶ୍ଚିତ କରିବା ଦିଗରେ ଆମର ପ୍ରୟାସକୁ ଆଗକୁ ବଢ଼ାଇବାକୁ ପ୍ରେରଣା ଦେବ ।’’

ଟାଟା ଷ୍ଟିଲ୍ ପାଇଁ କାର୍ଯ୍ୟକ୍ଷେତ୍ର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ କମ୍ପାନୀ ଏହାର କାର୍ଯ୍ୟର ପ୍ରତ୍ୟେକ ଦିଗରେ ବ୍ୟାପକ ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏକ ପ୍ରମୁଖ ଇସ୍ପାତ କମ୍ପାନୀ ଭାବେ ଦୃଢ଼ ସୁରକ୍ଷା ଢାଂଚା ପ୍ରଦର୍ଶନ କରି କମ୍ପାନୀ ଏହାର କର୍ମଚାରୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଆସୁଛି ।


Share It

Comments are closed.