ସୋଆରେ ଆୟୋଜିତ ହେବ ଆନ୍ତର୍ଜାତିକ ଚେସ୍ ଉତ୍ସବ


ଭୁବନେଶ୍ୱର, ଡିସେମ୍ବର ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆସନ୍ତା ଜାନୁଆରୀ ୨୮ ରୁ ଫେବୃଆରୀ ୪, ୨୦୨୪ ପର୍ଯ୍ୟନ୍ତ ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଭୁବନେଶ୍ୱର ସ୍ଥିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆୟୋଜିତ ହେବ । ସୋଆ, ଇନ୍‌ଟରନ୍ୟାସ୍‌ନାଲ ଚେସ ଫେଡେରେସନ୍ (ଆଇସିଏଫ୍‌), ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌), ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ପକ୍ଷରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଥିବା ବେଳେ ଏଥିରେ ମୋଟ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରଖାଯାଇଛି ।


ସୋଆର ଦ୍ୱିତୀୟ କ୍ୟାମ୍ପସ୍‌ରେ ଆୟୋଜିତ ହେବାକୁ ଥିବା ଏହି ୮ ଦିନିଆ ଟୁର୍ଣ୍ଣାମେଂଟରେ ୧୮ ରୁ ୨୦ ଟି ଦେଶରୁ ପ୍ରାୟ ୧୫୦୦ ଖେଳାଳୀ ଯୋଗ ଦେବାର ସମ୍ଭାବନା ଅଛି ବୋଲି ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି ।
ବର୍ତମାନ ସୁଦ୍ଧା ଡେନ୍‌ମାର୍କ, ନେଦରଲ୍ୟାଣ୍ଡସ୍‌, ଇରାନ୍‌, ଶ୍ରୀଲଙ୍କା, ଭିଏତନାମ୍‌, ଆର୍ମେନିଆ, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, ତୁର୍କମେନିସ୍ତାନ ଉଜ୍‌ବେକିସ୍ତାନ, ସ୍ଲୋଭାକିଆ, ଜିମ୍ବାୱେ ଓ ଭାରତର ଚେସ୍ ଖେଳାଳୀମାନେ ଏହି ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି ।


ସାମ୍ବାଦିକ ସମ୍ମିଳନୀରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ)ର ଉପସଭାପତି ଶ୍ରୀ ବସନ୍ତ କୁମାର ଦାସ, ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ ଓ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭଟ୍ଟ କହିଥିଲେ ଯେ ଏହି କାର୍ଯ୍ୟକ୍ରମକୁ ସୋଆ ଯେଉଁଭଳି ଭାବେ ଆଗେଇ ଆସି ସହଯୋଗ କରିଛି ସେଥିପାଇଁ ବିଶ୍ୱବିଦ୍ୟାଳୟ ଉଚ୍ଚ ପ୍ରଶଂସାଯୋଗ୍ୟ । ଚେସ୍‌କୁ ଲୋକପ୍ରିୟ କରିବା ଦିଗରେ ଏହା ଖୁବ୍ ଭଲ କାର୍ଯ୍ୟ କରିବ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଆର୍ଥିକ ସାହାଯ୍ୟ ସହିତ ପ୍ରତିଯୋଗିତା ଆୟୋଜନ ନିମନ୍ତେ ସମସ୍ତ ଭିତିଭୂମି ଯୋଗାଇ ଦିଆଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଚେସ୍‌କୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ଭୁବନେଶ୍ୱରରେ ଏକ ଚେସ୍ ଏକାଡେମୀ ଆରମ୍ଭ କରାଯାଇଥିବା ସେ କହିଛନ୍ତି ।


ଭାରତ ସମେତ ୨୦ଟି ବିଭିନ୍ନ ଦେଶରୁ ପ୍ରାୟ ୬୦ ରୁ ୭୦ ଜଣ ଗ୍ରାଣ୍ଡ ମାଷ୍ଟର୍ସ ଓ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର୍ସ ଏହି ପ୍ରତିଯୋଗିତାରେ ସାମିଲ ହେବେ । ପ୍ରତିଯୋଗିତା ନିମନ୍ତେ ରାଜ୍ୟରେ ସର୍ବାଧିକ ପୁରସ୍କାର ରାଶି ପ୍ରଦାନ କରାଯିବ ।
୨୦୦୮ରେ ତୁର୍କୀ ଠାରେ ଆୟୋଜିତ ଜୁନିୟର ୱାର୍ଲ୍ଡ ଚେସ୍ ଚାମ୍ପିଅନ୍‌ସିପର ବିଜେତା ଗ୍ରାଣ୍ଡ ମାଷ୍ଟର ଅଭିଜିତ ଗୁପ୍ତା (୨୫୯୬ ଇଏଲ୍‌ଓ ରେଟିଙ୍ଗ) ଏପର୍ଯ୍ୟନ୍ତ ଏହି ପ୍ରତିଯୋଗିତାର ଟପ୍ ସିଡ ଖେଳାଳି ଭାବେ ବିବେଚିତ ହେଉଛନ୍ତି ବୋଲି ସେ କହିଛନ୍ତି ।


ଖେଳାଳୀମାନେ ୩ ଟି କ୍ୟାଟେଗୋରୀରେ ବିଭକ୍ତ ହେବେ । କ୍ୟାଟେଗୋରୀ – ଏ, କ୍ୟାଟେଗୋରୀ – ବି ଓ କ୍ୟାଟେଗୋରୀ-ସି । କ୍ୟାଟେଗୋରୀ- ଏ ନିମନ୍ତେ ୨୦ ଲକ୍ଷ ଟଙ୍କାର ମୋଟ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଥିବା ବେଳେ କ୍ୟାଟେଗୋରୀ – ବି ଓ ସି ପାଇଁ ସାଢ଼େ ୭ ଲକ୍ଷ ଟଙ୍କା ମୋଟ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ଭଟ୍ଟ କହିଛନ୍ତି ।


ବିଶ୍ୱ ଚେସ୍ ଫେଡେରେସନ୍‌ର ପରିଚାଳନା କର୍ତୃପକ୍ଷ ଏଫ୍‌ଆଇଡିଇ ଦ୍ୱାରା ସ୍ଥାପିତ ନିୟମ ତଥା ଏଫ୍‌ଆଇଡିଇ ସ୍ୱିଜ୍ ପ୍ରଣାଳୀରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । କ୍ୟାଟେଗୋରୀ -ଏ ଓ ବି ରେ ୧୦ ରାଉଣ୍ଡ ଏବଂ କ୍ୟାଟେଗୋରୀ -ସିରେ ୯ ରାଉଣ୍ଡ ଖେଳ ହେବ । ସବ୍ୟତମ ଏଫ୍‌ଆଇଡିଇ ନିୟମ ଏଥିରେ ଅନୁସୃତ ହେବ ।


ଭାରତୀୟ ଖେଳାଳୀମାନଙ୍କ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍‌ରେ ପଞ୍ଜିକୃତ କରାଇଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ବିଦେଶୀ ଖେଳାଳୀମାନଙ୍କୁ ଏହି ପ୍ରତିଯୋଗିତାରେ ସାମିଲ ହେବା ନିମନ୍ତେ ଏକ ଏଫଆଇଡିଇ ଆଇଡିର ଆବଶ୍ୟକତା ପଡ଼ିବ ।


Share It

Comments are closed.