ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ପାଇଁ ଝାରସୁଗୁଡ଼ା ହେଉଛି ପରବର୍ତୀ ଆକର୍ଷଣ : ପ୍ରମୁଖ ଶାସନ ସଚିବ


ଭୁବନେଶ୍ୱର: ଓଡ଼ିଶା ସରକାର ଓ ରାଜ୍ୟର ପ୍ରମୁଖ ଶିଳ୍ପ ସଂଘଗୁଡ଼ିକ ସହଯୋଗିତାରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଝାରସୁଗୁଡ଼ାରେ ୨୦୨୪ ଜାନୁଆରି ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୨୪ତମ ଏଟଂରପ୍ରାଇଜ୍ ଓଡ଼ିଶାର ଆୟୋଜନ କରାଯାଉଛି । ସିଆଇଆଇ ଏଂଟରପ୍ରାଇଜ ଓଡ଼ିଶା ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଆଇଏଏସ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ, “ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ବହୁ ଶିଳ୍ପ ସଂସ୍ଥା ସମ୍ବଲପୁର, ବରଗଡ଼, କଳାହାଣ୍ଡି ଭଳି ସ୍ଥାନରେ ସେମାନଙ୍କ ପ୍ରକଳ୍ପ ସ୍ଥାପନ କରିବା ଘୋଷଣା କରିଛନ୍ତି । ପ୍ରତି ମାସରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ବୈଠକ ଅନୁଷ୍ଠିତ ହେଉଛି । ପ୍ରତି ବୈଠକଗୁଡ଼ିକରେ ମଞ୍ଜୁର ହୋଇଥିବା ଅତିକମରେ ୪-୫ଟି ପ୍ରକଳ୍ପ କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଭଳି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତା ସିଙ୍ଗଲ ୱିଣ୍ଡୋ ବୈଠକରେ ୨୦ଟି ପ୍ରସ୍ତାବ ବିଚାରକୁ ନିଆଯାଇଥିବା ବେଳେ ସେଥିରୁ ମଧ୍ୟ ବହୁ ପ୍ରକଳ୍ପ ରାଜ୍ୟର ଏହି ଅଂଚଳଗୁଡ଼ିକରେ କାର୍ଯ୍ୟକାରୀ ହେବ । ସରକାର ଏହି ଅଂଚଳର ଶିଳ୍ପାୟନକୁ ଗୁରୁତ୍ୱ ଦେଉଥିବାରୁ ପ୍ରଥମ ଥର ଲାଗି ଝାରସୁଗୁଡ଼ାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତି ହୋଇଥିଲା । ସବୁ ଶିଳ୍ପ ସଂଘଗୁଡ଼ିକୁ ଏଥିପାଇଁ ଏକତ୍ରୀତ ହୋଇଥିବାରୁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ ।’’

୨୪ତମ ସିଆଇଆଇ ଏଟଂରପ୍ରାଇଜ୍ ଓଡ଼ିଶା ସମ୍ପର୍କରେ ଇପିକଲ୍ ଓ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଆଇଏଏସ ଶ୍ରୀ ଭୁପେନ୍ଦ୍ର ସିଂହ ପୁନିଆ କହିଛନ୍ତି ଯେ, “ସ୍ଥାନୀୟ ଉଦ୍ୟୋଗୀ ସୃଷ୍ଟି କରିବା ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ବ୍ୟାପକ ସୁଯୋଗ ପ୍ରଦାନ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଶିଳ୍ପାୟନରେ ଓଡ଼ିଶା ଜାତୀୟ ସ୍ତରରେ ପରିଚିତ ହୋଇଛି । ଓଡ଼ିଶା ବିଷୟରେ ଆଲୋଚନା ହେଉଛି । ଏହି ଧାରା ବଜାୟ ରହିବା ଲାଗି ରାଜ୍ୟର ସବୁ ଅଂଚଳରେ ଆନୁଷଙ୍ଗିକ ଶିଳ୍ପ ଓ ମୂଲ୍ୟଯୋଗର ବିକାଶ ହେବା ଦରକାର । ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ଆମେ ସିଆଇଆଇକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ । ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ବାହାରର ନିବେଶକଙ୍କ ବ୍ୟତୀତ ରାଜ୍ୟ ଭିତରେ ନିବେଶକମାନେ ମଧ୍ୟ ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ସୁଯୋଗ ବିଷୟରେ ଜାଣିପାରିବେ ।’’

ଏହି ତିନିଦିନିଆ ପ୍ରଦର୍ଶନୀରେ ୨୦୦ରୁ ଅଧିକ ପ୍ରଦର୍ଶନକାରୀ, ୧୦୦ରୁ ଅଧିକ ସିଇଓ ଓ ସିଏକ୍ସଓ, ୨୦ରୁ ଅଧିକ ରାଷ୍ଟ୍ରାୟତ ଉଦ୍ୟୋଗ ଭାଗନେବେ । ଦୁଇ ଦିନ ସମ୍ମିଳନୀ ଆୟୋଜନ କରାଯିବ । ଏହି ପ୍ରଦର୍ଶନୀକୁ ୪୦୦୦ରୁ ଅଧିକ ପରିଦର୍ଶନଙ୍କ ଆମଗନ ହେବା ଆଶା କରାଯାଉଛି । ପ୍ରଦର୍ଶନକାରୀଙ୍କ ମଧ୍ୟରେ ରାଜ୍ୟର ବୃହତ ଓ ମଧ୍ୟମ ଶି୍‌ଳ୍ପ ସଂସ୍ଥା, ସେବା କ୍ଷେତ୍ରର ସଂସ୍ଥା, ଆନ୍ତର୍ଜାତିକ ସଂଗଠନ, ବହୁଦେଶୀୟ ଏଜେନ୍ସି, ପ୍ରମୁଖ ଦେଶଗୁଡ଼ିକର ବାଣିଜ୍ୟ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଂଶଗ୍ରହଣ କରିବେ । ଷ୍ଟାର୍ଟଅପ ଓ ମହିଳା ଉଦ୍ୟୋଗୀଙ୍କୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯିବ ।

୨୪ତମ ସିଆଇଆଇ ଏଟଂରପ୍ରାଇଜ ଓଡ଼ିଶାର ପ୍ରଦର୍ଶନକାରୀମାନେ ଆଇଟି ଓ ତତ୍ ସଂକ୍ରାନ୍ତୀୟ, ସ୍ଥାୟୀ, ଅକ୍ଷୟ ଶକ୍ତି, ଲଜିଷ୍ଟିକ ଓ ଭିତିଭୂମି, ସୁରକ୍ଷା ସମାଧାନ, ମାନୁଫାକଚରିଂ, ପ୍ରତିରକ୍ଷା ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଉତ୍ପାଦ ଓ ସେବାକୁ ପ୍ରଦର୍ଶନ କରିବେ ।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶ୍ରୀ ଶଶି ଶେଖର ମହାନ୍ତି, ଉପାଧ୍ୟକ୍ଷ ଡକ୍ଟର ପ୍ରଦୀପ୍ତ କୁମାର ମହାନ୍ତି, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ)ର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର, ରାଉରକେଲା ଚାମ୍ବର ଅଫ୍ କମର୍ସର ସଭାପତି ଶ୍ରୀ ସୁନୀଲ କାୟଲ, ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ଶ୍ରୀ ମହାଦେଓ ଜୟସ୍ୱାଲ ଓ ରାଉରକେଲା ଇସ୍ପାତ କାରଖାନାର ଭାରାପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ ଉପସ୍ଥିତ ଥିଲେ ।


Share It

Comments are closed.