ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ


ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବାତ୍ୟା ‘ୟାସ’ ଦ୍ୱାରା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ପ୍ରପୀଡିତଙ୍କୁ ରିଲିଫ ପ୍ରଦାନ ଓ ବାତ୍ୟା ପରବର୍ତ୍ତୀ ଥାଇଥାନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର ଯାଇ ଜିଲ୍ଲାର ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର ସଦର ବିଧାୟକଙ୍କ ସହ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୱାର୍ଡ ୩୧ର ମସଜିଦ ଗଳି ଓ ଅରୋଡ ବଜାର ଏବଂ ୫ ନଂ ୱାର୍ଡକୁ ଯାଇ ବାତ୍ୟା ପରବର୍ତ୍ତୀ ରିଲିଫ ବିଷୟରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ ଦିଗରେ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ ।
ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର ସଦର ବ୍ଲକର ସାରଥା ଗ୍ରାମପଞ୍ଚାୟର ସାରଥା, ଚକ୍ରସାରଥା, ଗଁନ୍ଦିଆ, ମୁହାଣ, ବାଙ୍ଗସିରି, ମେଘା, ହଳଦୀଗଡି, ଖୁଦକାଣ୍ଡିଆ, ମିରିଚି, ବୁଧିଆମାରି , ଖଡଖଡି ଏବଂ ଆଲବେନ୍ଦା ଗ୍ରାମପଞ୍ଚାୟରେ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଥିଲେ । ବାଲେଶ୍ୱର ସଦରର ବିଭିନ୍ନ ଗ୍ରାମ ବୁଲି ବାତ୍ୟା ପରବର୍ତ୍ତୀ ସ୍ଥିତି ଦେଖିବା ପରେ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କିପରି ହୋଇପାରିବ ସେ ବିଷୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ବୈଠକରେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଖୋଲାଯାଇଥିବା ଫ୍ରି କିଚେନରେ ଖାଦ୍ୟଯୋଗାଣ ବିଭାଗ ପକ୍ଷରୁ ପିଡିଏସ ଚାଉଳ ଯୋଗାଇ ଦିଆଯାଇଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଚୁଡା ଓ ଗୁଡ ମହଜୁଦ ଅଛି ଏବଂ ରିଲିଫ ଆକାରରେ ଯୋଗାଇ ଦିଆଯାଉଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିଭାଗ ପକ୍ଷରୁ ମଇ ଓ ଜୁନ ମାସର ରାସନ ସାମଗ୍ରୀ ସଂପୂର୍ଣ୍ଣ ଉଠାଣ ହୋଇ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପିଇବା ପାଣି ଯୋଗାଇଦେବା ସହିତ ରାସ୍ତା ଘାଟରେ ମରାମତି କାର୍ଯ୍ୟ ଚାଲୁ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଜିଲ୍ଲାର ରାସ୍ତାଘାଟର ମରାମତି ପରେ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଚାଷୀମାନଙ୍କୁ ପୂର୍ବରୁ ଦିଆଯାଇଥିବା ଟୋକେନର ତାରିଖ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ସମୀକ୍ଷା ବୈଠକରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୁପ କୁମାର ଦାସ ଓ ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ ।


Share It

Comments are closed.