ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ୟାବିନ୍‌ରୁ ଧୂଆଁ ବାହାରିବା ପରେ ଜରୁରୀ ଅବତରଣ କଲା ସ୍ପାଇସଜେଟ୍‌ ବିମାନ


ଗୋଆରୁ ହାଇଦ୍ରାବାଦ ଆସୁଥିବା ସ୍ପାଇସଜେଟ୍‌ ବିମାନ ଜରୁରୀ ଅବତରଣ କରିଛି । ବିମାନ ଭିତରେ ହଠାତ୍‌ ଧୂଆଁମୟ ହୋଇଯିବାରୁ ଭୟଭୀତ ହୋଇଯାଇଥିଲେ ଯାତ୍ରୀ । ବୁଧବାର ରାତିରେ ହାଇଦ୍ରାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି ସ୍ପାଇସଜେଟ୍‌ ବିମାନ । ପ୍ଲେନ୍‌ର କ୍ୟାବିନ୍‌ ଏବଂ କକ୍‌ପିଟ୍‌ରୁ ଧୂଆଁ ବାହାରିବା ଘଟଣାକୁ ନେଇ ଡିଜିସିଏ ଆରମ୍ଭ କରିଛି ତଦନ୍ତ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ହାଇଦ୍ରାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରିବା ପରେ ଏମର୍ଜିନ୍ସି ଏକ୍ସଜିଟ୍‌ ପଟେ ଯାତ୍ରୀମାନଙ୍କୁ ବାହାରକୁ ବାହାର କରାଯାଇଥିଲା । ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ସ୍ପାଇସଜେଟ୍‌ର Q400 ବିମାନ VT-SQBରେ ମୋଟ ୮୬ ଜଣ ଯାତ୍ରୀ ଥିଲେ । ବୁଧବାର ରାତି ପ୍ରାୟ ୧୧ଟା ବେଳେ ବିମାନଟି ଜରୁରୀ ଅବତରଣ ପାଇଁ ଅନୁମତି ମାଗିବାରୁ ୯ଟି ଫ୍ଲାଇଟର ଗତିପଥ ପରିବର୍ତ୍ତନ କରାଯାଇଥିଲା । ପ୍ଲେନରେ ଆସୁଥିବା ଜଣେ ଯାତ୍ରୀ ଭିତରର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଫଟୋରେ ସେଖିବାକୁ ମିଳୁଛି ଯେ, ବିମାନ ଭିତର ପୂରାପୂରି ଭାବେ ଧୂଆଁମୟ ହୋଇଯାଇଛି । ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସୂଚନାଯୋଗ୍ୟ, ଗତ କିଛିିଦିନ ମଧ୍ୟରେ ଅନେକ ଥର ଯାନ୍ତ୍ରିକ ତ୍ରୁଟିର ସାମ୍ନା କରିସାରିଲାଣି ସ୍ପାଇସଜେଟ୍‌ ବିମାନ । ଏଥିପାଇଁ ଡିଜିସିଏ ପକ୍ଷରୁ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ଅକ୍ଟୋବର ୨୯ ତାରିଖ ଯାଏଁ ୫୦ ପ୍ରତିଶତ କ୍ଷମତାରେ ବିମାନ ଚଳାଚଳ କରିବା ପାଇଁ ଏୟାରଲାଇନ୍‌ ନିର୍ଦ୍ଦେଶ ଦେଇଥିଲା ବିମାନ ଚଳାଚଳ ମନ୍ତ୍ରାଳୟ ।


Share It

Comments are closed.