ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ-୨୦୨୦ ପାଳିତ


ରାଜ୍ୟ ସରକାରଙ୍କ ପକ୍ଷରୁ ଉପଭୋକ୍ତାର ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି । ଉପଭୋକ୍ତାଙ୍କ ଅଧିକାରକୁ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଖାଉଟି ସୁରକ୍ଷା ଆଇନ ଅନୁସାରେ ନିଜେ ଉପଭୋକ୍ତା କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେଥିପାଇଁ ସବୁ ସ୍ତରରେ ଉଦ୍ୟମ ଆବଶ୍ୟକତା ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ପୂର୍ବାହ୍ନରେ ଜାତୀୟ ଉପଭୋକ୍ତା ଦିବସ-୨୦୨୦ ପାଳନ ଅନୁସାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନସ୍ଥ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଅନୁକୂଲ୍ୟରେ ଆୟୋଜିତ ଏକ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ସଚେତନ ଖାଉଟି ହିଁ ସୁରକ୍ଷିତ ଖାଉଟି । ଏସି ବାର୍ତ୍ତା ସାଧାରଣରେ ପହଞ୍ଚିାଇବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିରନ୍ତର ଉଦ୍ୟମ ଜାରି ରଖିଛି । ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ରେ ଥିବା ପ୍ରାବଧାନ ଓ ପ୍ରତିବଦ୍ଧିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହମ କରାଯାଇଛି । ଖାଉଟି ସୁରକ୍ଷା ସଚେତନତାକୁ ଏକ ସାମାଜିକ ଆନ୍ଦୋଳନ ଭାବେ ଅଭିହିତ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଏ ଦିଗରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି । ଅନେକ ସ୍ଥାନୀୟ ଉତ୍ପାଦନ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଖାଦ୍ୟ ସୁରକ୍ଷା ଓ ଏହାର ମାନଦଣ୍ଡ ଅନୁସରଣ କରୁନଥିବାବେଳେ କିଛି ନାମୀଦାମୀ କମ୍ପାନୀ ମାନଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ନିଶ୍ଚିତ ଋପେ ଉଦବେଗର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ୱେବିନାରରେ ଯୋଗଦେଇ ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି ମାନ୍ୟବର ବିଚାରପତି ଡ. ଦୁର୍ଗାପ୍ରସନ୍ନ ଚୌଧୁରୀ କହିଲେ ଯେ, ୧୯୮୬ ମସିହାରେ ଆଇନରେ ଖାଉଟିମାନଙ୍କର ସୀମିତ ଅଧିକାର ଥିବାରୁ ଏହାକୁ ପରିବର୍ତ୍ତନ କରାଯାଇ ନୂତନ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ରେ ପ୍ରଣୟନ କରାଯାଇ ଏହାର ପରିସରକୁ ବ୍ୟାପକ କରାଯାଇଛି ।
ୱେବିନାରରେ ଅନ୍ୟମାନଙ୍କ ମଧ୍ୟରେ ଖାଉଟିଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ଓ ଖାଉଟି କଲ୍ୟାଣ ପରାମର୍ଶଦାତା ପ୍ରଫେସର ବିଜୋନ ମିଶ୍ର ଅଂଶ ଗ୍ରହଣ କରି କହିଲେ ଯେ, ସଂପ୍ରତି ଇ-ମାର୍କେଟିଂ ଓ ଡିଜିଟାଲ ଯୁଗରେ ଦ୍ରବ୍ୟ କ୍ରୟବିକ୍ରୟରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏଥି ସହିତ ଆନ୍ତର୍ଜାତିୟ ସ୍ତରରେ ବାଣିଜ୍ୟିକ ନିୟମରେ ହୋଇଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଖାଉଟିଙ୍କୁ ସଂପୂର୍ଣ୍ଣ ଦେବା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ ପ୍ରଣୟନ କରାଯାଇଛି । ଏଣିକି ଉପଭୋକ୍ତା ସେମାନଙ୍କ ଅଭିଯୋଗ ଘରେ ବସି ଇ-ଫାଇଲ ମାଧ୍ୟମରେ କରିପାରିବେ । ଏହି ଅଧିନିୟମ ଅନୁସାରେ ମଧ୍ୟସ୍ଥତା କେନ୍ଦ୍ରର ସ୍ଥାପନ କରାଯାଇ ଶୀଘ୍ର ଓ ସହଜରେ ଖାଉଟିମାନଙ୍କର ଅଭିଯୋଗର ସମାଧାନ କରି ହେବ ।
ୱେବିନାରରେ ଖାଉଟି କଲ୍ୟାଣର ନିର୍ଦ୍ଦେଶକ ଶ୍ରୀ ସତ୍ୟନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଏଥିରେ ବିଭାଗୀୟ ଅଧିକାରୀ, ଉପଭୋକ୍ତା କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , ଉପଭୋକ୍ତା ଅଦାଲତର ଅଧିବକ୍ତା , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷେତ୍ର ଅଧିକାରୀ ଓ ବରିଷ୍ଠ ନାଗରିକଙ୍କ ସମେତ ୪୫୦ରୁ ଉର୍ଦ୍ଧ୍ୱ ଖାଉଟି ଭାଗ ନେଇଥିଲେ ।


Share It

Comments are closed.