ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ଖାଦ୍ୟ ମହୋତ୍ସବ ଆୟୋଜିତ


– ଖାଂଟି ଆଦିବାସୀ ଖାଦ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଯାଜପୁର ଜିଲ୍ଲା ସ୍ଥିତ ଟାଟା ଷ୍ଟିଲ୍‌ର ସୁକିନ୍ଦା କ୍ରୋମାଇଟ ଖଣି ଅଂଚଳରେ ଅନୁଷ୍ଠିତ ଆଂଚଳିକ ସମ୍ବାଦ କାର୍ଯ୍ୟକ୍ରମରେ ଏକ ଆଦିବାସୀ ଖାଦ୍ୟ ମହୋତ୍ସବ ଆୟୋଜିତ ହୋଇଯାଇଛି । ପୂର୍ବରୁ “ପ୍ରଜାତୀୟ ଖାଦ୍ୟୋତ୍ସବ” ଭାବେ ଜଣା ଯାଉଥିବା ଏହି ମହୋତ୍ସବରେ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ପାରମ୍ପରିକ ସ୍ୱାଦିଷ୍ଟ ଖାଦ୍ୟ ଦେଖିବାକୁ ମିଳିଥିଲା ।

ଗଠନମୂଳକ ଆଲୋଚନା ପାଇଁ ଦେଶ ତଥା ଦେଶ ବାହାରର ଆଦିବାସୀ ମାନଙ୍କୁ ଏକତ୍ରୀତ କରିବାକୁ ଏକ ମଂଚ ଭାବେ ଟିଏସ୍‌ଏଫ୍‌ର ସମ୍ବାଦ କାର୍ଯ୍ୟକ୍ରମ ଉଭା ହୋଇଛି ଏବଂ ଏହା ସମୃଦ୍ଧ ଆଦିବାସୀ ସଂସ୍କୃତି, ସଙ୍ଗୀତ ଓ ଲୋକକଳା ଆଦିକୁ ପ୍ରଦର୍ଶିତ କରୁଛି । ଖାଂଟି ଆଦିବାସୀ ଖାଦ୍ୟର ପ୍ରସାର କରୁଥିବା ଏହି ଆଂଚଳିକ ସମ୍ବାଦ କାର୍ଯ୍ୟକ୍ରମରେ ସବର, ଭୂମୀଜ, ସାନ୍ତାଳ, ହୋ, ମୁଣ୍ଡା, ମାଙ୍କିଡିଆ, ଜୁଆଙ୍ଗ, ମାହାଲି ଓ ମହ୍ଲାର ଆଦିବାସୀଙ୍କ ଘରେ ରୋଷେଇ ହେଉଥିବା ସୁସ୍ୱାଦୁ ଖାଦ୍ୟ ଯଥା ଲେଟୋ, ଜିଲ, ମାଂସ ପିଠା, ହଳଦୀ ପିଠା, ଆରିସା, କାଇ ଚଟଣୀ ଓ ଗେଣ୍ଡା ପିଠା ଆଦି ପ୍ରଦର୍ଶିତ ହୋଇଥିଲା ।

ଓଡ଼ିଶା ସରକାରଙ୍କ ମାନ୍ୟବର ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତି ରଂଜନ ଘଡ଼ାଇ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, “ଆଦିବାସୀ ଖାଦ୍ୟ ପାଇଁ ଉତ୍ସର୍ଗ ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ବେଶ ଆନନ୍ଦିତ । ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଟିମ୍ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।’’

କାର୍ଯ୍ୟକ୍ରମରେ ଯୋଗ ଦେଇ ଟାଟା ଷ୍ଟିଲ୍‌ର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଜ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା କହିଛନ୍ତି ଯେ, “ସମୃଦ୍ଧ କୃଷି-ଜଙ୍ଗଲ ଖାଦ୍ୟ ବିବିଧତାର ପ୍ରଚାର ପ୍ରସାର ପାଇଁ ଆମେ ପ୍ରତିବଦ୍ଧ । ମୋର ଦୃଢ଼ ବିଶ୍ୱାସ ଯେ ଏହି ଖାଦ୍ୟ ମହୋତ୍ସବ ଆମ ସ୍ୱଦେଶୀ ଖାଦ୍ୟ ପଦ୍ଧତିର ସଂରକ୍ଷଣ କରିବା ସହିତ ବଜାର ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ଏବଂ ଆଦିବାସୀ ସମୁଦାୟରେ ଉଦ୍ୟୋଗପତି ପ୍ରବୃତିର ବିକାଶ କରିବ ।’’

ମହୋତ୍ସବକୁ ଆସିଥିବା ଲୋକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, ପାରମ୍ପରିକ ସଙ୍ଗୀତ ଓ ଭାବ ବିନିମୟ ଅଧିବେଶନର ମଜା ନେଇଥିଲେ ଯାହା ସୁକିନ୍ଦା ଅଂଚଳର ଆଦିବାସୀ ସମ୍ପ୍ରଦାୟର ରୀତିନୀତି ଏବଂ ଜୀବନଶୈଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଂଚାୟତିରାଜ ଅନୁଷ୍ଠାନର ସଦସ୍ୟଗଣ ଯୋଗଦେଇଥିବା ବେଳେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନର କନସଲଟାଂଟ୍ ଡକ୍ଟର ପରମାନନ୍ଦ ପଟେଲ୍‌, ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ୍ ମ୍ୟାନେଜମେଂଟ୍‌ର ଶିକ୍ଷକ ଓ ଛାତ୍ରଛାତ୍ରୀ, ଟାଟା ଷ୍ଟିଲ ସିଏସ୍‌ଆର୍ (ଓଡ଼ିଶା) ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଟିଏସ୍‌ଏଫ୍ ସୁକିନ୍ଦା ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ, ପ୍ରଶାସନିକ ମୁଖ୍ୟ (ଏଫ୍‌ଏଏମ୍‌ଡି) ଗୌତମ ଚକ୍ରବର୍ତୀ ଏବଂ ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Share It

Comments are closed.