ଆଜି ସୁପରକିଙ୍ଗ୍‌ସ – ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଫାଇଟ୍


ଆଇପିଏଲ୍‌ ଇତିହାସରେ ସବୁଠୁ ସଫଳ ଦୁଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ଗୁରୁବାର ପରସ୍ପରକୁ ଭେଟିବେ। ଚଳିତ ସିଜନରେ ଉଭୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତଥାପି ଫ୍ୟାନ୍‌ଙ୍କ ଆସ୍ଥା ଭାଙ୍ଗିନି । ସ୍ପେନ୍‌ର ଲୋକପ୍ରିୟ ଦୁଇ ଫୁଟବଲ୍‌ କ୍ଲବ୍‌ ରିୟଲ ମାଦ୍ରିଦ ଓ ବାର୍ସେଲୋନା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ଭଳି ଭାରତୀୟ କ୍ରିକେଟ୍‌ ପ୍ରେମୀ ମୁମ୍ବାଇ ଓ ଚେନ୍ନାଇ ଦଳ ପାଇଁ ପାଗଳ । ଫଳାଫଳ ଯାହା ହେଉ ନା କାହିଁକି, ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଶିଖର ଛୁଇଁବ ।

ଉଭୟ ଦଳ ଇତି ମଧ୍ୟରେ ୬ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରକିଙ୍ଗ୍‌ସ ଗୋଟିଏ ମାତ୍ର ବିଜୟ ସହ ୨ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାର ନବମ ସ୍ଥାନ ଅକ୍ତିଆର କରିଛି । ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବିଜୟ ଖାତା ଖୋଲିପାରି ନାହିଁ ।

ଉଭୟ ଦଳ ବୋଲିଂ ବିଫଳତାକୁ ନେଇ ବାରମ୍ବାର ପରାଜିତ ହେଉଛନ୍ତି । ସୁପରକିଙ୍ଗ୍‌ସ ଦଳର ଷ୍ଟାର୍‌ ପେସ୍‌ ବୋଲର ଦୀପକ ଚହର ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ଅନ୍ୟ ବୋଲରମାନେ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଏକାଧିକ ଦକ୍ଷ ପେସ ବୋଲର ରହିଥିଲେ ହେଁ ଏପର୍ଯ୍ୟନ୍ତ ସବୁ ନିରାଶ କରିଛନ୍ତି । ସ୍ପିନ୍‌ ବିଭାଗ ସମ୍ପୂର୍ଣ୍ଣ ଦୁର୍ବଳ ରହିଛି ।

ବ୍ୟାଟିଂ ବିଭାଗକୁ ନେଇ ସୁପରକିଙ୍ଗ୍‌ସ ବର୍ତ୍ତମାନ ଆଶ୍ୱସ୍ତ । ଗତ ସିଜନରେ ଅରେଞ୍ଜ କ୍ୟାପ୍‌ ହାସଲ କରିଥିବା ଋତୁରାଜ ଗାଏକୱାଡ୍‌ ଗତ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ୭୩ ରନ୍‌ର ଇନିଂସ ଖେଳି ଫର୍ମକୁ ଫେରିଛନ୍ତି । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସର ଓପନିଂ ବିଭାଗକୁ ନେଇ ଚିନ୍ତା ରହିଛି । ଉଭୟ ରୋହିତ ଶର୍ମା ଓ ଇଶାନ କିଷନ ଦୃଢ ମୂଳଦୁଆ ପକାଇବାରେ ବିଫଳ ହୋଇଛନ୍ତି । ରୋହିତ ଫର୍ମ ଫେରି ପାଇଲେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ସହଜ ହେବ ।

ଆଜିର ମ୍ୟାଚ୍‌ରେ ଯଶପ୍ରୀତ ବୁମରା ଓ ରବିନ ଉଥପ୍ପା ୨୦୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିବେ । ତଥାପି ଡ୍ୱେନ ବ୍ରାଭୋଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୩୧ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ସେ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ: ଇଶାନ କିଷନ, ରୋହିତ ଶର୍ମା(ଅଧିନାୟକ), ଡିୱାଲ୍ଡ ବ୍ରେଭିସ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, କିରେନ ପୋଲାର୍ଡ/ ଟିମ ଡେଭିଡ୍‌, ଫାବିଆନ ଆଲେନ, ମୁରୁଗାନ ଅଶ୍ୱିନ, ଯଶପ୍ରୀତ ବୁମରା, ତିମାଲ ମିଲ୍ସ/ରିଲି ମେରେଡିଥ୍‌, ଜୟଦେବ ଉନାକାତ ।

ସୁପରକିଙ୍ଗ୍‌ସ: ଋତୁରାଜ ଗାଏକୱାଡ୍‌, ରବିନ ଉଥପ୍ପା, ମୋଇନ ଅଲି, ଅମ୍ବାତି ରାୟୁଡୁ, ଶିବମ ଦୁବେ, ମହେନ୍ଦ୍ର ସିଂ ଧୋନି, ରବିନ୍ଦ୍ର ଜାଡେଜା, ଡ୍ୱେନ ବ୍ରାଭୋ, କ୍ରିସ ଜୋର୍ଡାନ/ଡ୍ୱେନ ପ୍ରିଟୋରିୟସ, ମହିଶ ଥିକ୍ଷଣା, ମୁକେଶ ଚୌଧୁରୀ ।


Share It

Comments are closed.